ସିରିଜ କବଜା ଲକ୍ଷ୍ୟରେ ଭାରତ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ର ତୃତୀୟ ମ୍ୟାଚ୍‌‌ ସ୍ଥାନୀୟ ବର୍ଷାପଡ଼ା ଷ୍ଟାଡିୟମ୍‌‌ରେ ମଙ୍ଗଳବାର ଖେଳାଯିବ। ଏହା ପୂର୍ବରୁ ବିଶାଖାପାଟଣା ଓ ଥିରୁଅନନ୍ତପୁରମରେ ଖେଳାଯାଇଥିବା ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ଯୁବ ଖେଳାଳିମାନଙ୍କୁ ନେଇ ଗଠିତ ଭାରତୀୟ ବ୍ୟାଟରମାନେ ନିଖୁଣ ବ୍ୟାଟିଂ କରି ଭାରତକୁ ଜିତାଇଛନ୍ତି। ତୃତୀୟ ଟି-୨୦ ଖେଳାଯିବାକୁ ଥିବା ବର୍ଷାପଡ଼ାରେ ପିଚ୍‌‌ ବ୍ୟାଟରଙ୍କୁ ମଧ୍ୟ ସୁହାଇବ। ଏଣୁ ଏଠାରେ ଆଉ ଏକ ହାଇସ୍କୋରିଂ ମ୍ୟାଚ୍‌‌ ହେବ ବୋଲି ପୂର୍ବାନୁମାନ କରାଯାଇଛି। ନିଜର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌‌ ଓ ସ୍ପିନରଙ୍କ ମାଧ୍ୟମରେ ଭାରତ ଏହି ମ୍ୟାଚ୍‌‌ ଜିତି ୩-୦ରେ ଅପରାଜେୟ ଅଗ୍ରଣୀ ନେବା ସହ ସିରିଜ୍‌‌ କବ୍‌‌ଜା ଲକ୍ଷ୍ୟରେ ରହିଛି । ଅନ୍ୟପକ୍ଷରେ ଦିନିକିଆ ବିଶ୍ୱକପ୍‌‌ ଚାମ୍ପିଅନ୍‌‌ ହୋଇଥିବା ଅଷ୍ଟ୍ରେଲିଆର ଦଳର ପ୍ରମୁଖ ଖେଳାଳି ଟି-୨୦ ଦଳରେ ସ୍ଥାନ ପାଇ ନାହାନ୍ତି। ଯେଉଁମାନେ ବି ସ୍ଥାନ ପାଇଛନ୍ତି, ସେମାନେ କ୍ଲାନ୍ତ। ଏଭଳି ସ୍ଥିତିରେ ଷ୍ଟିଭେନ ସ୍ମିଥ, ଗ୍ଲେନ ମ୍ୟାକ୍ସୱେଲ, ଜୋଶ ଇଂଲିଶ, ଆଦାମ ଜାମ୍ପା ଓ ମାର୍କସ ଷ୍ଟୋଇନିସଙ୍କ ପରି ଖେଳାଳି ସେମାନଙ୍କ ଖେଳ ପ୍ରଦର୍ଶନ କରିବାରେ ସମର୍ଥ ହେଉନାହାନ୍ତି। କ୍ରମାଗତ ଦୁଇଟି ମ୍ୟାଚ୍‌‌ରେ ବ୍ୟାଟିଂରେ ଫେଲ ମାରିଥିବା ମାଥ୍ୟୁ ସର୍ଟଙ୍କୁ ଦଳ ତୃତୀୟ ସୁଯୋଗ ଦେଇ ନପାରେ। ଦିନିକିଆ ଫାଇନାଲରେ ଶତକ ହାସଲ କରି ଅଷ୍ଟ୍ରେଲିଆକୁୁ ଚାମ୍ପିଅନ କରାଇଥିବା ଟ୍ରାଭିସ୍‌‌ ହେଡ୍‌‌ ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ବିଶ୍ରାମ ନେଇଥିଲେ। ସର୍ଟଙ୍କ ସ୍ଥାନରେ ତାଙ୍କୁ ତୃତୀୟ ମ୍ୟାଚ୍‌‌ରେ ଖେଳାଇବାର ସମ୍ଭାବନା ଅଧିକ। ଯଦିଓ ଟି-୨୦ରେ ହେଡ୍‌‌ଙ୍କ ପ୍ରଦର୍ଶନ ଦୁର୍ବଳ ତଥାପି ଭଲ ଫର୍ମରେ ଥିବା ଏହି ବାମହାତୀ ଓପନର ଭାରତୀୟ ବୋଲିଂକୁ ଖିନଭିନ୍‌‌ କରିଦେବେ ବୋଲି ଆଶା କରାଯାଉଛି। ମ୍ୟାକ୍ସୱେଲ, ଇଂଲିଶ, ଷ୍ଟୋଇନିସ ଆଦି ବ୍ୟାଟର ଅଷ୍ଟ୍ରେଲିଆକୁ କର ଅବା ମର ସ୍ଥିତିରୁ ରକ୍ଷା କରିବେ ବୋଲି ଆଶା କରାଯାଉଛି।

SHARE BY