ଆପଣ ଡେରିରେ ଶୋଇ ଡେରିରେ ଉଠୁଛନ୍ତି କି? ତେବେ ଏଥିପାଇଁ ଚିନ୍ତା କରନ୍ତୁ ନାହିଁ। ୩୭ ବର୍ଷ ଧରି କରାଯାଇଥିବା ଅଧ୍ୟୟନ ରିପୋର୍ଟ ଅନୁଯାୟୀ, ଧୂମପାନ କିମ୍ବା ମଦ୍ୟପାନର ଅଭ୍ୟାସ ନଥିଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାହିଁଲେ ମଧ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଉତ୍ପନ୍ନ ହୁଏନାହିଁ। ଏପରିକି ଶୀଘ୍ର ଶଯ୍ୟା ତ୍ୟାଗ କରୁଥିବା ବ୍ୟକ୍ତିଙ୍କ ତୁଳନାରେ ମଧ୍ୟ ସେମାନଙ୍କ ଶୀଘ୍ର ମୃତ୍ୟୁ ହୁଏ ନାହିଁ। ଶୋଇବା କିମ୍ବା ଉଠିବାର ସମୟ ପଛରେ ମୃତ୍ୟୁର କୌଣସି ସମ୍ପର୍କ ନାହିଁ। ଏହି ତଥ୍ୟ ଅନେକଙ୍କୁ ଆଶ୍ବସ୍ତ କରିଦେବ। କାରଣ ପୂର୍ବର ଏକ ଗବେଷଣାରେ ବିପରୀତ ତଥ୍ୟ ଦିଆଯାଇଥିଲା।
ଏହି ଅନୁଯାୟୀ, ରାତିରେ ଚେଉଁଥିବା ବ୍ୟକ୍ତିମାନଙ୍କୁ ସକାଳୁ ଶୀଘ୍ର ଉଠିବା କଷ୍ଟକର ହୋଇଥାଏ। ସେମାନେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏପରିକି ୨୦୧୮ ମସିହାରେ ବ୍ରିଟେନର ଅନୁଧ୍ୟାନ ରିପୋର୍ଟରେ, ସକାଳେ ଉଠୁଥିବା ମଣିଷ ତୁଳନାରେ ସଂଧ୍ୟାରେ ଉଠୁଥିବା ବ୍ୟକ୍ତିଙ୍କ ମୃତ୍ୟୁର ଆଶଙ୍କା ୧୦ ପ୍ରତିଶତ ଅଧିକ ବୋଲି କୁହାଯାଇ ଥିଲା। ମାତ୍ର ଏବେ ଜଣାପଡ଼ିଛି ଯେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଉଁଥିବା ବ୍ୟକ୍ତିଙ୍କ ମୃତ୍ୟୁର କାରଣ ଶୋଇବାରେ ବିଳମ୍ବତା ନୁହେଁ ବରଂ ଧୂମପାନ ଏବଂ ମଦ୍ୟପାନ ଅଟେ। ୧୯୮୧ ମସିହାରେ ଗୋଟିଏ ଲିଙ୍ଗର ୨୪ ହଜାର ଯମଜ ଭଉଣୀ କିମ୍ବା ଭାଇଙ୍କୁ ନେଇ ଫିନଲାଣ୍ଡରେ ଗବେଷଣା କରାଯାଇ ଥିଲା। ଏହି ଅବସରରେ ଗୋଟିଏ ପ୍ରଶ୍ନ ପଚରାଯାଇଥିଲା ଯେ ସେମାନେ ସକାଳ କିମ୍ବା ସଂଧ୍ୟା କେଉଁଭଳି ମଣିଷ ଅଟନ୍ତି। ଏଥିରୁ ୧୦ ପ୍ରତିଶତ ନିଜକୁ ସଂଧ୍ୟାର ମଣିଷ ବୋଲି କହିଥିଲେ। ଏକ ତୃତୀୟାଂଶ ନିଜକୁ ସଂଧ୍ୟାର ମଣିଷ କୁହାଯାଇ ପାରେ ବୋଲି କହିଥିଲେ। କିନ୍ତୁ ବାକିମାନେ ନିଜକୁ ସକାଳ ମଣିଷ ବୋଲି କହିଥିଲେ। ସଂଧ୍ୟାର ମଣିଷଙ୍କ ମଧ୍ୟରୁ ଅଧିକାଂଶଙ୍କ ମଦ୍ୟପାନ ଏବଂ ଧୂମପାନର ଅଭ୍ୟାସ ରହିଥିଲା। ୨୦୧୮ ମସିହାରେ ଆଉ ଏକ ଅନୁଧ୍ୟାନ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ ୨୪ ହଜାରରୁ ୮୭୦୦ ଯମଜଙ୍କ ମୃତ୍ୟୁ ହୋଇସାରିଛି।
୩୭ ବର୍ଷ ଧରି କରାଯାଇଥିବା ଗବେଷଣାରୁ ଏହା ସ୍ପଷ୍ଟ ହୋଇଥିଲା ଯେ ରାତିରେ ଚେଉଁଥିବା ବ୍ୟକ୍ତିଙ୍କ ମୃତ୍ୟୁର ଆଶଙ୍କା ୯ ପ୍ରତିଶତ ଅଧିକ ଥାଏ। କିନ୍ତୁ ଏଥିପାଇଁ ମୁଖ୍ୟତଃ ଧୂମପାନ ଏବଂ ମଦ୍ୟପାନ ହିଁ ଦାୟୀ। ଉଦାହରଣ ସ୍ବରୂପ ରାତିରେ ଦୀର୍ଘ ସମୟ ଧରି ଚେଉଁଥିବା ବ୍ୟକ୍ତିଙ୍କ ଧୂମପାନ କିମ୍ବା ମଦ୍ୟପାନ ଅଭ୍ୟାସ ନଥିଲେ କିମ୍ବା ସାମାନ୍ୟ ଅଭ୍ୟାସ ଥିଲେ ସେମାନଙ୍କ ଶୀଘ୍ର ମୃତ୍ୟୁ ହେଉ ନାହିଁ। ତେଣୁ ସଂଧ୍ୟାର ମଣିଷମାନେ ସେମାନଙ୍କ ଧୂମପାନ ଏବଂ ମଦ୍ୟପାନ ଅଭ୍ୟାସ ନେଇ ଗଭୀର ଭାବରେ ଚିନ୍ତା କରିବାର ସମୟ ଆସିଯାଇଛି। ମଣିଷ କେଉଁ ସମୟରେ ଶୋଉଛି କିମ୍ବା ଉଠୁଛି ଏହା ସହିତ ସେମାନଙ୍କ ମୃତ୍ୟୁର କୌଣସି ସମ୍ପର୍କ ନାହିଁ। ଆଉ କିଛି ସମାଲୋଚକ ଏହି ଅଧ୍ୟୟନର କେତୋଟି ତ୍ରୁଟି ଚିହ୍ନଟ କରିଛନ୍ତି। ତାଙ୍କ ଅନୁସାରେ, ଧୂମପାନ କିମ୍ବା ମଦ୍ୟପାନ ବ୍ୟତୀତ ଅନ୍ୟ କେଉଁ ପ୍ରକାର ନିଶା ମୃତ୍ୟୁର କାରଣ ହୋଇଥାଏ ଏହି ଅଧ୍ୟୟନରେ ତାହା ଦର୍ଶାଯାଇ ନାହିଁ। ବିଳମ୍ବିତ ସମୟ ପର୍ଯ୍ୟନ୍ତ ରାତିରେ ଚେଉଁଥିବା ବ୍ୟକ୍ତି ବିଭିନ୍ନ ପ୍ରକାର ମାନସିକ ଦୁଶ୍ଚିନ୍ତାର ଶିକାର ହେଉଥିବା ନେଇ ଆଉ ଏକ ଅଧ୍ୟୟନ ମଧ୍ୟ କରାଯାଉଛି।
More Stories
ଅଳ୍ପ ବୟସରୁ କାହିଁକି ହେଉଛି ଆର୍ଥରାଇଟିସ୍
ପିଲାଙ୍କ ଚିଡଚିଡା ପଣକୁ କମାଉଛି ଓମେଗା-3
ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ଖାଆନ୍ତୁ ଏହି ଖାଦ୍ୟ…