ବାର୍ଦ୍ଧକ୍ୟରେ ଅସ୍ଥିମଜାରୁ ଖଣିଜ ଅଂଶ ଓ ତନ୍ତୁର ମାତ୍ରା ହ୍ରାସ ପାଇଲେ ଏହା ଦୁର୍ବଳ ହୋଇଯାଏ ଓ ଅଳ୍ପ ଆଘାତରେ ହାଡ଼ ଭାଙ୍ଗିଯାଏ। ଏହି ରୋଗକୁ ‘ଅଷ୍ଟିଓପୋରୋସିସ୍ ବା ଅସ୍ଥିକ୍ଷୟ’ କୁହାଯାଏ। ଅନେକ ସମୟରେ କୌଣସି ଲକ୍ଷଣ ପ୍ରକାଶ ପାଇନଥାଏ। କିନ୍ତୁ ବେଳ ହୁଁ ସାବଧାନ ନ ହେଲେ ହାଡ଼ ଭାଙ୍ଗିବାର ଆଶଙ୍କା ବଢ଼ିଯାଏ। ଏନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୨୦ ତାରିଖକୁ ‘ବିଶ୍ୱ ଅଷ୍ଟିଓପୋରୋସିସ୍ ଦିବସ’ ଭାବେ ପାଳନ କରାଯାଏ। ଆଜିକାଲି ପ୍ରାୟ ମହିଳା ଅଷ୍ଟିଓପୋରୋସିସ୍ରେ ଆକ୍ରାନ୍ତ। ସାଧାରଣତଃ ଏହି ରୋଗ ମହିଳାମାନଙ୍କଠାରେ ଋତୁସ୍ରାବ ବନ୍ଦ ହେବା ପରେ ଦେଖାଯାଇଥାଏ। ଅସ୍ଥିରୁ ଖଣିଜ ଅଂଶ ଓ ତନ୍ତୁର ମାତ୍ରା ହ୍ରାସ ପାଇବା ଯୋଗୁଁ ଏହି ରୋଗ ହୋଇଥାଏ। ଏହି ରୋଗ ଆରମ୍ଭରୁ କୌଣସି ଲକ୍ଷଣ ପ୍ରକାଶ ପାଇନଥାଏ। କିନ୍ତୁ ଜଣାପଡ଼ିବା ବେଳକୁ ବହୁ ବିଳମ୍ବ ହୋଇସାରିଥାଏ। ତେଣୁ ଠିକ୍ ସମୟରେ ଏହାର ପ୍ରତିକାର ଜରୁରୀ। ଏହି ରୋଗର ଲକ୍ଷଣ, କାରଣ ଓ ନିରାକରଣକୁ ନେଇ ସହିଦନଗରସ୍ଥିତ ଓଡ଼ିଶା ଆର୍ଥାଇଟିସ୍ ଆଣ୍ଡ୍ ରୁୢମାଟୋଲେଜି ସେଣ୍ଟରର ନିର୍ଦ୍ଦେଶକ ପ୍ରଫେସର ଜ୍ୟୋତିରଞ୍ଜନ ପରିଡ଼ାଙ୍କ ସହ ସାକ୍ଷାତକାର।
ଏହାର କାରଣ କ’ଣ?
‘ଅଷ୍ଟିଓପୋରୋସିସ୍’ ମୁଖ୍ୟତଃ ବାର୍ଦ୍ଧକ୍ୟ ଅବସ୍ଥାରେ ଦେଖାଯାଉଥିଲେ ମଧ୍ୟ ଏହାର ଅନ୍ୟ କାରଣ ରହିଛି। ଏଥିପାଇଁ ଏହା ବେଳେ ବେଳେ କମ୍ ବୟସ୍କଙ୍କଠାରେ ମଧ୍ୟ ଦେଖାଯାଇଥାଏ। ବାର୍ଦ୍ଧକ୍ୟ ଛଡ଼ା ଅତ୍ୟଧିକ ମଦ୍ୟପାନ ଓ ଧୂମପାନ, ଭିଟାମିନ୍ ଡି ଓ କ୍ୟାଲ୍ସିୟମ୍ର ଅଭାବ, ବ୍ୟୟାମର ଅଭାବ, ଷ୍ଟେରଏଡ୍ଯୁକ୍ତ ଔଷଧର ଅଧିକ ସେବନ, ଅତ୍ୟଧିକ କମ୍ ଓଜନ, ବିଭିନ୍ନ ହର୍ମୋନ୍ ଯଥା ଇଷ୍ଟ୍ରୋଜେନ୍ର ଅଭାବ, ପାରାଥାଇରଏଡ୍ ହର୍ମୋନ୍ର ଆଧିକ୍ୟ, ରୁୢମାଟଏଡ୍ ଆର୍ଥାଇଟିସ୍ ଭଳି ଗଣ୍ଠିବାତ ରୋଗ ଓ ବୃକକ୍ ବା ଯକୃତରେ କୌଣସି ଦୀର୍ଘସ୍ଥାୟୀ ରୋଗ ଏହାର ମୁଖ୍ୟ କାରଣ।
ଏହି ରୋଗକୁ କେମିତି ଚିହ୍ନଟ କରିବେ?
ସାଧାରଣତଃ ଅସ୍ଥିକ୍ଷୟତା ବା ଅଷ୍ଟିଓପୋରୋସିସ୍ ପ୍ରଥମ ପର୍ଯ୍ୟାୟରେ ଯନ୍ତ୍ରଣାବିହୀନ ହୋଇଥାଏ। ତେଣୁ ବହୁ ଲୋକଙ୍କ କ୍ଷେତ୍ରରେ ଏହା ଚିହ୍ନିବା ସମ୍ଭବ ହୁଏନାହିଁ। ସାମାନ୍ୟ କୌଣସି ଆଘାତ ବାଜି ହାଡ଼ ଭାଙ୍ଗିଯିବା ପରେ ଏହି ରୋଗର ଚିହ୍ନଟ ହୋଇଥାଏ। କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥାଏ। ପ୍ରଥମରୁ ଏହି ରୋଗର ଚିହ୍ନଟ ପାଇଁ ‘ବୋନ୍ ମିନେରାଲ୍ ଡେନ୍ସିଟି’ (ବିଏମ୍ଡି) ପରୀକ୍ଷା କରାଯାଏ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ପରିଭାଷାରେ ଡେକ୍ସାସ୍କାନ୍ ଟି ସ୍କୋର୍ ୨.୫ରୁ କମ୍ ରହିଲେ ଏହାର ‘ଅଷ୍ଟିଓପୋରୋସିସ୍’ କୁହାଯାଏ। ଯଦି ଏହା -୧ରୁ -୨.୫ ମଧ୍ୟରେ ରୁହେ, ତେବେ ଏହାକୁ ଅଷ୍ଟିଓପିନିଆ କୁହାଯାଏ।
ଏଥିପାଇଁ କ’ଣ ସବୁ ଚିକିତ୍ସା ବ୍ୟବସ୍ଥା ରହିଛି?
ରୋଗ ଚିହ୍ନଟ ପରେ ରୋଗୀମାନେ ନିୟମିତ କ୍ୟାଲ୍ସିୟମ୍ ଓ ଭିଟାମିନ୍-ଡି ଖାଇବା ଆବଶ୍ୟକ। ଏହା ଅସ୍ଥି ନିର୍ମାଣରେ ସହାୟକ ହୋଇଥାଏ। ସାଧାରଣତଃ ଅଷ୍ଟିଓପୋରୋସିସ୍ରେ ବ୍ୟବହୃତ ଔଷଧ ଦୁଇ ପ୍ରକାରର। ଅସ୍ଥିକ୍ଷୟ ଦୂର କରୁଥିବା ଔଷଧ ଯେପରିକି ବିସ୍ଫସ୍ଫୋନେଟ୍ (ଆଲେନ୍ଡ୍ରେନେଟ୍ ବା ଜୋଲୋନଡ୍ରେନେଟ୍) ଓ ଡେନୋସୁମାବ। ଏଥିସହ ନୂତନ ଅସ୍ଥି ତିଆରି କରୁଥିବା ଔଷଧ ଟେରିପାରାଟାଇଡ୍ ମଧ୍ୟ ଏହି ରୋଗରେ ସେବନ କରାଯାଇପାରେ। କିନ୍ତୁ ଡାକ୍ତରଙ୍କ ବିନା ଅନୁମତିରେ ଏହାକୁ ଗ୍ରହଣ କରିବା ଅନୁଚିତ।
କିଭଳି ଦୂରେଇ ରହିବା?
ସୁଷମ ଖାଦ୍ୟ ଗ୍ରହଣ ବିଶେଷ କରି କ୍ଷୀର, ଦହି, ଛେନା, ପନିର, ଚୁନା ମାଛ ଓ ଶାଗ ଭଳି ଅଧିକ କ୍ୟାଲ୍ସିୟମ୍ ଯୁକ୍ତ ଖାଦ୍ୟ ସହ ବାଦାମ, ବିଭିନ୍ନ ଡାଲିଜାତୀୟ ଖାଦ୍ୟ ଅଧିକ ଖାଇବା ଜରୁରୀ। ନିୟମିତ ସକାଳେ ହାଲୁକା ସୂର୍ଯ୍ୟକିରଣରେ ବସିବା ଦ୍ବାରା ଶରୀର ଭିଟାମିନ୍-ଡି ପାଇଥାଏ। ମଦ୍ୟ ଓ ଧୂମପାନ ବର୍ଜନ କରିବା ସହ ନିୟମିତ ବ୍ୟାୟାମ ଅସ୍ଥି ନିର୍ମାଣରେ ସହାୟକ ହୋଇଥାଏ। ସୁସ୍ଥ ଜୀବନଶୈଳୀ ଓ ନିୟମିତ ବ୍ୟାୟାମ ଏହି ରୋଗରୁ ଆମକୁ ଦୂରେଇ ରଖିବ।
More Stories
ଦିନକୁ କେତେ ଚାଲିଲେ ପାଖ ମାଡିବନି ହୃଦଘାତ
ପୁରୁଷଙ୍କ ସ୍ପର୍ମ କାଉଣ୍ଟ୍ କମାଇଛି କୋଭିଡ୍
ଆଖିରୁ ଜାଣନ୍ତୁ ଡାଇବେଟିସ୍ ର ସ୍ଥିତି