ରାଉରକେଲା ଇସ୍ପାତ କାରଖନା(ଆର୍ଏସ୍ପି)ରେ ୩୦ ହଜାର କୋଟି ଟଙ୍କାର ସଂପ୍ରସାରଣ ପାଇଁ ଜମି ଜବରଦଖଲ ବାଧକ ସାଜିଛି। ୪୦/୫୦ ବର୍ଷ ହେଲା ବିଭିନ୍ନ ବସ୍ତିବାସୀ ଜମି ଜବରଦଖଲକରି ରହୁଥିବାରୁ ସେମାନଙ୍କୁ ଉଚ୍ଛେଦ ସମ୍ଭବ ହୋଇପାରୁନଥିଲା। ଫଳରେ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲିହୋଇଯାଇଥିଲା। ଏବେ ଏନେଇ ନୂଆ ଆଶା ଫିଟିଛି।
ଉଲ୍ଲେଖଯୋଗ୍ୟ, ଆର୍ଏସ୍ପିର ବାର୍ଷିକ ଉତ୍ତପ୍ତ ଧାତୁ ଉତ୍ପାଦନ କ୍ଷମତା ହେଉଛି ୪.୫ ମିଲିଅନ ଟନ୍ ଥିବାବେଳେ ଏହାକୁ ୯.୩ ମିଲିଅନ ଟନ୍କୁ ବୃଦ୍ଧି ପାଇଁ ଗତ ୨୦୨୧ ମସିହାରେ ସେଲ୍ କର୍ତ୍ତୃପକ୍ଷ ଆର୍ଏସ୍ପି ସଂପ୍ରସାରଣ ପାଇଁ ସବୁଜ ସଙ୍କେତ ଦେଇଥିଲେ। ଏଥିପାଇଁ ପ୍ରାୟ ୩୦ ହଜାର କୋଟି ବ୍ୟୟଅଟକଳ ରଖାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଆଇରନ ଓ ଷ୍ଟିଲ୍ ମିଲ୍, ନୂତନ କଞ୍ଚାମାଲ ହ୍ୟାଣ୍ଡଲିଂ ପ୍ଲାଣ୍ଟ୍, କୋକ୍ ଓଭେନ, ସିଣ୍ଟରିଂ ପ୍ଲାଣ୍ଟ୍, ବ୍ଲାଷ୍ଟ ଫର୍ଣ୍ଣେସ୍, ଷ୍ଟିଲ୍ ମେଲ୍ଟିଂ ସପ୍ ଓ ଅନ୍ୟାନ୍ୟ ସହାୟକ ୟୁନିଟ୍ ସ୍ଥାପନ କରିବାକୁ ଯୋଜନା ରହିଥିଲା। ଏହି ସଂପ୍ରସାରଣ ପାଇଁ ମୋଟ୍ ୨ ହଜାର ଏକର ଆବଶ୍ୟକ ହେଉଥିଲା। ଏହି ଜମି ବାବଦକୁ ବରକାନି ବସ୍ତି, ବାହାଗଡ଼ ବସ୍ତି, ଡିଜେଲ କଲୋନି ବସ୍ତି, ବିଜୁବନ୍ଧ ବସ୍ତି, ରେଙ୍ଗାଲି ବସ୍ତି, କାଟେ ବସ୍ତି ଓ ଗିରିଜଟୋଲି ବସ୍ତିରେ ଜବରଦଖଲ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ସଂପ୍ରସାରଣ ପ୍ରକଳ୍ପ ପାଇଁ ଏସବୁ ବସ୍ତିର ପାଖାପାଖି ୨୯୫ ପରିବାର ଉଚ୍ଛେଦ ହୋଇଥାନ୍ତେ। କିନ୍ତୁ ବସ୍ତିବାସିନ୍ଦା ଜମି ଅଧିଗ୍ରହଣକୁ ବିରୋଧ କରିଥିଲେ। ଆର୍ଏସ୍ପି ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଥିଲା, କିନ୍ତୁ ଜବରଦଖଲ ଉଚ୍ଛେଦ ସମ୍ଭବ ହୋଇନଥିଲା। ପରବର୍ତ୍ତୀ ସମୟରେ ଆର୍ଏସ୍ପି ପକ୍ଷରୁ ଆବଶ୍ୟକ ଜମି ପରିମାଣକୁ ୨ ହଜାର ଏକରରୁ ୧୨ ଶହ ଏକରକୁ ହ୍ରାସ କରାଯାଇଥିଲା। ଏହାସହ ଉଚ୍ଛେଦର ଶିକାର ବସ୍ତିବାସୀଙ୍କୁ ସ୍ଥାନାନ୍ତର ତଥା ଉପଯୁକ୍ତ କ୍ଷତିପୂରଣ ପ୍ୟାକେଜ୍ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। ତଥାପି ଜମି ଛାଡ଼ିବାକୁ ବସ୍ତିବାସୀ ସିଧାସଳଖ ମନା କରିଦେଇଥିଲେ। ଜରବଦଖଲ ଉଚ୍ଛେଦ ପାଇଁ ଗତ ତିନି ବର୍ଷ ହେଲା ଆର୍ଏସ୍ପି ପକ୍ଷରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କିଛି ସୁଫଳ ମିଳୁନଥିଲା। ବିଳମ୍ବ ହେଉପଛେ, ସବୁ ଆଶାଆଶଙ୍କାର ଅନ୍ତ ଘଟିଛି। ଖୋଦ୍ ମୁଖ୍ୟମନ୍ତ୍ରୀ ସମର୍ଥନ ଜଣାଇବାପରେ ସଂପ୍ରସାରଣ ପ୍ରକଳ୍ପ ବାସ୍ତବ ରୂପ ନେବାର ଆଶା ସଞ୍ଚାର ହୋଇଛି।
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍