The Topmost

“The eyes believe themselves, the ears believe other people.”

ତେଲେଙ୍ଗାନା ଭୋଟରଙ୍କୁ ପ୍ରତିଶ୍ରୁତିରେ ପୋତି ପକାଇଲେ କେସିଆର

ତେଲେଙ୍ଗାନା ପାଇଁ ବିଧାନସଭା ତାରିଖ ଘୋଷଣା ହେବା ପରେ ବିଆରଏସ ତରଫରୁ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରାଯାଇଛି । ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ, ଚନ୍ଦ୍ରଶେଖର ରାଓଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ବାଚନୀ ପ୍ରତିଶ୍ରୁତି ଆପଣଙ୍କୁ ଚକିତ କରିଦେବ । ସେ ତାଙ୍କ ପ୍ରତିଶ୍ରୁତିରେ ଲେଖିଛନ୍ତି କି, ଯୋଗ୍ୟ ପରିବାରଗୁଡିକୁ ୪୦୦ ଟଙ୍କା ମୂଲ୍ୟରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ । ଏହାସହ କୃଷକମାନଙ୍କ ପାଇଁ ତେଲେଙ୍ଗାନା ସରକାର ଚଳାଇଥିବା ‘’ରାୟଥୁ ବନ୍ଧୁ’ ଯୋଜନାରେ କୃଷକମାନଙ୍କୁ ଏକର ପ୍ରତି ୧୦ ହଜାର ଟଙ୍କା ମିଳୁଥିବା ବେଳେ ଏଥର ସରକାରକୁ ଆସିଲେ ତାହାର ରାଶି ବୃଦ୍ଧି କରାଯାଇ ୧୬ ହଜାର ଟଙ୍କା ଦିଆଯିବ ।

କେବଳ ସେତିକି ନୁହେଁ ନିର୍ବାଚନୀ ଘୋଷଣା ପତ୍ର ଜାରି କରି କେସିଆର କହିଛନ୍ତି କି, ୨୦୨୩ରେ ପୁଣି ସରକାର ଗଠନ କଲେ ରାଜ୍ୟର ଦିବ୍ୟାଙ୍ଗ ଲୋକଙ୍କ ସାମାଜିକ ସୁରକ୍ଷା ପାଇଁ ସେମାନଙ୍କୁ ମାସିକ ୬ ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବ । ଏହାସହ ତେଲେଙ୍ଗାନାର ୯୩ ଲକ୍ଷ ବିପିଏଲ ପରିବାରକୁ କେସିଆର ବୀମା ଯୋଜନା ମାଧ୍ୟମରେ ୫ ଲକ୍ଷ ଟଙ୍କାର ବୀମା ପ୍ରଦାନ କରାଯିବ । ସେହିଭଳି ତେଲେଙ୍ଗାନା ସରକାର ଦ୍ୱାରା ଲାଗୁ କରାଯାଇଥିବା ଆରୋଗ୍ୟ ରକ୍ଷା ଯୋଜନା ଓ ଆରୋଗ୍ୟଶ୍ରୀ ଭୀମ୍ ଯୋଜନାର କଭରେଜ ରାଶି ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ ।

ସେହିଭଳି ଘୋଷଣାପତ୍ରରେ କୁହାଯାଇଛି କି ହାଇଦ୍ରାବାଦରେ ୧ଲକ୍ଷ ୨ବିଏଚକେ ଘର ନିର୍ମାଣ କରାଯିବ । ଏହି ଘରଗୁଡିକୁ ଭୂମିହୀନମାନଙ୍କୁ ବଣ୍ଟନ କରାଯିବ । ରାଜ୍ୟର ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସରକାର ୧୧୯ ଟି ଆବାସୀୟ ବିଦ୍ୟାଳୟ ନିର୍ମାଣ କରିବାକୁ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଅସହାୟ, ବିଧବା ଓ ବୃଦ୍ଧା ବୃଦ୍ଧଙ୍କୁ ମିଳୁଥିବା ମାସିକ ସହାୟତା ରାଶି ବା ଭତ୍ତାକୁ ୨ ହଜାର ଟଙ୍କାରୁ ୩ ହଜାର ଟଙ୍କାକୁ ବୃଦ୍ଧି କରାଯିବ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ବାଚନୀ ଘୋଷଣାପତ୍ରରେ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

SHARE BY