The Topmost

“The eyes believe themselves, the ears believe other people.”

ଇବ୍ରାହିମ୍ ଅକିଲ ମୁଣ୍ଡରେ 58 କୋଟି ପୁରସ୍କାର ଘୋଷଣା

ଶୁକ୍ରବାର ହିଜବୁଲ୍ଲା ଉତ୍ତର ଇସ୍ରାଏଲରେ ଏକ ବଡ଼ ଆକ୍ରମଣ କରିଛି । ହିଜବୁଲ୍ଲା ୧୪୦ରୁ ଅଧିକ ରକେଟ୍ ମାଡ଼ କରିଛି । ଏହା ପରେ ଇସ୍ରାଏଲ ସେନାର ପ୍ରତିଆକ୍ରମଣରେ ହିଜବୁଲ୍ଲାର ଶୀର୍ଷ କମାଣ୍ଡର ଇବ୍ରାହିମ ଅକିଲ ନିହତ ହୋଇଛି । ଲେବାନନର ସ୍ବାସ୍ଥ୍ୟ ଅଧିକାରୀଙ୍କ ଅନୁସାରେ, ଇସ୍ରାଏଲର ଏହି ଆକ୍ରମଣରେ ପ୍ରାୟ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ଇବ୍ରାହିମ୍ ଅକିଲର ମୃତ୍ୟୁକୁ ନେଇ କାହିଁକି ଦୁଃଖିତ ହିଜବୁଲ୍ଲା ? କାହିଁକି ଇବ୍ରାହିମକୁ ହତ୍ୟା କରି ଖୁସି ଇସ୍ରାଏଲ ?

ଇବ୍ରାହିମ ଅକିଲ ଜଣେ କୁଖ୍ୟାତ ଆତଙ୍କବାଦୀ ଥିଲା । ୧୯୮୩ରେ ଏକ ଭୟଙ୍କର ବିସ୍ଫୋରଣ ମାମଲାର ଦୋଷୀ ଇବ୍ରାହିମ ମୁଣ୍ଡ ଉପରେ ଥିଲା ୫୮ କୋଟି ଟଙ୍କାର ପୁରସ୍କାର ରାଶି । ଏହି ବିସ୍ଫୋରଣରେ ଆମେରିକା ଦୂତାବାସ ଏବଂ ଆମେରିକା ମେରାଇନ୍ ବାରାକରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ ବେରୁଟରେ ହିଜବୁଲ୍ଲାର ଏକ ବୈଠକ ଚାଲିଥିବା ବେଳେ ଇସ୍ରାଏଲ ସେନା ଏୟାର ଷ୍ଟ୍ରାଇକ କରିଥିଲା । ଏଥିରେ ଇବ୍ରାହିମ ଅକିଲର ମୃତ୍ୟୁ ହୋଇଛି ।

ଇବ୍ରାହିମକୁ ତହସୀନ ଏବଂ ଅବ୍ଦେଲକାଦର ନାଁରେ ମଧ୍ୟ ଜଣାଯାଉଥିଲା । ହିଜବୁଲ୍ଲାର ଟପ୍ ମିଲିଟାରି ବଡି ଜିହାଦ କାଉନସିଲ୍ର ଦ୍ବିତୀୟ ବଡ଼ ସଦସ୍ୟ ଥିଲା ଇବ୍ରାହିମ । ଗତ ଜୁଲାଇ ମାସରେ ହିଜବୁଲ୍ଲାର ଅନ୍ୟତମ ଶୀର୍ଷ ନେତା ଫୁଆଦ ଶୁକରକୁ ମଧ୍ୟ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରି ମାରିଥିଲା । ଶୁକର ଭଳି ଇବ୍ରାହିମ ମଧ୍ୟ ଜଣେ କୁଖ୍ୟାତ ଆତଙ୍କବାଦୀ । ତାକୁ ୧୯୮୦ ଦଶକରେ ଇସ୍ରାଏଲ ସେନା ଓ ଲେବାନନ ସହ ଲଢ଼ିବାକୁ ଇରାନ୍ ପ୍ରସ୍ତୁତ କରିଥିଲା । ଆମେରିକା ୨୦୧୯ରେ ଇବ୍ରାହିମ୍କୁ ଗ୍ଲୋବାଲ ଟେରୋରିଷ୍ଟ ତାଲିକାରେ ସାମିଲ କରିଥିଲା ।