The Topmost

“The eyes believe themselves, the ears believe other people.”

ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ନିକଟ କାନ୍ଥ କହେ କାହାଣୀ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମାତୃଭୂମିର ମୁକ୍ତି ପାଇଁ ଦେଶ-ବିଦେଶରେ ଆତ୍ମଗୋପନ କରି ବ୍ରିଟିସ୍‌ ବିରୋଧୀ ସଂଗ୍ରାମ ଚଳାଇଥିଲେ । ଛାତ୍ରାବସ୍ଥାରେ ତାଙ୍କ ମନରେ ବିପ୍ଳବର ନିଆଁ ଜାଗ୍ରତ ହୋଇଉଠିଥିଲା । ୧୮୯୭ ଜାନୁଆରି ଆଜିର ଦିନରେ ଐତିହାସିକ କଟକ ନଗରୀର ଓଡ଼ିଆ ବଜାରରେ ସେ ଜନ୍ମ ହୋଇଥିଲେ । ସେ ଥିଲେ ଅତ୍ୟନ୍ତ ମେଧାବୀ ଓ ବୁଦ୍ଧିମାନ । କୋଲକାତାର ପ୍ରେସିଡେନ୍‌ସି କଲେଜ୍‌ରେ ସ୍ନାତକ ଶ୍ରେଣୀର ଛାତ୍ର ଥିବା ବେଳେ ତାଙ୍କର ସଂଗ୍ରାମୀ ନେତୃତ୍ୱର ପରିଚୟ ମିଳିଥିଲା। ଭାରତୀୟ ଛାତ୍ରଙ୍କ ପ୍ରତି ମୁଖ୍ୟ ଅଧ୍ୟାପକ ଓଟନ୍‌ ସାହେବଙ୍କ ଦୁର୍ବ୍ୟବହାରର ପ୍ରତିବାଦ କରି ଧର୍ମଘଟର ନେତୃତ୍ୱ ନେଇଥିଲେ ସୁଭାଷ ।

ପରେ ସେ ଇଂଲଣ୍ଡ ଯାତ୍ରା କରି, ଆଇସିଏସ୍‌ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ଦେଶ ସେବାରେ ଜୀବନକୁ ଉତ୍ସର୍ଗ କରିଥିଲେ । ଦେଶବନ୍ଧୁ ଚିତ୍ତରଂଜନ ଦାସ ଥିଲେ ସୁଭାଷଙ୍କ ସଂଗ୍ରାମୀ ଜୀବନର ପ୍ରେରଣା ଓ ଦିଗ୍‌ଦର୍ଶକ। ସେ ଯୁବଗୋଷ୍ଠୀ ମଧ୍ୟରେ ବ୍ରିଟିସ୍‌ ବିରୋଧୀ ଉଗ୍ର ଜାତୀୟତାବୋଧର ନବଜାଗରଣ ସୃଷ୍ଟି କରିପାରିଥିଲେ । ଗାନ୍ଧୀଜିଙ୍କ ଆଦର୍ଶଗତ ମତ-ପାର୍ଥକ୍ୟରୁ ସୁଭାଷ କଂଗ୍ରେସ୍‌ ଛାଡ଼ି ଗଢ଼ିଥିଲେ ‘ଫର୍‌ଓ୍ଵାଡ୍‌ର୍ ବ୍ଲକ୍‌।’ ତାହା ପରେ ବିଦେଶରେ ‘ଆଜାଦ ହିନ୍ଦ ଫୌଜ’ ଗଢ଼ି ଏହାର ନେତୃତ୍ୱ ନେଇଥିଲେ। ‘ଆଜାଦ ହିନ୍ଦ ଫୌଜ’ର ଆହ୍ଵାନ ଥିଲା- ‘ଦିଲ୍ଲୀ ଚଲୋ’। ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’, ଦେଶବାସୀଙ୍କୁ ଏହି ବଜ୍ର ଆହ୍ଵାନ ଦେଇ ସେ ବ୍ରିଟିସ୍‌ ଶାସକଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଥିଲେ।

କଟକସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟର ମୁଖ୍ୟ ଗେଟ୍‌ କୁ ଯିବା ପୂର୍ବରୁ ରାସ୍ତାର ଦକ୍ଷିଣ ପାର୍ଶ୍ୱ ପାଚେରିରେ ନେତାଜୀଙ୍କ ଜୀବନର ବିଭିନ୍ନ ଘଟଣାକୁ ଚିତ୍ର ଅକାରରେ ଦର୍ଶାଯାଇଛି । ପ୍ରଥମ ପର୍ଯ୍ୟାୟରେ ନେତାଜୀଙ୍କ ଶୈଶବରୁ ଆଜାଦ୍‌ ହିନ୍ଦ୍‌ ଫୌଜ୍‌ ଗଠନ ପରର ଫଟୋ ଅଙ୍କା ଯାଇଛି । ଦ୍ୱିତୀୟରେ ନେତାଜୀଙ୍କ ଚିନ୍ତାଧାରା ଉପରେ ମହାତ୍ମା ଗାନ୍ଧୀ ଦେଇଥିବା ମନ୍ତବ୍ୟ ଓ ତାଙ୍କ ଚିନ୍ତାଧାରା ଉପରେ ନେତାଜୀ ଦେଇଥିବା ମନ୍ତବ୍ୟକୁ କାନ୍ଥରେ ଲେଖାଯିବା ସହ ଦୁଇଜଣଙ୍କ ଫଟୋକୁ ମଧ୍ୟ ଅଙ୍କାଯାଇଛି । ତୃତୀୟରେ ନେତାଜୀଙ୍କ ଜୀବନକୁ ବିଭିନ୍ନ ସମୟରେ ଆସିଥିବା ଅନେକ ଲୋକଙ୍କ ଫଟୋଚିତ୍ର ମଧ୍ୟ ଏଠାରେ ରହିଛି । ସେମାନଙ୍କ ମଧ୍ୟରେ ଅଦବ୍‌ ଖାନ୍‌, ଭଗତ ରାମ ତଲ୍‌ବାର, ଉତ୍ତମ ଚନ୍ଦ୍ର ମଲହୋତା, ଏମ୍‌.ଆକବର ସାହା, ଶିଶିର କୁମାର ବୋଷ ଅଛନ୍ତି ।

SHARE BY