ରାଜ୍ୟରେ ବିଦ୍ୟୁତ୍ ଦର ଯଦି ୧ ପଇସା ବୃଦ୍ଧି ହେବ ତାହାଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ। ସାଧାରଣ ବିଦ୍ୟୁତ୍ ଉପଭୋକ୍ତାଙ୍କ ସ୍ବାର୍ଥ ରକ୍ଷା ପାଇଁ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ। ଯେଉଁ ଅଣ ବିଜେପି ଦଳ ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଲଢ଼େଇ କରିବେ ସେମାନଙ୍କ ସହଯୋଗରେ ଆନ୍ଦୋଳନକୁ ଭୁବନେଶ୍ବରରୁ ପୁରପଲ୍ଲୀକୁ ନିଆଯିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍ଗୋ।
ଶ୍ରୀ କାନୁନ୍ଗୋ କହିଲେ, ରାଜ୍ୟରେ ୮ମାସ ଶାସନ ପରେ କ୍ଷମତାସୀନ ବିଜେପି ସରକାର ନିଜ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି। ୩ଶହ ୟୁନିଟ୍ ମାଗଣା ବିଜୁଳି ଦେବା ପରିବର୍ତ୍ତେ ଏବେ ବିଜୁଳି ଦେୟ ୟୁନିଟ୍ ପିଛା ୧୨ ପଇସା ବୃଦ୍ଧି ପାଇଁ ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆରସି)ଙ୍କ ନିକଟରେ ଟିପିସିଓଟିଏଲ୍ ପ୍ରସ୍ତାବ ଦେବା ଦୁର୍ଭାଗ୍ୟଜନକ। ରାଜ୍ୟ ସରକାର ଏହି ମାମଲାରେ ଚୁପ୍ ରହିଛନ୍ତି। ଗ୍ରିଡ୍କୋ ରାଜ୍ୟ ସରକାରଙ୍କ ଅଧୀନରେ ଥିବାରୁ ରାଜ୍ୟ ସରକାର ବିଦ୍ୟୁତ୍ ଦର ନିୟନ୍ତ୍ରଣ ପାଇଁ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ।
ସେ ଆହୁରି ମଧ୍ୟ କହିଥିଲେ ଯେ ଟିପିସିଓଡିଏଲ୍ର ସୂଚନା ଅନୁସାରେ ରାଜସ୍ବ ଆବଶ୍ୟକତା ୬୮୬୨.୫କୋଟି ଟଙ୍କା ଆକଳନ ହୋଇଥିବା ବେଳେ ୬୭୨୦.୩୯ କୋଟି ଟଙ୍କା ଆଦାୟ ହେବ। ସୁତରାଂ ୧୪୨.୧୫କୋଟି ଟଙ୍କା ରାଜସ୍ବ ନିଅଣ୍ଟ ରହିବ ବୋଲି ଦର୍ଶାଇ ୟୁନିଟ୍ ପିଛା ୧୨ ପଇସା ବଢ଼ାଇବା ପାଇଁ ପ୍ରସ୍ତାବ ଦିଆଯାଇଛି। ଅପରପକ୍ଷରେ ୨୦୨୩-୨୪ ପାଇଁ ଆୟୋଗ ନିର୍ଦ୍ଧାରିତ କରିଥିବା ଶୁଳ୍କଠାରୁ ଟାଟା ୟୁନିଟ୍ ପିଛା ପ୍ରାୟ ୨୮ ପଇସା ଅଧିକ ଆଦାୟ କରିଛି। ଏଥିରେ କମ୍ପାନି ୨୪୬.୪୭ ଲକ୍ଷ ଟଙ୍କା ଅଧିକ ପାଇଛି। ତେଣୁ ବିଦ୍ୟୁତ୍ ଆଇନ ୨୦୦୩ ଧାରା ୬୨(୬) ଅନୁସାରେ ଟାଟା ଉପଭୋକ୍ତାଙ୍କୁ ସୁଧ ସହ ଅର୍ଥ ଫେରସ୍ତ କରୁ।
ୟାସିର ନୱାଜ କହିଥିଲେ ଯେ ବିଦ୍ୟୁତ୍ ଦେୟରେ ଓଡ଼ିଶାରେ ଦୁଇଟି ଆଇନ ଚାଲୁଛି। ଶିଳ୍ପପତି ଓ ପୁଞ୍ଜିପତିଙ୍କୁ କୋଟି କୋଟି ଟଙ୍କାର ବିଦ୍ୟୁତ୍ ଦେୟ ଛାଡ଼ କରାଯାଉଥିବା ବେଳେ ସାଧାରଣ ଉପଭୋକ୍ତାଙ୍କ ତଣ୍ଟି ଚିପି ଅର୍ଥ ଆଦାୟ କରାଯାଉଛି। ସ୍ମାର୍ଟ ମିଟର ଲଗାଇ ଉପଭୋକ୍ତାଙ୍କୁ ଶୋଷଣ କରିବାକୁ ଚକ୍ରାନ୍ତ ଚାଲିଛି। ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁସାରେ, ଗତ ୧୦ବର୍ଷରେ ୧୪ଜଣ ଶିଳ୍ପପତିଙ୍କୁ ୪୦୯୭ କୋଟି ବିଦ୍ୟୁତ୍ ଦେୟ ବିଭିନ୍ନ ଯୋଜନାରେ ଛାଡ଼ କରାଯାଇଛି। ସେହିପରି ୨୩ଟି ଶିଳ୍ପ ଉପରେ ୧୦୯୬ କୋଟି ବିଦ୍ୟୁତ୍ ବାକି ପଡ଼ିଛି। ଏହି ଶିଳ୍ପ ସଂସ୍ଥାଠାରୁ ବକେୟା ବିଦ୍ୟୁତ୍ ଅର୍ଥ ଆଦାୟ କରାଯାଉନାହିଁ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମନୋରଂଜନ ଦାଶ, ମନୋଜ ବିଶ୍ବାଳ ଓ ଉଦିତ ପ୍ରଧାନ ଉପସ୍ଥିତ ଥିଲେ।
More Stories
ପାୱାର ପାଇବା ପରେ ଆକ୍ସନ୍ ମୋଡରେ ଭକ୍ତ ଚରଣ ଦାସ୍
କାଲି ଘୋଷଣା ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ
ନିର୍ବାଚିତ ହେବେ ନୂଆ ଇଲେକ୍ସନ୍ କମିସନର୍