The Topmost

“The eyes believe themselves, the ears believe other people.”

ଲୁଗା ଖୋଲି ପିଟିଲେ ସରପଞ୍ଚଙ୍କ ସ୍ବାମୀ

ପଞ୍ଚାୟତ ଦୁର୍ନୀତି ସମ୍ପର୍କରେ ସୂଚନା ଅଧିକାର ଆଇନ (ଆର୍ଟିଆଇ) ବଳରେ ତଥ୍ୟ ମାଗିବାରୁ ଦମ୍ପତିଙ୍କୁ ଏହାର କରୁଣ ପରିଣତି ଭୋଗିବାକୁ ପଡ଼ିଛି। ସୂଚନା ମାଗିଥିବା ଏହି ଦମ୍ପତିଙ୍କ ଘରେ ପଶି କିଛି ଅସାମାଜିକ ଯୁବକ (ବିଜେଡି କର୍ମୀ) ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ପତ୍ନୀଙ୍କୁ ଘରୁ ଘୋଷାରି ଆଣି ରାସ୍ତାରେ ଅର୍ଦ୍ଧନଗ୍ନ କରି ପିଟିଛନ୍ତି।

ମହିଳାଙ୍କ ଲୁଗା, ଚୁଟିକୁ ରାସ୍ତା ଉପରେ ଭିଡ଼ିବା ସହିତ ମାଡ଼ ମାରିଛନ୍ତି।

ଭୟରେ ଉପସ୍ଥିତ ଲୋକମାନେ ଏହାର ପ୍ରତିବାଦ କରି ନଥିଲେ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ରାହାସୋଇ ପଞ୍ଚାୟତର ସୂଚନା ଅଧିକାର କର୍ମୀ ଅଶୋକ ପତିଙ୍କ ପତ୍ନୀ ଲଳିତାଙ୍କ ଉପରେ ହୋଇଥିବା ଏହି ଅମାନବୀୟ ଆକ୍ରମଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ମହିଳାଙ୍କୁ ଆକ୍ରମଣର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ବିଂଝାରପୁର ନିର୍ବାଚନମଣ୍ଡଳୀରେ ବିଜେଡି କର୍ମୀଙ୍କ ଏଭଳି ଗୁଣ୍ଡାରାଜ ସାଧାରଣ ଲୋକଙ୍କୁ ଆନ୍ଦୋଳିତ କରିଛି।

ସୂଚନା ଅନୁଯାୟୀ, ରାହାସୋଇ ଗ୍ରାମର ଅଶୋକ ପତି ପଞ୍ଚାୟତର ବିଭିନ୍ନ ଦୁର୍ନୀତିକୁ ବିରୋଧ କରିବା ସହ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ। ଫଳରେ କିଛି ଯୁବକ ତାଙ୍କ ଘରେ ପଶି ମାଡ଼ ମାରିବା ସହ ସ୍ତ୍ରୀ ଲଳିତାଙ୍କୁ ଭିଡ଼ି ନେଇ ରାସ୍ତା ଉପରେ ଘୋଷାରି ମାଡ଼ ମାରିଥିଲେ। ଗଳା ଧକ୍କା ଦେଇ ତଳେ ପକାଇ ଦେଇଥିଲେ। ଏ ସମ୍ପର୍କରେ ଲଳିତା ଥାନାରେ ଅଭିଯୋଗ କରିଛନ୍ତି। ରାହାସୋଇ ପଞ୍ଚାୟତର ସରପଞ୍ଚ ରୀତାଞ୍ଜଳି ଦ୍ବିବେଦୀଙ୍କ ସ୍ୱାମୀ ଶିବପ୍ରସାଦ ରଥ ଓରଫ ଟୁଲୁ, ବିଂଝାରପୁର ନିର୍ବାଚନମଣ୍ଡଳୀ ତଥା ଦଶରଥପୁର ବ୍ଲକ୍ର ବିଜେଡି କର୍ମୀ ଦୀପ୍ତିରଞ୍ଜନ ଓରଫ୍ ବାବୁ ପାଣିଗ୍ରାହୀ, ପୁଟୁଳି ସେଠୀ, ଟୁଲୁଆ ମଲ୍ଲିକ, ଧନା ସେଠୀଙ୍କ ସମେତ ବହୁ ଯୁବକ ଏହି ଘଟଣା ଘଟାଇଥିବା ଅଭିଯୋଗ ହୋଇଛି। ଦଶରଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତ ଦମ୍ପତିଙ୍କୁ ଉଦ୍ଧାର କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି। ତେବେ ଏ ନେଇ କୌଣସି ମାମଲା ରୁଜୁ ହୋଇନାହିଁ। ଏହି ଘଟଣାରେ ଦୀପ୍ତିରଞ୍ଜନ ପାଣିଗ୍ରାହୀ ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି। ତଦନ୍ତ ପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ବଦ୍ରିକାନାଥ ବେହେରା କହିଛନ୍ତି।

SHARE BY