The Topmost

“The eyes believe themselves, the ears believe other people.”

24 ବର୍ଷର ବଡ ଏନକାଉଣ୍ଟର, 31 ମୃତ

ସୀମାନ୍ତ ଛତିଶଗଡର ନାରାୟଣପୁର ଏବଂ ଦନ୍ତେୱାଡା ଜିଲ୍ଲାର ସୀମାବର୍ତ୍ତୀ ଜଂଗଲରେ ଗତ ଦୁଇ ଦିନ ତଳେ ହୋଇଥିବା ରାଜ୍ୟର ସବୁଠାରୁ ବଡ ଏନକାଉଣ୍ଟର ଘଟଣାରେ ୩୧ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା। ଛତିଶଗଡ଼ ରାଜ୍ୟ ଗଠନର ୨୪ ବର୍ଷରେ ଏହା ଥିଲା ବଡ ଏନକାଉଣ୍ଟର। ୩୧ ଜଣ ନକ୍ସଲ ମଧ୍ୟରୁ ୧୩ ଜଣ ମହିଳା ନକ୍ସଲ ଥିଲେ।ତେବେ ପୁଲିସ ଆବୁଝମାଡ ଜଂଗଲର ନେନ୍ଦୁର ଓ ଥୁଲଥୁଲି ଠାରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ନକ୍ସଲ ଏକତ୍ରିତ ହେଉଥିବା ଖବର ପାଇଥିଲା।

ତୁରନ୍ତ ଦନ୍ତେୱାଡାର ଡିଆରଜି ଏବଂ ନାରାୟଣପୁର ଜିଲ୍ଲାର ଏସଟିଏଫ ଯବାନ ଜଂଗଲରେ ପଶିଥିଲେ। ପ୍ରାୟତଃ ନକ୍ସଲ ଯବାନଙ୍କୁ ଆମ୍ବୁସରେ ଫସାଇ ମାରନ୍ତି। କିନ୍ତୁ ଏଥର ସେମାନଙ୍କର ଆମ୍ବୁସ ପ୍ଲାନକୁ ସେମାନଙ୍କ ଉପରେ ବ୍ୟବହାର କରାଯାଇଥିଲା। ନକ୍ସଲଙ୍କୁ ଆମ୍ବୁସରେ ଫସାଇ ଯବାନ ଘେରିଥିଲେ।ଅନ୍ୟପଟେ ନକ୍ସଲ ପଟରୁ ମଧ୍ୟ ମହିଳା ନକ୍ସଲମାନେ ଆଗରେ ରହି ଯବାନଙ୍କ ସହ ଲଢେଇ କରୁଥିଲେ, ଯାହାଫଳରେ ୧୩ ଜଣ ମହିଳା ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ୧୮ ଜଣ ପୁରୁଷ ମୃତ୍ୟୁବରଣ କରିଥିଲେ। ୪ ଘଣ୍ଟା ଧରି ଚାଲିଥିବା ଘମାଘୋଟ ଲଢେଇରେ ମହିଳା ନକ୍ସଲ ବନାମ ମହିଳା କମାଣ୍ଡୋଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଜଂଗଲରେ ମହିଳାଙ୍କ ଚିତ୍କାର କରୁଥିବା ଶଦ୍ଦ ହିଁ ସବୁଠାରେ ବେଶି ଶୁଣିବାକୁ ମିଳୁଥିଲା। ନକ୍ସଲ ନିଜକୁ ପ୍ରସ୍ତୁତ କରିବା ପୂର୍ବରୁ ସେମାନଙ୍କୁ ଉପରେ ବର୍ଷିଥିଲା ଅନବରତ ଗୁଳି।ନକ୍ସଲ ମଧ୍ୟ ପାଲଟା ଜବାବ ଦେଇଥିଲେ।

ତେବେ ବହୁ ନକ୍ସଲ ଖସି ପଳାଇବାରେ ସକ୍ଷମ ମଧ୍ୟ ହୋଇଛନ୍ତି। ୩୧ ଜଣ ନକ୍ସଲଙ୍କ ମଧ୍ୟରୁ ୧୬ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ଡିକେଏସଜେଡସିର ସଦସ୍ୟ ନୀତି, ଡିଭିସିଏମ ସୁରେଶ, ମୀନା ମଡକମ, ପିଏଲଜିଏ ସଦସ୍ୟ ଅର୍ଜୁନ, ସୁନ୍ଦର, ବୁଧୁରାମ, ସକ୍କୁ, ସୋହନ, ଫୁଲୋ, ବାସନ୍ତି, ସୋମେ, ଜମିଲା, ଏସିଏମ ରାମଦେବ, ସକଲୁ ଅରଫ ବିଜୟ, ଜମଲି ଏବଂ ସୋନୁ କୋର୍ରାମ।

ଏହି ନକ୍ସଲମାନଙ୍କ ଠାରୁ ଏକେ-୪୭ ବନ୍ଧୁକ ୪ଟି, ଏଲଏମଜି ଗୋଟିଏ, ଏସଏଲଆର ରାଇଫଲ ୬ଟି, ଇନସାସ ରାଇଫଲ ୩ଟି,୩୦୩ ରାଇଫଲ ୨ଟି ସହ ବହୁ ୟୁଜିବିଏଲ ଏବଂ ଅନ୍ୟ ବିସ୍ଫୋରକ ଓ ଗୋଳାବାରୁଦ ଜବତ କରାଯାଇଛି। ଏପରିକି ନକ୍ସଲ ନାଇଟ ଭିଜନ ବନ୍ଧୁକ ବ୍ୟବହାର କରୁଥିଲେ। ରାତିରେ ମଧ୍ୟ ଶତ୍ରୁକୁ ଏହି ଯନ୍ତ୍ର ଦ୍ବାରା ଅତି ନିକଟରେ ପାଉଥିଲେ।ରାତିରେ ଯୁଦ୍ଧ କରିବାରେ ସହଜ ହେଉଥିଲା। ମୃତ ନକ୍ସଲମାନଙ୍କ ଉପରେ ୧ କୋଟି ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଂକାର ପୁରସ୍କାର ରହିଥିଲା। ସରକାର ମହିଳାଙ୍କ କମାଣ୍ଡୋଙ୍କ ଏହି ସାହସିକତା ଏବଂ ବୀରତ୍ବର ସହ ଲଢେଇକୁ ପ୍ରଶଂସା କରିବା ସହ ପୁରସ୍କୃତ କରିବେ ବୋଲି ଜଣାପଡିଛି।