The Topmost

“The eyes believe themselves, the ears believe other people.”

ହିନ୍ଦୁତ୍ବକୁ ବେଶ୍ ଗୁରୁତ୍ବ ଦେଉଥିଲେ ସ୍ବାମୀ ବିବେକାନନ୍ଦଙ୍କ

ସମଗ୍ର ଦେଶରେ ଜାତୀୟ ଯୁବ ଦିବସ ବେଶ୍ ଜଣାଶୁଣା । ଦେଶର ଯୁବବର୍ଗଙ୍କ ପାଇଁ ଯୁଗେ ଯୁଗେ ପ୍ରଭାବୀ ହୋଇ ରହିଥିବା ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ଓ ଦର୍ଶନକୁ ସ୍ମରଣ କରିବା ଲାଗି ୧୯୮୫ ମସିହାରୁ ତାଙ୍କ ଜନ୍ମଦିନକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି । ସ୍ବାମୀ ବିବେକାନନ୍ଦ ୧୮୬୩ ମସିହା ଜାନୁଆରି ୧୨ ତାରିଖରେ ତତ୍କାଳୀନ ବେଙ୍ଗଲ ପ୍ରଦେଶର କଲିକତାଠାରେ ଏକ ବଙ୍ଗାଳୀ କାୟସ୍ଥ ପରିବାରରେ ନରେନ୍ଦ୍ରନାଥ ଦତ୍ତ ନାମରେ ଜନ୍ମଗ୍ରହଣ କରିଥିଲେ ।

ଊନବିଂଶ ଶତାବ୍ଦୀର ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସଦେବଙ୍କର ମୁଖ୍ୟ ଶିଷ୍ୟ ଥିବା ନରେନ୍ଦ୍ରନାଥ ବ୍ରହ୍ମଚର୍ଯ୍ୟ ପାଳନ ପୂର୍ବକ ସନ୍ନ୍ୟାସୀ ପାଲଟିବା ପରେ ସ୍ବାମୀ ବିବେକାନନ୍ଦ ନାମ ଧାରଣ କରିଥିଲେ । ବେଦାନ୍ତ ଓ ଯୋଗ ପରି ଭାରତୀୟ ଦର୍ଶନକୁ ପାଶ୍ଚାତ୍ୟ ରାଷ୍ଟ୍ରରେ ପରିଚିତ କରାଇବାରେ ବିବେକାନନ୍ଦଙ୍କର ପ୍ରମୁଖ ଭୂମିକା ଥିଲା । ବିଶେଷ କରି ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କର ପାର୍ଥିବ ପ୍ରଗତି ଓ ଭାରତୀୟ ଆଧ୍ୟାତ୍ମିକତା ପରସ୍ପର ପରିପୂରକ ଓ ଅନୁପୂରକ ବୋଲି ସେ ସାରା ବିଶ୍ବକୁ ବୁଝାଇବାକୁ ଚାହିଁଥିଲେ ।

ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ପୃଥିବୀବ୍ୟାପୀ ଅନ୍ତର୍ଧର୍ମୀୟ ସଚେତନତା ସୃଷ୍ଟି ପୂର୍ବକ ହିନ୍ଦୁତ୍ବକୁ ବିଶ୍ବର ଏକ ପ୍ରମୁଖ ଧର୍ମ ଭାବରେ ଉପସ୍ଥାପନା କରିବାରେ ମଧ୍ୟ ତାଙ୍କର ଅଦ୍ବିତୀୟ ଅବଦାନ ରହିଥିଲା । ସେହିପରି ଭାରତରେ ସମସାମୟିକ ହିନ୍ଦୁ ସଂସ୍କାର ଅଭିଯାନରେ ସେ ମଧ୍ୟ ଏକ ପ୍ରମୁଖ ଶକ୍ତି ସାଜିଥିଲେ ଏବଂ ଔପନିବେଶିକ ଭାରତରେ ଜାତୀୟତାବାଦ ବିଚାରଧାରା ପ୍ରସାରରେ ତାଙ୍କର ଅଦ୍ବିତୀୟ ଅବଦାନ ରହିଥିଲା। ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିସନ୍‌ ପରି ଆଧ୍ୟାତ୍ମିକ ସଂଗଠନର ସ୍ଥାପନା କରିଥିବା ଏହି ମନୀଷୀଙ୍କର ୧୯୦୨ ଜୁଲାଇ ୪ ତାରିଖରେ କଲିକତାର ବେଲୁର ମଠରେ ଦେହାବସାନ ଘଟିଥିଲା ।

SHARE BY