କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀ ଏବଂ ପେନସନଭୋଗୀମାନଙ୍କ ବେତନ ଓ ପେ୍ନସନ୍ ରାଶି ଆସନ୍ତାବର୍ଷରୁ ବଢ଼ିବା ବାଟ ଆଜି ଫିଟି ଯାଇଛି। ବହୁ ପ୍ରତୀକ୍ଷିତ ଅଷ୍ଟମ ବେତନ ଆୟୋଗ ଗଠନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମଞ୍ଜୁରି ଦେବାପରେ କର୍ମଚାରୀ ଖୁସ୍। କେନ୍ଦ୍ର ସରକାରଙ୍କ ଅଧୀନରେ ବର୍ତ୍ତମାନ କାର୍ଯ୍ୟରତ ୪୯ ଲକ୍ଷରୁ ଅଧିକ କର୍ମଚାରୀ ଓ ପାଖାପାଖି ୬୫ ଲକ୍ଷ ପେନ୍ସନ୍ଭୋଗୀ ଏହାଦ୍ବାରା ଉପକୃତ ହେବେ।
କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ସଂପର୍କରେ ସୂଚନା ଦେଇଛନ୍ତି। ଖୁବ୍ଶୀଘ୍ର ନୂଆ ବେତନ ଆୟୋଗର ଅଧ୍ୟକ୍ଷ ଏବଂ ଦୁଇ ଜଣ ସଦସ୍ୟଙ୍କୁ ନିଯୁକ୍ତ କରାଯିବ ବୋଲି ସେ କହିଛନ୍ତି। ଏହାପରେ ଆୟୋଗ କେନ୍ଦ୍ର ସରକାର, ବିଭିନ୍ନ ରାଜ୍ୟ ସରକାରଙ୍କ ସମେତ ଅନ୍ୟ ଅଂଶଧାରୀମାନଙ୍କ ସହିତ ଆଲୋଚନା କରିବ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ପ୍ରତି ୧୦ ବର୍ଷରେ ଥରେ ନୂଆ ବେତନ ଆୟୋଗ ଗଠନ କରିଥାନ୍ତି। କର୍ମଚାରୀ ଓ ପେନ୍ସନ୍ଭୋଗୀମାନଙ୍କ ବେତନରେ ସଂଶୋଧନ ପାଇଁ ଏହି କମିସନ ସରକାରଙ୍କୁ ସୁପାରିସ କରିଥାଏ। କର୍ମଚାରୀ ଓ ପେନସନଭୋଗୀମାନେ ଏବେ ୨୦୧୬ ଜାନୁଆରି ପହିଲାରୁ ସପ୍ତମ ବେତନ ଆୟୋଗ ସୁପାରିସ ଆଧାରରେ ବେତନ ପାଉଛନ୍ତି। ସପ୍ତମ ବେତନ ଆୟୋଗ ନିକଟରେ କର୍ମଚାରୀମାନେ ଫିଟ୍ମେଣ୍ଟ୍ ଫ୍ୟାକ୍ଟର ୩.୬୮ ରଖିବାକୁ ଦାବି କରିଥିଲେ। କିନ୍ତୁ ବେତନ ସଂଶୋଧନ ପାଇଁ ଫିଟ୍ମେଣ୍ଟ୍ ଫ୍ୟାକ୍ଟରକୁ ୨.୫୭ରେ ରଖାଯାଇଥିଲା।
ପୂର୍ବ ବେତନ ଆୟୋଗ ଅନୁଯାୟୀ ପ୍ରଦାନ କରାଯାଉଥିବା ଦରମାରେ ଫିଟ୍ମେଣ୍ଟ୍ ଫ୍ୟାକ୍ଟରକୁ ଗୁଣିବା ଦ୍ବାରା ଯେଉଁ ରାଶି ହୋଇଥାଏ ତାହା କର୍ମଚାରୀ ଓ ପେନସନଭୋଗୀଙ୍କ ନୂଆ ବା ସଂଶୋଧିତ ବେତନ ଓ ପେନ୍ସନ୍ ହୋଇଥାଏ। ସପ୍ତମ ବେତନ ଆୟୋଗ ୨୦୧୬ରେ ଲାଗୁ ହେବା ଦ୍ବାରା ସରକାରୀ କର୍ମଚାରୀମାନଙ୍କ ସର୍ବନିମ୍ନ ବେତନ ୧୮ ହଜାର ଟଙ୍କାକୁ ବୃଦ୍ଧି ପାଇଥିଲା। ଷଷ୍ଠ ବେତନ ଆୟୋଗ ସୁପାରିସ କାର୍ଯ୍ୟକାରୀ ହେବାପରେ କର୍ମଚାରୀମାନଙ୍କ ସର୍ବନିମ୍ନ ବେତନ ୭ ହଜାର ଟଙ୍କା ରହିଥିଲା। ସେହିଭଳି ଷଷ୍ଠ ବେତନ ଆୟୋଗରେ ପେନସନଭୋଗୀମାନଙ୍କ ସର୍ବନିମ୍ନ ପେନ୍ସନ୍ ରାଶି ୩୫୦୦ ଟଙ୍କା ଥିବାବେଳେ ସପ୍ତମ ବେତନ ଆୟୋଗ ଲାଗୁ ହେବା ପରେ ତାହା ୯ ହଜାର ଟଙ୍କାକୁ ବୃଦ୍ଧି ପାଇଥିଲା। ସେହିଭଳି ସପ୍ତମ ବେତନ ଆୟୋଗ
ପରେ କେନ୍ଦ୍ର ସରକାରଙ୍କ ଅଧିକାରୀମାନଙ୍କ ସର୍ବାଧିକ ବେତନ ଅଢ଼େଇ ଲକ୍ଷ ଟଙ୍କା ଏବଂ ସର୍ବାଧିକ ପେନ୍ସନ୍ ୧ ଲକ୍ଷ ୨୫ ହଜାର ଟଙ୍କା ଏବେ ରହିଛି। ୨୦୧୪ ଫେବ୍ରୁଆରିରେ ସପ୍ତମ ବେତନ ଆୟୋଗ ଗଠନ ହୋଇଥିଲା ଏବଂ ୨୦୧୬ ଜାନୁଆରି ପହିଲାରୁ କର୍ମଚାରୀ ଓ ପେନ୍ସନ୍ଭୋଗୀମାନେ ବର୍ଦ୍ଧିତ ହାରରେ ବେତନ ଓ ପେନ୍ସନ୍ ପାଇଥିଲେ।
ତେବେ ଅଷ୍ଟମ ବେତନ ଆୟୋଗରେ ଫିଟ୍ମେଣ୍ଟ୍ ଫ୍ୟାକ୍ଟର ୨.୮୬ ରହିବ ବୋଲି ଆଶା କରାଯାଉଛି। ଯଦି କମିସନ ଏହି ଆଧାରରେ ସୁପାରିସ କରନ୍ତି ଏବଂ କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରନ୍ତି ତା’ହେଲେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀଙ୍କ ସର୍ବନିମ୍ନ ଦରମା ଓ ପେନ୍ସନ୍ ୧୮୬ ପ୍ରତିଶତ ବୃଦ୍ଧି ଘଟିବ। ଫଳରେ କେନ୍ଦ୍ର କର୍ମଚାରୀମାନଙ୍କ ସର୍ବନିମ୍ନ ଦରମା ୫୧,୪୮୦ ଟଙ୍କା ହେବ। ସେହିଭଳି ସର୍ବନିମ୍ନ ପେନ୍ସନ୍ ୨୫,୭୪୦ ଟଙ୍କା ହେବ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ