The Topmost

“The eyes believe themselves, the ears believe other people.”

ସ୍ବାଧୀନତା ହାସଲରେ ନେତାଜୀଙ୍କ ସଂଘର୍ଷର ଭୂମିକା

ସଶସ୍ତ୍ର ଯୁଦ୍ଧ ବଳରେ ଭାରତକୁ ସ୍ବାଧୀନତା ପ୍ରଦାନ କରିବା ଲାଗି ସୁନିୟୋଜିତ ସଂଗ୍ରାମ କରିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଗାନ୍ଧୀଙ୍କ ଅହିଂସା ଉପାୟରେ ଭାରତୀୟମାନେ ସ୍ବାଧୀନତାର ସ୍ବାଦ ଚାଖିଲେ ସତ, କିନ୍ତୁ ସ୍ବାଧୀନତା ହାସଲରେ ନେତାଜୀଙ୍କ ସଂଘର୍ଷର ଭୂମିକା କିଛି କମ୍ ନୁହେଁ ।

୧୮୯୭ ଜାନୁଆରି ୨୩ ତାରିଖରେ ଜାନକୀ ନାଥ ଦାସ ଓ ପ୍ରଭାବତୀ ଦେବୀଙ୍କ ନବମ ସନ୍ତାନ ଭାବେ କଟକ ଠାରେ ସୁଭାଷ ଜନ୍ମ ନେଇଥିଲେ । ରେଭେନ୍‍ସା କଲିଜିଏଟ୍ ସ୍କୁଲରେ ପଢ଼ି ସେ ମାଟ୍ରିକ୍ ପରୀକ୍ଷାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ । ଛାତ୍ର ଜୀବନରେ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ତାଙ୍କୁ ଅନୁପ୍ରାଣିତ କରିଥିଲା । ୧୯୨୦ ମସିହା ଆଇସିଏସ୍ ପରୀକ୍ଷାରେ ସେ ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ପରେ ବ୍ରିଟିସ୍‌ଙ୍କ ଅତ୍ୟାଚାର ଦେଖି ସେ ସରକାରୀ ଚାକିରି ଛାଡ଼ିଦେଇଥିଲେ । ମହାତ୍ମା ଗାନ୍ଧୀଙ୍କ ଦ୍ବାରା ପ୍ରଭାବିତ ହୋଇ ପ୍ରଥମେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ସେ ୧୯୩୮ରେ ଜାତୀୟ କଂଗ୍ରେସର ସଭାପତି ହୋଇଥିଲେ ।

ଗାନ୍ଧୀ ଓ ନେହରୁଙ୍କ ସହ ଅସହମତି କାରଣରୁ ୧୯୩୯ରେ କଂଗ୍ରେସରୁ ଇସ୍ତଫା ଦେଇ ସୁଭାଷ ଫରଵାର୍ଡ ବ୍ଲକ୍ ନାମକ ଦଳ ଗଠନ କରିଥିଲେ । ଦ୍ବିତୀୟ ବିଶ୍ବଯୁଦ୍ଧରେ ଭାରତୀୟ ସମ୍ବଳ ଓ ସୈନିକଙ୍କ ନିୟୋଜନ ବିରୋଧରେ ସେ ଗଣଆନ୍ଦୋଳନ ସଂଗଠିତ କରିଥିଲେ । ଏଥିପାଇଁ ତାଙ୍କୁ ଗୃହବନ୍ଦୀ ରଖାଯାଇଥିଲା । ୧୯୪୧ରେ ଗୃହବନ୍ଦୀରୁ ଖସିଯାଇ ସୁଭାଷ ଭାରତୀୟ ସ୍ବାଧୀନତା ଲଢ଼େଇକୁ ସରହଦ ପାର ନେଇଯାଇଥିଲେ । ପ୍ରଥମେ ଜର୍ମାନୀ ପହଞ୍ଚି ରେଡିଓରେ ଭାରତୀୟଙ୍କୁ ଉଦ୍‍ବୋଧନ କରୁଥିଲେ । ସେଠାରୁ ସିଙ୍ଗାପୁର ଯାଇ ମୁଖ୍ୟତଃ ଭାରତୀୟ ଯୁଦ୍ଧ ବନ୍ଦୀଙ୍କୁ ନେଇ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ ।

ତାଙ୍କର ପ୍ରସିଦ୍ଧି ଓ ଲୋକପ୍ରିୟତା ଭାରତର ସୀମା ଅତିକ୍ରମ କରିଯାଇଥିଲା । ସେଥିପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ଦେଶର ମୁଖ୍ୟମାନେ ତାଙ୍କ ସମର୍ଥନରେ ଛିଡ଼ା ହୋଇଥିଲେ । ବ୍ରିଟିସ୍ ଶାସକଙ୍କ ସହ ଯୁଦ୍ଧ ପାଇଁ ଆଜାଦ ହିନ୍ଦ ଫୌଜ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ପ୍ରଥମେ ଆଣ୍ଡାମାନ ଓ ନିକୋବାର ଦ୍ବୀପପୁଞ୍ଜକୁ ମୁକ୍ତ କରାଯାଇଥିଲା । ୧୯୪୪ ମାର୍ଚ୍ଚରେ ଆଜାଦ ହିନ୍ଦ ଫୌଜ ଭାରତୀୟ ମାଟିରେ ପଦାର୍ପଣ କରିଥିଲା । ତେବେ ଦ୍ବିତୀୟ ବିଶ୍ବ ଯୁଦ୍ଧରେ ଜାପାନ ଓ ଜର୍ମାନୀର ପରାଜୟ ପରେ ସହାୟତା ବିନା ନେତାଜୀଙ୍କ ସେନାବାହିନୀକୁ ପଛକୁ ହଟିବାକୁ ପଡ଼ିଥିଲା । ୧୯୪୫ ମସିହା ଅଗଷ୍ଟ ୧୮ରେ ଏକ ବିମାନ ଦୁର୍ଘଟଣାରେ ତାଇଵାନ ଠାରେ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କର ମୃତ୍ୟୁ ଘଟିଥିବାର ଅନୁମାନ କରାଯାଏ ।