The Topmost

“The eyes believe themselves, the ears believe other people.”

ଦାନା ପରେ ଏବେ 16 ଜିଲ୍ଲାକୁ ବନ୍ୟା ଭୟ

ରାତି ପ୍ରାୟ ୧୨ଟା ୫ ମିନିଟ୍ରେ ଭିତରକନିକା ଓ ଧାମରା ପାଖରେ ମାଡ଼ ହୋଇଛି ବାତ୍ୟା ଦାନା । ପ୍ରଚଣ୍ଡ ପବନ ସହ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ସମୁଦ୍ର ଜୁଆର ବି ଡରାଇଲା ଭଳି ମାଡ଼ ହୋଇଛି । ପାଖାପାଖି ୧୦୦ କିଲୋମିଟର ଗୋଲେଇରେ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ତାଣ୍ଡବ ରଚାଇଛି । ଭାରତୀୟ ପାଣିପାଗ ବିଭାଗର ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଭୀଷଣକାୟ ବାତ୍ୟାର ଲ୍ୟାଣ୍ଡଫଲ୍ (ସ୍ଥଳଭାଗରେ ପ୍ରବେଶ କରିବା) ପ୍ରକ୍ରିୟା ପ୍ରାୟ ସକାଳ ଯାଏ ଲାଗି ରହିଥିଲା । ସ୍ଥଳଭାଗ ଛୁଇଁବା ବେଳକୁ ପବନ ପିଟୁଥିଲା ୧୦୦ରୁ ୧୧୦ କିଲୋମିଟର ବେଗରେ ।

କେନ୍ଦ୍ରାପଡ଼ାର ରାଜନଗର, ଗୁପ୍ତୀ, ଜମ୍ବୁ, ମହାକାଳପଡ଼ା, ମାର୍ଶାଘାଇ, ପଟ୍ଟାମୁଣ୍ଡାଇରେ କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଖବର ମିଳିଛି । ବହୁ ସ୍ଥାନରେ ଗଛ ଭାଙ୍ଗି ଉପୁଡ଼ି ଯିବା ସହ କିଛି କଚ୍ଚା ଘର ନଷ୍ଟ ହୋଇଛି । ଚାଳ ଓ ପଲିଥିନ ଛପର ଉଡ଼ାଇ ଦେଇଛି । କିନ୍ତୁ ଯେଭଳି ଆଶଙ୍କା ହେଉଥିଲା ସେଭଳି ଭୟାନକ ପବନ ଓ ବର୍ଷା ହୋଇନି । ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଲଗାଣ ବର୍ଷା ହୋଇଛି ।

ବିଳମ୍ବିତ ରାତିରେ ପବନର ସୁ-ସୁ ଶବ୍ଦ ସାଙ୍ଗକୁ ବାଦଲଫଟା ବର୍ଷା କେନ୍ଦ୍ରାପଡ଼ା ଓ ଭଦ୍ରକର ଉପକୂଳ ଅଞ୍ଚଳକୁ ଡରାଇ ଦେଇଥିଲା । ପ୍ରବଳ ବର୍ଷାରେ ହାତଗଣତି ତଳିଆ ଅଞ୍ଚଳରେ ପାଣି ପଶିଥିଲା । ‘ଦାନା’ର ସମ୍ଭାବ୍ୟ ଗତିପଥ ଓ ପୂର୍ବାନୁମାନ ଯାହା, ଶୁକ୍ରବାର ରାତି ସାଢ଼େ ୧୧ଟା ଯାଏ ବାତ୍ୟାର ପ୍ରକୋପ ଥମିବନି । ୧୬ ଜିଲ୍ଲାରେ ଆକସ୍ମିକ ବନ୍ୟା ମାଡ଼ି ଆସିବା ଆଶଙ୍କା ଏବେ ବି ଟଳିନି । ପାଣିପାଗ ବିଭାଗ ଏହା ସତର୍କ କରାଇଛି ।

ଗୁରୁବାର ମଝି ରାତିରୁ ବାତ୍ୟା ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ରାତି ସାଢ଼େ ୧୧ଟାରେ ଭୀଷଣ ବାତ୍ୟା ରୂପରେ ଗହୀରମଥା ପାଖ ଚେନ୍ନାଇ-କଲିକତା ଫେରି(ଜାହାଜ ଚଳାଚଳ) ରୁଟ୍ ପାଖରେ ପହଞ୍ଚିଥିଲା । ଗୁରୁବାର ମଧ୍ୟ ରାତ୍ରିରେ ଭିତରକନିକା ଭିତରେ ପଶିଲା । ସେତେବେଳେ ଏହା ଭୀଷଣ ବାତ୍ୟା ରୂପରେ ଥିଲା । ରାଜନଗର ପାଖରେ ଘଷି ହୋଇ ଆଗକୁ ବଢ଼ିଲା । ସମ୍ଭାବ୍ୟ ଗତିପଥ ଯାହା, ବାତ୍ୟା କେନ୍ଦ୍ରାପଡ଼ା ପରେ ଭଦ୍ରକ ଦେଇ କେନ୍ଦୁଝର ଆଡ଼କୁ ମୁହାଁଇବ ।

ଶୁକ୍ରବାର ଦିନ ସାଢ଼େ ୧୧ଟା ବେଳକୁ ଚାନ୍ଦବାଲି ଦେଇ କେନ୍ଦୁଝରର ହାଟଡିହି ପାଖରେ ପହଞ୍ଚିବ । ସେଠାରେ ପହଞ୍ଚିବାବେଳକୁ ‘ଦାନା’ ଦୁର୍ବଳ ହୋଇ ବାତ୍ୟା ଅବସ୍ଥାକୁ ଖସି ଆସିଥିବ । ଶୁକ୍ରବାର ରାତି ସାଢ଼େ ୧୧ଟା ବେଳକୁ ହାଟଡିହିରୁ ଯାଜପୁରର ଦୈତାରୀ ଖଣି ଉପର ଦେଇ ତେଲକୋଇ ଆଡ଼କୁ ଯାଇପାରେ । ସେଠାରେ ଏହା ଆହୁରି ଦୁର୍ବଳ ହୋଇ ଗଭୀର ଅବପାତ ଅବସ୍ଥାକୁ ଖସିପାରେ । ପବନ ବେଗ କମିଲେ ବି ପ୍ରବଳ ବର୍ଷା ଆଶଙ୍କା ରହିଛି ।ତେଲକୋଇ ପାଖରେ ପହଞ୍ଚିଲାବେଳକୁ ଏହା ଅବପାତ କିମ୍ବା ଲଘୁଚାପ ଅବସ୍ଥାରେ ଥିବ । ୨୬ ତାରିଖ ବେଳକୁ ସୋନପୁର, ବୌଦ୍ଧ ଓ କନ୍ଧମାଳରେ ପହଞ୍ଚିପାରେ ।

ବାତ୍ୟା ପ୍ରଭାବରେ ଗୁରୁବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ପବନ ଆରମ୍ଭ ହୋଇଥିଲା । ଭଦ୍ରକର ଚାନ୍ଦବାଲି ଓ ଧାମରାରେ ୭୦ରୁ ୮୦ କିମି ବେଗରେ ପବନ ବହିଥିଲା ଅପରାହ୍ନରେ । ଏଥିରେ ଅନେକ ସ୍ଥାନରେ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିଲା । ବାତ୍ୟା କୋପରେ ଜୁଆର ଉଠିବାରୁ ଧାମରାର ଲଙ୍ଗରରେ ଲାଗିଥିବା ମାଛଧରା ଟ୍ରଲର ବୁଡ଼ି ଯାଇଥିଲା । ଆଉ କିଛି ଟ୍ରଲରରେ ଫସି ରହିଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି । ଭିତରକନିକା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବାବେଳେ କେନ୍ଦ୍ରାପଡ଼ାର ରାଜନଗର ଓ ମହାକାଳପଡ଼ାରେ ବର୍ଷା ଓ ପବନ ଜାରି ରହିଥିଲା ।

ପାରାଦୀପରେ ବି ଦିନ ତମାମ ବର୍ଷା ଲାଗି ରହିଥିଲା । ସନ୍ଧ୍ୟା ସୁଦ୍ଧା ପାରାଦୀପରେ ୪୦.୬ ମିମି ବର୍ଷା ହୋଇଥିବାବେଳେ ଚାନ୍ଦବାଲିରେ ୩୩.୯, ବାଲେଶ୍ୱରରେ ୨୭.୬, ପୁରୀରେ ୧୫.୭ ଓ ଭୁବନେଶ୍ୱରରେ ୧୫.୨ ମିମି ବର୍ଷା ହୋଇଛି । ପୁରୀର ଅସ୍ତରଙ୍ଗ ଓ କୋଣାର୍କରେ ବି ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଝିପିଝିପି ବର୍ଷା ଲାଗି ରହିଥିଲା । ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ୧୬ ଜିଲ୍ଲାରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ଅନୁଗୁଳ, ବାଲେଶ୍ୱର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତ୍ସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀରେ ଆକସ୍ମିକ ବନ୍ୟା ସ୍ଥିତି ଉପୁଜିପାରେ ।

ଶୁକ୍ରବାର ଯାଜପୁର, ଭଦ୍ରକ, ପୁରୀ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଅନୁଗୁଳରେ ଅତି ଭୀଷଣ ବର୍ଷା ଆଶଙ୍କା ଅଛି । ଏହି ୯ଟି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ନୟାଗଡ଼, ବୌଦ୍ଧ ଓ ସୋନପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏଠାରେ ୭୦ରୁ ୨୦୦ମିମି ବର୍ଷା ହୋଇପାରେ । ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଗଞ୍ଜାମ, କନ୍ଧମାଳ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ଆଶଙ୍କା ଅଛି ।

୨୬ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର ଓ କଳାହାଣ୍ଡିରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ଗୁରୁବାର ସନ୍ଧ୍ୟାରେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ, ବାତ୍ୟା ଲ୍ୟାଣ୍ଡଫଲ୍ ପରେ ପବନର ବେଗ ବଢ଼ି ୧୦୦ରୁ ୧୨୫ କିମି ଛୁଇଁପାରେ । ସମୁଦ୍ରରେ ଜୁଆର ଆସି ତଳିଆ ଅଞ୍ଚଳକୁ ଲୁଣି ପାଣି ମାଡ଼ି ଆସିପାରେ । ୧ରୁ ୨ ମିଟର ଉଚ୍ଚ ସାମୁଦ୍ରିକ ଜୁଆର ଉଠିପାରେ ।