The Topmost

“The eyes believe themselves, the ears believe other people.”

ରାଜସ୍ଥାନ ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ ଆପ ପ୍ରାର୍ଥୀ ଗିରଫ

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ମତଦାନକୁ ​ଏକ ମାସରୁ କମ୍ ସମୟ ବାକି ଅଛି । ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେପି ଏବଂ କଂଗ୍ରେସ ବ୍ୟତୀତ ଆମ୍ ଆଦମୀ ପାର୍ଟି ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଛି । ଆମ୍ ଆଦମୀ ପାର୍ଟି ପ୍ରାର୍ଥୀମାନେ ରାଜସ୍ଥାନ ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିବାବେଳେ ହାଇଦ୍ରାବାଦରେ ଜଣେ ପ୍ରାର୍ଥୀଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିଛି । ତେଲେଙ୍ଗାନାର ପୁଲିସ କିଛି ଲୋକଙ୍କ ନାମରେ ଠକେଇ ମାମଲା ରୁଜୁ କରିଛି । ଆଉ ଏହି ତାଲିକାରେ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ଜଣେ ଆପ୍ ପ୍ରାର୍ଥୀଙ୍କ ନାମ ମଧ୍ୟ ରହିଛି । ପୁଲିସ ଏହି ପ୍ରାର୍ଥୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି । କେବଳ ଏତିକି ନୁହେଁ, ପୁଲିସ ଆପ ପ୍ରାର୍ଥୀଙ୍କୁ ମଧ୍ୟ ଗିରଫ କରିଛି ।

ମିଳିଥିବା ସୂଚନା ମୁତାବକ ଆମ ଆଦମୀ ପାର୍ଟି ରାଜସ୍ଥାନର ଝାଲାୱାରର ଖାନପୁର ବିଧାନସଭା ଆସନରୁ ଅଳଙ୍କାର ବ୍ୟବସାୟୀ ତଥା ପାନୱାର ବାସିନ୍ଦା ଦୀପେଶ ସୋନିଙ୍କୁ ଟିକେଟ୍ ଦେଇଥିଲା । ତେବେ ଏକ ପୁରୁଣା ମାମଲାକୁ ନେଇ ଏବେ ତେଲେଙ୍ଗାନା ପୁଲିସ ତାଙ୍କୁ ଗିରଫ କରିଛି । ତେଲେଙ୍ଗାନା ପୁଲିସର କହିବା ମୁତାବକ ହାଇଦ୍ରାବାଦର ଜଣେ ବ୍ୟବସାୟୀଙ୍କୁ ଠକେଇ ଅଭିଯୋଗରେ ସୋନିଙ୍କ ବିରୋଧରେ ଶନିବାର ଏକ ମାମଲା ରୁଜୁ ହୋଇଛି ।

ଭାରତୀୟ ଦଣ୍ଡ ସଂହିତା ଧାରା ୪୨୦ ଏବଂ ୪୦୬ ଅଧୀନରେ ତେଲେଙ୍ଗାନାର ବସେରାବଦ ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ପଂଜିକୃତ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ବିରୋଧରେ ଆଉ ଦୁଇଟି ଠକେଇ ମାମଲା ରୁଜୁ ହୋଇଛି । କିଛିଦିନ ତଳେ ଆମ୍ ଆଦମୀ ପାର୍ଟି ଦୀପେଶ ସୋନିଙ୍କୁ ଖାନପୁର ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିଥିଲା । ନଭେମ୍ବର ୨୫ରେ ରାଜସ୍ଥାନର ୨୦୦ ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ ଏବଂ ଡିସେମ୍ବର ୩ରେ ଭୋଟ୍ ଗଣନା ସହ ଫଳାଫଳ ମଧ୍ୟ ଘୋଷଣା କରାଯିବ।