ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିବା ଡୋନାଲ୍ଡ ଟ୍ରମ୍ପ ଆଜି ଦେଶର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଟ୍ରମ୍ପଙ୍କ ସହିତ ରିପବ୍ଲିକାନ ନେତା ଜେଡି ଭାନ୍ସ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ପ୍ରବଳ ଥଣ୍ଡା ଯୋଗୁ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ଆମେରିକୀୟ ସଂସଦ ଭବନ (କ୍ୟାପିଟଲ) ଭିତରେ ଅନୁଷ୍ଠିତ ହୋଇଥିଲା। ୧୯୮୫ ମସିହାରେ ମଧ୍ୟ ଏଭଳି ସ୍ଥିତି ଯୋଗୁଁ ରୋନାଲ୍ଡ ରେଗାନ ୟୁଏସ୍ କ୍ୟାପିଟଲରେ ଶପଥ ନେଇଥିଲେ। ଏହାର ୪୦ ବର୍ଷ ପରେ ଟ୍ରମ୍ପ ଓ ତାଙ୍କ ଡେପୁଟି ଭାନ୍ସ ସଂସଦ ଭବନ ଭିତରେ ଶପଥ ଗ୍ରହଣ କରିଛନ୍ତି। ବିଚାରପତି ଜନ୍ ରବର୍ଟସ୍ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଶପଥ ପାଠ କରାଇଥିଲେ।
ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଭିତରେ ଅନୁଷ୍ଠିତ ଏହି ସମାରୋହରେ ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍, ଜର୍ଜ ବୁଶ, ବାରାକ୍ ଓବାମାଙ୍କଠାରୁ ଆରମ୍ଭ କରି ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍ ସାମିଲ ହୋଇଥିଲେ। ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ବିପକ୍ଷରେ ମୁହାଁମୁହିଁ ହୋଇଥିବା ଉପରାଷ୍ଟ୍ରପତି କମଳା ହାରିସ ମଧ୍ୟ ସମାରୋହରେ ଉପସ୍ଥିତ ଥିଲେ। ସମାରୋହରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର ମିଲି, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଚୀନ୍ର ଉପରାଷ୍ଟ୍ରପତି ହାନ୍ ଜେଙ୍ଗଙ୍କ ସମେତ ୫୦ରୁ ଅଧିକ ବିଦେଶୀ ନେତାଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଭାରତର ପ୍ରତିନିଧିତ୍ୱ କରିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନି ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନି, ଟେସ୍ଲା ଓ ସ୍ପେସ୍ ଏକ୍ସ ମୁଖ୍ୟ ଏଲନ୍ ମସ୍କ, ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍, ମେଟା ସିଇଓ ମାର୍କ ଜୁକରବର୍ଗ, ଆପଲ୍ ସିଇଓ ଟିମ୍ କୁକ୍ ଏବଂ ଗୁଗୁଲ୍ ମୁଖ୍ୟ ସୁନ୍ଦର ପିଚାଇ ଏହି ଉତ୍ସବରେ ସାମିଲ ହୋଇଥିଲେ।
ଶପଥ ଗ୍ରହଣ ପରେ ଉଦ୍ଘାଟନୀ ଭାଷଣରେ ଟ୍ରମ୍ପ ଆମେରିକାକୁ ପୁଣି ମହାନ ରାଷ୍ଟ୍ର କରିବା ପାଇଁ ଆହ୍ୱାନ ଦେବା ସହ ଏକ ରୋମାଞ୍ଚକର ନୂତନ ଯୁଗର ଶୁଭାରମ୍ଭ ହୋଇଛି ବୋଲି କହିଛନ୍ତି। ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆଙ୍କୁ ରାଷ୍ଟ୍ରପତି ଭବନ ‘ହ୍ବାଇଟ୍ ହାଉସ୍’ରେ ବାଇଡେନ୍ ଦମ୍ପତି ସ୍ବାଗତ କରିଥିଲେ। ସୂଚନାଯୋଗ୍ୟ, ଟ୍ରମ୍ପ ତାଙ୍କ ବିରୋଧରେ ରହିଥିବା ଅନେକ ଆପରାଧିକ ମାମଲାର ରାୟକୁ ନିଷ୍ଫଳ କରି ଏବଂ ଗୁଳିମାଡ଼ରୁ ବର୍ତ୍ତି ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ଭାବେ ହ୍ବାଇଟ୍ ହାଉସ୍କୁ ଫେରିଛନ୍ତି। ରିପବ୍ଲିକାନ୍ ଦଳ ଉଭୟ ପ୍ରତିନିଧି ସଭା ଓ ସିନେଟରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ଟ୍ରମ୍ପଙ୍କୁ ଯେ କୌଣସି ଏଜେଣ୍ଡାକୁ ଆଗକୁ ନେବାପାଇଁ ନିରବଚ୍ଛିନ୍ନ କ୍ଷମତା ମିଳିଛି।
More Stories
ଟ୍ରମ୍ପଙ୍କୁ ଗୁପ୍ତ ଚିଠିରେ କଣ ଲେଖିଛନ୍ତି ମୋଦି..
୧ ଡିଗ୍ରି ତଳକୁ ଖସିଲା ପାରଦ
ମହାକୁମ୍ଭକୁ ୟୁନେସ୍କୋ ମାନ୍ୟତା..