ସୁନା କିଣିବାବେଳେ ଲୋକମାନେ ପ୍ରାୟତଃ ସୁନାର ଶୁଦ୍ଧତା ବାବଦରେ ଜାଣିପାରନ୍ତି ନାହିଁ | ସୁନା ଦୋକାନୀଙ୍କ କଥାରେ ହେଉ କିମ୍ବା ମୂଲ୍ୟ ଦେଖି ସୁନା କିଣିଥାନ୍ତି | ଏପରି ପରିସ୍ଥିତିରେ, ଦୋକାନୀ ଆପଣଙ୍କୁ ଖରାପ ଗୁଣାତ୍ମକ ସୁନା ବିକ୍ରି କରିପାରେ | ଏହାକୁ ଏଡାଇବା ପାଇଁ ଆପଣଙ୍କୁ ସତର୍କ ରହିବା ଆବଶ୍ୟକ | ଯଦି ଆପଣ ମଧ୍ୟ ଶୁଦ୍ଧ ସୁନା କିଣିବାକୁ ଚାହାଁନ୍ତି ଏବଂ ଏବାବଦରେ ଜାଣିବାକୁ ଚାହାଁନ୍ତି, ତେବେ ଆଜି ଆମେ ଆପଣଙ୍କୁ ସୁନା କିଣିବାବେଳେ କିପରି ଏହାର ଶୁଦ୍ଧତା ଚିହ୍ନଟ କରିପାରିବେ ସେ ସମ୍ବନ୍ଧରେ ସୂଚନା ଦେବୁ | ସୁନା କିଣିବା ସମୟରେ ଆପଣ କେଉଁ ଜିନିଷଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ୍ ତାହା ବାବଦରେ ଆଜି ଆମେ ଆପଣଙ୍କୁ କହିବୁ | ସୁନା କିଣିବା ସମୟରେ ଯାଞ୍ଚ କରିବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପାରାମିଟର ହେଉଛି ଧାତୁର ଶୁଦ୍ଧତା | ସୁନାର ଶୁଦ୍ଧତା କ୍ୟାରେଟ୍ (କେ) ରେ ମାପ କରାଯାଏ | ୨୪ କ୍ୟାରେଟ୍ ଅର୍ଥାତ୍ ୨୪କେ ଶୁଦ୍ଧ ସୁନା ଭାବରେ ବିବେଚନା କରାଯାଏ |
ତଥାପି, ଯେତେବେଳେ ଆପଣ ସୁନା ଅଳଙ୍କାର କିଣନ୍ତି, ସେଥିରେ ୧୮ରୁ-୨୨କେ ସୁନା ବ୍ୟବହୃତ ହୁଏ | ଶୁଦ୍ଧ ସୁନା କିଣିବାକୁ ଚାଁହୁଥିଲେ ଆପଣ କେବଳ ହଲମାର୍କଡ୍ ଅଳଙ୍କାର କିଣିବା ଉଚିତ୍ | ଯଦି ଆପଣ କିଣୁଥିବା ଅଳଙ୍କାରରେ ହଲମାର୍କ ନାହିଁ, ତେବେ ସୁନା କିଣିବା ଉଚିତ୍ ନୁହେଁ | ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ୍) ଭାରତରେ ଚିହ୍ନିତ ସୁନା ଅଳଙ୍କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁକୁ ପ୍ରମାଣିତ କରେ | ବିଶେଷଜ୍ଞମାନେ କହିଛନ୍ତି ଯେ ୨୪ କ୍ୟାରେଟ ସୁନାରେ ଅଳଙ୍କାର ତିଆରି କରାଯାଏ ନାହିଁ। ୨୨ କ୍ୟାରେଟ୍, ୧୮ କ୍ୟାରେଟ୍ ସୁନା ଅଳଙ୍କାର ତିଆରି ପାଇଁ ବ୍ୟବହୃତ ହୁଏ | ୨୪ କ୍ୟାରେଟ୍ ସୁନା ମୁଦ୍ରା, ବାର(ବିସ୍କୁଟ) ତିଆରିରେ ବ୍ୟବହୃତ ହୁଏ ଏବଂ ଏଥିରେ ସର୍ବୋଚ୍ଚ ଶୁଦ୍ଧ ସୁନା ଥାଏ | ୯୯୯ ଶୁଦ୍ଧ ସୁନାର ଅର୍ଥ ହେଉଛି ୨୪ କ୍ୟାରେଟ୍ ସୁନାରେ ୯୯.୯୦ ପ୍ରତିଶତ ଶୁଦ୍ଧ ଏବଂ ଅନ୍ୟ ଧାତୁଗୁଡ଼ିକ ୦.୧ ପ୍ରତିଶତ | ସର୍ବପ୍ରଥମେ ବିଆଇଏସ ଲୋଗୋ ଦେଖିବା ଉଚିତ୍ | ଏହା ପରେ ଆପଣ ଶୁଦ୍ଧତା ଏବଂ ସୂକ୍ଷ୍ମତା ଗ୍ରେଡ୍ ଦେଖିପାରିବେ | ତାପରେ ଆପଣ ଛଅ ଅଙ୍କ ବିଶିଷ୍ଟ ଆଲଫାନୁମେରିକ୍ କୋଡ୍ କିମ୍ବା HUID କୁ ଦେଖି ଶୁଦ୍ଧ ସୁନା ଚିହ୍ନଟ କରିପାରିବେ |
More Stories
ଜାଣନ୍ତୁ କଣ ଏହି ଲକ୍ଷପତି ଦିଦି ସହାୟିକା ଯୋଜନା, କିଏ ପାଇବେ ସାହାଯ୍ୟ
cyber security, ଓଡିଆ ଝିଅ ପ୍ରାଚୀ ମହାପାତ୍ରଙ୍କ କମାଲ
NALCO ର ଚଳିତ ବର୍ଷ ଆୟ ଜାଣିଲେ ତାଜୁବ ହେବେ