The Topmost

“The eyes believe themselves, the ears believe other people.”

ଶେଷରେ ମୁଣ୍ଡ ନୁଆଁଇଲା RINL

ବଞ୍ଚିବାକୁ ସଂଘର୍ଷ କରୁଥିବା ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍‌ (ଆର୍‌ଆଇଏନ୍‌ଏଲ୍‌)ର ଭାଇଜାଗ୍ ଷ୍ଟିଲ୍ ପ୍ଲାଣ୍ଟ ପ୍ରତି ସରକାର ଆଖି ବୁଜି ଦେଇଥିଲେ। ତାହାକୁ ବିକ୍ରି କରିବା କିମ୍ବା ଅନ୍ୟ କୌଣସି ସଂସ୍ଥା ସହ ମିଶ୍ରଣ କରିବାକୁ ଯୋଜନା ହୋଇଥିଲା। କିନ୍ତୁ କାରଖାନାର ଭାଗ୍ୟରେ କିଛି ଅଲଗା ଲେଖାଥିଲା। ୨୦୨୪ର ଲୋକସଭା ନିର୍ବାଚନ ଏହାର ଭାଗ୍ୟ ବଦଳାଇ ଦେଇଛି। ଯେଉଁ କାରଖାନା ପ୍ରତି ସରକାର ଦୃଷ୍ଟି ଦେବାକୁ ଚାହୁନଥିଲେ ଆଜି ‌ତାହାର ପୁନରୁଦ୍ଧାର ଲାଗି ୧୧,୪୪୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

କୁହାଯାଉଛି ଯେ ରାଜନୈତିକ ଚାପ ଆଗରେ ସରକାର ମୁଣ୍ଡ ନୁଆଁଇ ଏହି ପ୍ୟାକେଜ୍ ଆଣିଛନ୍ତି। ଜେଡି୍‌(ଏସ୍‌) ନେତା ତଥା କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ପ୍ଲାଣ୍ଟର ପୁନରୁଦ୍ଧାର ପାଇଁ ଚାପ ପକାଉଥିଲେ। କ୍ୟାବିନେଟ୍‌ ନିଷ୍ପତ୍ତି ଘୋଷଣା ହେବା ପରେ ଚନ୍ଦ୍ରବାବୁ ନାଇଡୁ ଟୁଇଟ୍‌ କରି ତାହାକୁ ଏକ ଆବେଗ ଓ ଗର୍ବର ମୁହୂର୍ତ ବୋଲି କହିଛନ୍ତି। ଏହି ପ୍ୟାକେଜ୍ ପାଇଁ ସେ ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଇସ୍ପାତ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭାଇଜାଗ୍ ଷ୍ଟିଲ୍‌ ପ୍ଲାଣ୍ଟ ଆନ୍ଧ୍ର ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ପାଇଛି। ଏହାର ପୁନରୁଦ୍ଧାର କୌଣସି ରାଜନୈତିକ ପ୍ରତିଶ୍ରୁତି ନଥିଲା। ଏହା ଏକ ବ୍ୟକ୍ତିଗତ ପ୍ରତିବଦ୍ଧତା ଥିଲା ବୋଲି ନାଇଡୁ ଜଣାଇଛନ୍ତି।

ଆର୍‌ଆଇଏନ୍‌ଏଲ୍‌ ହେଉଛି ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ହେଉଥିବା ଏକ ସଂସ୍ଥା ଯାହା ଭାଇଜାଗ  ଇସ୍ପାତ କାରଖାନା ଦାୟିତ୍ବରେ ଅଛି। ଏହାର ପୁନରୁଦ୍ଧାର ଲାଗି ଇସ୍ପାତ ମନ୍ତ୍ରୀ ଶ୍ରୀ କୁମାରସ୍ବାମୀ ଦୁଇ ଦୁଇ ଥର ପ୍ରସ୍ତାବ ଦେଇଥିଲେ। ତାହାକୁ ଅର୍ଥ ମନ୍ତ୍ରଣାଳୟ ଖାରଜ କରିଦେଇଥିଲେ। ଶେଷରେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ପହଞ୍ଚିଲେ। ଦୁଇପଟୁ ଚାପ ପଡ଼ିବା ପରେ ଆର୍‌ଆଇଏନ୍‌ଏଲ୍‌ ପୁନରୁଦ୍ଧାର ପ୍ୟାକେଜ୍‌କୁ ମଞ୍ଜୁରି ମିଳିଛି। କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଏହା ହେଉଛି ଅନ୍ୟତମ ସର୍ବବୃହତ୍‌ ପୁନରୁଦ୍ଧାର ପ୍ୟାକେଜ୍। ପୁନରୁଦ୍ଧାର ପ୍ୟାକେଜ୍‌ ପାଣ୍ଠି ବଜେଟ୍‌ ପରେ ଜାରି କରାଯିବ।