କାହିଁକି ପୁରୁଣା ପେନସନ୍ ଦାବି କରୁଛନ୍ତି ସରକାରୀ ଚାକିରିଆ

ନୂଆ ପେନ୍‌ସନ୍ ବାତିଲ୍ କରି ପୁରୁଣା ପେନ୍‌ସନ୍ ପ୍ରଦାନ ଦାବିରେ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ବୟ ସମିତି (ଓଏସ୍‌ଜିଇସିସି) ଓ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତି (ଓକେଏସ୍‌ଏସ୍‌) ପକ୍ଷରୁ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘର ଆହ୍ୱାନ କ୍ରମେ ୧୧ ଦଫା ଦାବି ନେଇ ଆଜି ଏକ ପ୍ରତିବାଦ ସଭା ଲୋୟର ପିଏମ୍‌ଜିଠାରେ ଅନୁଷ୍ଠିତ ହୋଇଥିଲା। ଓଏସ୍‌ଜିଇସିସିର ସାଧାରଣ ସମ୍ପାଦକ ସୁଜିତ କୁମାର ନାୟକ କର୍ମଚାରୀମାନଙ୍କର ମୌଳିକ ସମସ୍ୟା ଉପରେ ଆଲୋକପାତ କରିଥିଲେ। ପିଏଫ୍‌ଆର୍‌ଡିଏ ନିୟମକୁ ବାତିଲ୍ କରିବା, ଏନ୍‌ପିଏସ୍ ଓ ୟୁପିଏସ୍‌କୁ ପ୍ରତ୍ୟାହାର କରି ସମସ୍ତ କର୍ମଚାରୀମାନଙ୍କୁ ପୁରୁଣା ପେନ୍‌ସନ୍ ଦେବା, ଫଣ୍ଡ ମ୍ୟାନେଜରଙ୍କ ପାଖରେ ଥିବା ଲକ୍ଷ ଲକ୍ଷ କୋଟି ଟଙ୍କାକୁ ରାଜ୍ୟକୁ ଫେରାଇବା, ଠିକା କର୍ମଚାରୀ ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା ଆଦି ପ୍ରମୁଖ ଦାବି ଉପସ୍ଥାପନ କରାଯାଇଥିଲା।

ସେହିପରି ହଜାର ହଜାର ଖାଲିଥିବା ପଦବିକୁ ତୁରନ୍ତ ପୂରଣ କରିବା, ସରକାରୀ ସଂସ୍ଥାର ଘରୋଇକରଣ ବନ୍ଦ କରିବା, ପାଞ୍ଚ ବର୍ଷରେ ଥରେ ବେତନ ସଂଶୋଧନ କମିଟି ଗଠନ କରି ବେତନ ସଂଶୋଧନ କରିବା, ଅଷ୍ଟମ ବେତନ କମିସନଙ୍କ ନାମ ଘୋଷଣା କରିବା, ସମସ୍ତ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ କରିବା ଆଦି ଦାବି ଉପରେ  ନେତୃତ୍ବମାନେ ଆଲୋକପାତ କରିଥିଲେ। ଓଏସ୍‌ଜିଇସିସିର ସଭାପତି ପ୍ରଶାନ୍ତ କୁମାର ମହାନ୍ତି ଓ ଓକେଏସ୍‌ଏସ୍‌ର ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ରାଉତରାୟ ସଭାପତିତ୍ୱ କରିଥିଲେ। ବିକ୍ଷୋଭରେ ହୃଷୀକେଶ ମହାପାତ୍ର, ପ୍ରଭାତ ପରିଡ଼ା, ଜ୍ୟୋତ୍ସ୍ନା ନାୟକ, କାହ୍ନୁଚରଣ ମଲ୍ଲିକ, କ୍ଷେତ୍ରମୋହନ ଦାସ, ପ୍ରତାପ ଚନ୍ଦ୍ର ମିଶ୍ର, ଅଶୀଳ ବ୍ରହ୍ମ, ଅଶୋକ ମୁଦୁଲି, ସରୋଜ କୁମାର ନାୟକ, ମନୋଜ କୁମାର ମଲ୍ଲିକ ଉପସ୍ଥିତ ଥିଲେ।

SHARE BY