ଚଳିତ ବର୍ଷ ଦେଶରେ ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ୨୦୦ ‘କ୍ୟାନ୍ସର ଡେ କେୟାର ସେଣ୍ଟର’ ସ୍ଥାପିତ ହେବ। ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରତି ଜିଲ୍ଲାରେ ‘କ୍ୟାନ୍ସର ଡେ କେୟାର ସେଣ୍ଟର’ ସ୍ଥାପନ ସହିତ କେମୋ ଥେରାପି ସୁବିଧା ଉପଲବ୍ଧ ହେବ। ସ୍ବାସ୍ଥ୍ୟ କ୍ଷେତ୍ରରେ ଅର୍ଥ କେବେ ବି ପ୍ରତିବନ୍ଧକ ହେବ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପୁରୀ ସ୍ବସ୍ତି ବିଚ୍ ରିସୋର୍ଟ ପରିସରରେ ଅନୁଷ୍ଠିତ ୯ମ ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀକୁ ଶୁକ୍ରବାର ଉଦ୍ଘାଟନ କରି ଶ୍ରୀ ନଡ୍ଡା କହିଲେ, ମାତୃ ଓ ଶିଶୁ ମୃତ୍ୟୁହାରରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ତୃଣମୂଳସ୍ତରରେ ଆଶାକର୍ମୀଙ୍କ ସକ୍ରିୟ ଭାଗିଦାରୀ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆଣିବାରେ ସହାୟକ ହୋଇଛି। ଦେଶର ୧ଲକ୍ଷ ୭୬ ହଜାର ଆରୋଗ୍ୟ ମନ୍ଦିରରେ ୩୭ କୋଟି ବ୍ୟକ୍ତିଙ୍କର ମଧୁମେହ, ରକ୍ତଚାପ ଓ ତିନି ପ୍ରକାରର କ୍ୟାନ୍ସରର ସ୍କ୍ରିନିଂ କରାଯାଉଛି। ଏହା ଅର୍ଥ ଓ ସମୟ ବଞ୍ଚାଇବା ସହ ସ୍ବାସ୍ଥ୍ୟ କ୍ଷେତ୍ରରେ ସମୟୋପଯୋଗୀ ସେବା ଦେବାରେ ସହାୟକ ହେବ। ତୃଣମୂଳସ୍ତରରେ ସ୍ବାସ୍ଥ୍ୟକର୍ମୀଙ୍କ ତତ୍ପରତା ଯୋଗୁ ମାତୃ ମୃତ୍ୟୁହାର, ଶିଶୁ ମୃତ୍ୟୁହାର, ମ୍ୟାଲେରିଆ, ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବାରେ ଜନପ୍ରତିନିଧିଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ଶ୍ରୀ ନଡ୍ଡା କହିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ସୁସ୍ଥ ଓ ସମୃଦ୍ଧ ଓଡ଼ିଶା ଆମର ଲକ୍ଷ୍ୟ। ସମସ୍ତ ବ୍ୟକ୍ତିବିଶେଷଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସହର ଓ ଗ୍ରାମାଞ୍ଚଳରେ ଥିବା ୭୩୫୮ ପିଏଚ୍ସି ଓ ସ୍ବାସ୍ଥ୍ୟ ଉପକେନ୍ଦ୍ରକୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଭାବେ ବିକଶିତ କରାଯିବ। ସେଠାରେ ଯୋଗ ସହ ସମସ୍ତ ପ୍ରକାରର ପ୍ରାଥମିକ ଚିକିତ୍ସା ସୁବିଧା ଉପଲବ୍ଧ ହେବ। ଏହାବ୍ୟତୀତ ରାଜ୍ୟରେ ୧୩୩୮ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପନ ହେବ। ଆସନ୍ତା ଶିକ୍ଷା ବର୍ଷରେ ଫୁଲବାଣୀ ଓ ଅନୁଦୁଳ ଜିଲ୍ଲାରେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ହେବ। ମୋଟ୍ ୩୦ ଜିଲ୍ଲାରେ ୧୪ଟି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ କରାଯିବ। ୮ଟି ନୂଆ ସରକାରୀ ନର୍ସିଂ କଲେଜ ଖୋଲାଯିବ। ଏହାବ୍ୟତୀତ ୪ଟି ଡେଣ୍ଟାଲ୍ କଲେଜ ପାଇଁ ମଧ୍ୟ ଯୋଜନା ରହିଛି। ନିକଟରେ ୩୫୩୭ ଡାକ୍ତର ଓ ସ୍ବାସ୍ଥ୍ୟ ସେବା କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଖୁବଶୀଘ୍ର ଆଉ ୫ ହଜାର ଡାକ୍ତର ପଦବି ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶାର ଲୋକେ ଦେଶର ୨୯ ହଜାର ହସ୍ପିଟାଲରେ ଚିକିତ୍ସା ସେବା ପାଇପାରିବେ ବୋଲି ସେ କହିଥିଲେ।
More Stories
ସ୍ବାଭିମାନ ପାଇଁ ଲଢେଇ ହେବ- ବିଜେଡି
ପାୱାର ପାଇବା ପରେ ଆକ୍ସନ୍ ମୋଡରେ ଭକ୍ତ ଚରଣ ଦାସ୍
ବିଦ୍ୟୁତ୍ ଦରକୁ ନେଇ ରାଜ୍ୟ କଂଗ୍ରେସର ତାତି