The Topmost

“The eyes believe themselves, the ears believe other people.”

ସବୁଠୁ ବଡ ସମସ୍ୟା ମହିଳାଙ୍କ ସୁରକ୍ଷା- ସୁପ୍ରିୟା ଶ୍ରୀନେତ

ଓଡ଼ିଶାର ଅଧା ଜନସଂଖ୍ୟା ମହିଳାଙ୍କ ବିରୋଧରେ ଷଡ଼୍‌ଯନ୍ତ୍ର ଚାଲିଛି। ମହିଳାଙ୍କ ବିରୋଧରେ ଅତ୍ୟାଚାର ସୀମା ଟପିଲାଣି। ବିଜେଡି ସରକାର ସମୟରେ ଏହି ପ୍ରସଙ୍ଗରେ ବିଜେପି ଚୁପ୍ ରହିଥିଲା। ଏବେ ବିଜେପି ଶାସନରେ ଥିବା ସମୟରେ ବିଜେଡି ଚୁପ୍ ରହିଛି। ତେଣୁ ନାରୀ ନିର୍ଯାତନା ପ୍ରସଙ୍ଗରେ ବିଜେପି ଓ ବିଜେଡି ଏକ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଶ୍ରୀନେତ ଓଡ଼ିଶାରେ ମହିଳା ହିଂସା ସଂପର୍କିତ ଲମ୍ବା ତାଲିକା ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ ଯେ ଓଡ଼ିଶାରେ ବାଚସ୍ପତି, ଉପମୁଖ୍ୟମନ୍ତ୍ରୀ ହେଉଛନ୍ତି ମହିଳା। ମାତ୍ର ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣାରେ କେହି ମୁହଁ ଖୋଲୁ ନାହାନ୍ତି। ମହିଳାଙ୍କୁ ସୁରକ୍ଷା ଦେଇ ନ ପାରିଲେ ସୁଭଦ୍ରା ଯୋଜନାର କିଛି ଲାଭ ନାହିଁ। ଏଠି ସୁଭଦ୍ରାଙ୍କୁ ପୂଜା କରାଯାଉଛି, ମାତ୍ର ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ଓଡ଼ିଶାରେ ୪୪ହଜାର ମହିଳା ଓ ଶିଶୁ ନିଖୋଜ ହୋଇଛନ୍ତି। ମହିଳା ବିରୋଧୀ ହିଂସାରେ ଓଡ଼ିଶା ଦେଶରେ ୪ ନମ୍ବର ସ୍ଥାନରେ ରହିଛି। ଓଡ଼ିଶାରେ ମହିଳାମାନେ ଅସୁରକ୍ଷିତ ଏକଥା କଂଗ୍ରେସ ଅଭିଯୋଗ କରୁନାହିଁ, ବରଂ ସରକାରଙ୍କ ତଥ୍ୟ ଏ କଥା କହୁଛି। ତେଣୁ ଓଡ଼ିଶାରେ ମହିଳା ନିର୍ଯାତନା ଭଳି ପ୍ରସଙ୍ଗଠାରୁ ଆଉ ବଡ଼ ପ୍ରସଙ୍ଗ କିଛି ନାହିଁ। ବିଜେପି ଏ ପ୍ରସଙ୍ଗରେ ଧୃତରାଷ୍ଟ୍ର ପାଲଟିଯାଇଛି। ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେବା ପାଇଁ ସବୁପ୍ରକାର ଉଦ୍ୟମ କରାଯାଉଛି। ବିଗତ ୯ମାସ ଭିତରେ ଓଡ଼ିଶାରେ ମହିଳାଙ୍କ ବିରୋଧରେ ଅନେକ ଜଘନ୍ୟ ଅପରାଧ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ କେହି ସେମାନଙ୍କ ପରିବାରବର୍ଗଙ୍କୁ କାହିଁକି ଭେଟୁ ନାହାନ୍ତି ? ଆସନ୍ତା ୨୭ତାରିଖରେ ମହିଳା ହିଂସା ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରାଯିବ। ଶୋଇଥିବା ସରକାରକୁ ନିଦରୁ ଉଠାଇବୁ। ଯଦି ବିଜେଡିର ମହିଳା ହିଂସାକୁ ନେଇ କିଛି ସମବେଦନା ଥାଏ ତାହାଲେ ସେମାନେ ଏହି ଆନ୍ଦୋଳନରେ ସାମିଲ ହୋଇପାରିବେ।

ସେ ଆହୁରି ମଧ୍ୟ କହିଥିଲେ ଯେ ମହିଳାଙ୍କ ସୁରକ୍ଷା ନେଇ ବିଧାନସଭାରେ ସର୍ବଦଳୀୟ କମିଟି ଗଠନ କରାଯାଉ। ମହିଳାଙ୍କ ଭବିଷ୍ୟତ, ସ୍ବାବଲମ୍ବୀ ହେବା ଲାଗି ପଦକ୍ଷେପ ନିଆଯାଉ। ଏହାସହ କଂଗ୍ରେସ ବିଧାୟକଙ୍କ ସହ ହାତାହାତି, ବିଧାୟକଙ୍କୁ ନିଲମ୍ବନ କଲେ କଂଗ୍ରେସ ଚୁପ୍ ରହିବ ନାହିଁ ବୋଲି ଶ୍ରୀମତୀ ଶ୍ରୀନେତ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସୁମିତ ଦୁବେ, ରୋଜାଲିନା ତିର୍କୀ, ସୁସ୍ମିତା ବେହେରା, ଜୟଶ୍ରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

SHARE BY