The Topmost

“The eyes believe themselves, the ears believe other people.”

ଏଣ୍ଟ୍ରାନ୍ସ୍ ନୁହେଁ ସ୍ପଷ୍ଟରେ ହେବ ପିଜି, ବିଏଡ୍ ଓ ଏମଏଡ୍ ନାମଲେଖା

ଖାଲିଥିବା ଯୁକ୍ତ ତିନି, ପିଜି ଏବଂ ୨ ବର୍ଷିଆ ବିଏଡ୍ ପାଠ୍ୟକ୍ରମ ସିଟ୍ରେ ହେବ ନାମଲେଖା । ସାମ୍ସ ପୋର୍ଟାଲ୍ ମାଧ୍ୟମରେ ହେବ ନାମଲେଖା । ଏନେଇ ଶୁକ୍ରବାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପକ୍ଷରୁ ‘ଏକ୍ସ’ରେ ସୂଚନା ଦିଆଯାଇଛି ।

ମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ଛାତ୍ରଛାତ୍ରୀ, ଅଭିଭାବକ ଓ ଶୈକ୍ଷିକ ସମାଜର ଆଗ୍ରହରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ଶିକ୍ଷାନୁଷ୍ଠାନରେ ଖାଲିଥିବା ସିଟ୍ର ପରିସଂଖ୍ୟାନକୁ ଆଖିରେ ରଖି ନାମଲେଖା ହେବ ।

ଅନ୍ୟପଟେ ନାମଲେଖା ପ୍ରକ୍ରିୟା ଆରମ୍ଭ ଲାଗି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୧ ତାରିଖରୁ ସାମ୍ସ ୱେବ୍ସାଇଟ୍ରେ ଆବେଦନର ସୁଯୋଗ ମିଳିବ । ୧୫ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ । ୧୯ ତାରିଖରେ ର୍ୟାଙ୍କ ଲିଷ୍ଟ ପ୍ରକାଶ ପାଇବ । ୨୧ ତାରିଖ ନାମଲେଖା ପାଇଁ ମନୋନୀତ କଲେଜ, ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ରିପୋର୍ଟିଂ କରିବେ । ସ୍ପଟ୍ ନାମଲେଖା ପାଇଁ ନିଜର ଡକ୍ୟୁମେଣ୍ଟ ଦାଖଲ କରିବେ । ପରେ ସେଠାରେ ନାମଲେଖାର ମେରିଷ୍ଟ ଲିଷ୍ଟ ପ୍ରକାଶ ପାଇବ । ଏହି ଆଧାରରେ ଉଚ୍ଚଶିକ୍ଷାନୁଷ୍ଠାମାନେ ନାମଲେଖାଇବେ । ଏନେଇ ସମସ୍ତ ସୂଚନା ସାମ୍ସ ୱେବ୍ସାଇଟ୍ରେରେ ପ୍ରକାଶ ପାଇବ ।

ରାଜ୍ୟରେ ସ୍ନାତକ ତଥା ଯୁକ୍ତ ତିନି ନାମଲେଖା ପାଇଁ ୨ ଲକ୍ଷ ୭୪ ହଜାର ୩୪୩ ସିଟ୍ ଥିବା ବେଳେ ୨ ଲକ୍ଷ ୩ ହଜାର ୯୨୩ ସିଟ୍ରେ ନାମଲେଖା ହୋଇଛି । ଆହୁରି ୭୦ ହଜାର ୪୨୦ ସିଟ୍ ଖାଲି ପଡ଼ିଛି । ସେହିପରି ସ୍ନାତକୋତ୍ତର ତଥା ପିଜି ନାମଲେଖା ପାଇଁ ୨୯ ହଜାର ୫୫୯ ସିଟ୍ ଥିବା ବେଳେ ୭୫୮୪ ସିଟ୍ ଖାଲି ପଡ଼ିଛି । ସେହିପରି ବିଏଡ୍ ଓ ଏମ୍ଏଡ୍ ନାମଲେଖା ପାଇଁ ୨୭୫୦ ସିଟ୍ ଥିବା ବେଳେ ଆହୁରି ୫୬ ସିଟ୍ ଖାଲି ପଡ଼ିଛି ।