୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସକାଳ ୮ଟାରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନ୍ଭେନଶନ୍ ସେଣ୍ଟରଠାରେ ଅନୁଷ୍ଠିତ ଡିଜିପି ସମ୍ମିଳନୀରେ ଯୋଗଦେବେ। ଏହା ପୂର୍ବରୁ ଶୁକ୍ରବାର ଅପରାହ୍ନରେ ମୋଦି ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍ବୋଧନଦେବା ପରେ ରାଜଭବନରେ କିଛି ସମୟ ବିତାଇ ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ନିର୍ବାଚନ ପରେ ପ୍ରଥମ ଥର ଦଳୀୟ କାର୍ଯ୍ୟାଳୟ ଯାଇ ଦଳର ବିଧାୟକ, ମନ୍ତ୍ରୀ, ଏମ୍ପି ଏବଂ ପଦାଧିକାରୀଙ୍କ ସହ ଦୀର୍ଘ ସମୟ ଧରି ବୈଠକ କରିଛନ୍ତି। ମୋଦି ତାଙ୍କ ଗସ୍ତସୂଚୀ ଅନୁଯାୟୀ ରାଜଭବନରୁ ବାହାରି ୩ ମିନିଟ୍ ବିଳମ୍ବ ଅର୍ଥାତ୍ ୬ଟା ୩୦ ପରିବର୍ତ୍ତେ ୬ଟା ୩୩ ମିନିଟ୍ରେ ଦଳୀୟ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଦଳର ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟନେତାମାନେ ସ୍ବାଗତ କରିଥିଲେ। ପୂର୍ବ ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ୨ ଘଣ୍ଟା ଦଳୀୟ ନେତା, ମନ୍ତ୍ରୀ ଓ ପଦାଧିକାରୀଙ୍କ ସହ ବୈଠକ କରିବା କାର୍ଯ୍ୟକ୍ରମ ରହିଥିଲା। ହେଲେ ମୋଦି ୨ ଘଣ୍ଟା ବଦଳରେ ଦଳୀୟ କାର୍ଯ୍ୟାଳୟରେ ପ୍ରାୟ ସାଢ଼େ ୩ ଘଣ୍ଟା ରହିଥିଲେ। ମୋଦି ନିର୍ଦ୍ଦିଷ୍ଟ ଭାବେ କାହା ସହ କେତେ ସମୟ ଆଲୋଚନା କରିଥିଲେ ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁଁ। ବୈଠକ ଶେଷ ହେବା ପରେ ଗଣମାଧ୍ୟମ ଆଗରେ ମଧ୍ୟ କେହି ହେଲେ କ’ଣ ବୈଠକ ହେଲା କେଉଁ ବିଷୟରେ ଆଲୋଚନା ହେଲା ସେନେଇ କିଛି ସ୍ପଷ୍ଟ ମତ ରଖିନାହାନ୍ତି। ଅନେକ ନେତା ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ଏଡ଼ାଇଯାଇଥିଲେ। ଅନ୍ୟପକ୍ଷରେ ବୈଠକରେ ଯୋଗଦେବା ଲାଗି ଦଳୀୟ କାର୍ଯ୍ୟାଳୟଠାରେ ବିଧାୟକ, ଏମ୍ପି, ମନ୍ତ୍ରୀ ପ୍ରମୁଖ ପହଞ୍ଚିଥିଲେ। ହେଲେ ପୋଲିସ ସମସ୍ତଙ୍କ କାର୍ଡକୁ ତନ୍ନତନ୍ନ କରି ଦେଖିବା ପରେ ଭିତରକୁ ଛାଡ଼ିଥିଲେ।
୨ ଘଣ୍ଟା ପରିବର୍ତ୍ତେ ସାଢେ ୩ ଘଣ୍ଟା ରହିବାର କାରଣ କ’ଣ ସେନେଇ କିଛି ଜଣାପଡ଼ି ନାହିଁ। ପ୍ରଧାନମନ୍ତ୍ରୀ ଭିତରେ ଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନମୋହନ ସାମଲ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଦଳୀୟ କାର୍ଯ୍ୟାଳୟ ଗେଟ୍ ପାଖରେ ଠିଆହୋଇ ଅନେକ ସମୟ ଧରି କଥାବାର୍ତ୍ତା ହେଉଥିଲେ। ଏହାପରେ ୩ ଜଣ ନେତା ରାସ୍ତା ଆଡ଼କୁ ଆସି ପୁଣି ଥରେ କିଛି ସମୟ ଭିତରେ ଭିତରକୁ ଚାଲିଯାଇଥିଲେ। ପ୍ରଧାନମନ୍ତ୍ରୀ ବୈଠକ ଶେଷହେବା ପରେ ତାଙ୍କ ଏକ୍ସ ଆକାଉଣ୍ଟରେ ପୋଷ୍ଟକରି କହିଛନ୍ତି, ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାମାନଙ୍କ ସହ କଥାବାର୍ତ୍ତା ହେଲା। ଦଳକୁ ରାଜ୍ୟରେ କିପରି ସଙ୍ଗଠିତ କରିହେବ ଏବଂ ଲୋକମାନଙ୍କ ଜୀବନଶୈଳୀକୁ ଭଲ କରିବା ଲାଗି କ’ଣ କରିବା ଦରକାର ସେନେଇ ଆଲୋଚନା ହେଲା। ଏହାସହ ସେ ୪ଟି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ହେଲେ ମୋଦି ଏହି ଅବସରରେ କ’ଣ କଥା ହୋଇଛନ୍ତି ତାହା ଜଣାପଡ଼ି ନାହିଁ।
ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ମନମୋହନ କହିଛନ୍ତି, ନୂଆ ସରକାର ଆସିବା ପରେ ସମସ୍ତ ବିଧାୟକ, ଏମ୍ପି, ପଦାଧିକାରୀଙ୍କ ସହ ଆଲୋଚନାକଲେ। ସମସ୍ତଙ୍କ ସହ ସୁଖଦୁଃଖ ବିଷୟରେ ଆଲୋଚନାକଲେ। ସାଙ୍ଗଠନିକ ବିଷୟରେ କିଛି ଆଲୋଚନା ହୋଇ ନାହିଁ ବୋଲି ସେ କହିଛନ୍ତି। ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ଅତ୍ୟନ୍ତ ସାଧାରଣ ଭାବେ କଥାବାର୍ତ୍ତା ହୋଇଥିଲେ। ଏଭଳି ଜଣେ ବ୍ୟକ୍ତିତ୍ୱ ଯାହାଙ୍କ ସହ ପଦେ କଥା ହେଲେ ଆତ୍ମସନ୍ତୋଷ ମିଳେ। ଅନେକ କଥା ତାଙ୍କ ଠାରୁ ଜାଣିବାକୁ ଓ ଶିଖିବାକୁ ମିଳେ। ଲୋକଙ୍କ ବିଶ୍ୱାସଭାଜନ ହେଲେ ଲମ୍ବା ସମୟ ଧରି ସରକାରରେ ରହିହେବ। ସେଥିଲାଗି କ’ଣ କରିବା ଦରକାର ତାହା ଉପରେ ଚର୍ଚ୍ଚା ହେଲା। ବହୁ ରିଲାକ୍ସ ମୁଡ୍ରେ କଥାବାର୍ତ୍ତା ହେଲେ। ସାର୍ବଜନୀନ ଜୀବନରେ ଆଚରଣ ଉଚ୍ଚାରଣ କିଭଳି ହେବା ଦରକାର ସେନେଇ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଲେ ବୋଲି ସେ କହିଛନ୍ତି। ବିଧାୟକ ଲକ୍ଷ୍ମଣ ବାଗ୍ କହିଛନ୍ତି, ଲୋକଙ୍କ ପାଇଁ କିଭଳି କାମ କରିବାକୁ ହୁଏ ସେ ବିଷୟରେ ମୋଦି କହିଲେ। ଜଣେ ଦଳୀୟ କର୍ମକର୍ତ୍ତା ଭଳି ଆମମାନଙ୍କ ସହ ମିଶିଲେ। ଯେଭଳି ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କଥା ହୁଅନ୍ତି ସେପରି ଆଜି କଥା ହେଲେ ବୋଲି ସେ କହିଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କ ସହ ମିଶି ରାତ୍ରିଭୋଜନ କରିଛନ୍ତି। ଓଡ଼ିଆ ଖାଦ୍ୟର ଆୟୋଜନ କରାଯାଇଥିଲା। ରାତି ପ୍ରାୟ ୧୦ଟା ବେଳକୁ ପ୍ରଧାନମନ୍ତ୍ରୀ ରାଜଭବନ ଅଭିମୁଖେ ବାହାରିଯାଇଛନ୍ତି।
More Stories
ଭାରତ ପାଇଁ ପରବର୍ତ୍ତୀ ରାସ୍ତା କଣ?
ଆଞ୍ଚଳିକ ଦଳ ଏବଂ ମିଳିତ ମଞ୍ଚର ପ୍ରଭାବ..
ସମ୍ବେଦନଶୀଳ ପ୍ରସଙ୍ଗ ଆଣିଲା ସଫଳତା..