ସୋଆରୁ ୨୦୨୦ ରୁ ୨୦୨୨ ମଧ୍ୟରେ ଆଇନ୍ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଗୁରୁବାର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ଡ୍ରିଗ୍ରୀ ପ୍ରଦାନ କରାଯାଇଛି । ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ ରୁ ୨୦୨୦, ୨୦୨୧ ଏବଂ ୨୦୨୨ ବ୍ୟାଚରେ ବିଏ.ଏଲ୍ଏଲବି, ବିବିଏ ଏଲ୍ଏଲ୍ବି ଏବଂ ଏଲ୍ଏଲ୍ଏମ୍ ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଡିଗ୍ରୀ ପ୍ରଦାନ କରିଥିଲେ । କରୋନା ମହାମାରୀ ଯୋଗୁଁ କୌଣସି ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରି ନଥିବାରୁ ଛାତ୍ରଛାତ୍ରୀମାନେ ତାଙ୍କର ଡିଗ୍ରୀ ପାଇପାରି ନଥିଲେ । ଏହି ଉତ୍ସବରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ୍ ର୍ୟାଙ୍କିଙ୍ଗ ଫ୍ରେମୱାର୍କ ରାଙ୍କିଙ୍ଗ ଅନୁଯାୟୀ ସେମାନେ ଦେଶର ଅଷ୍ଟମ ଶ୍ରେଷ୍ଠ ଆଇନ ଶିକ୍ଷାନୁଷ୍ଠାନ ଓ ୧୫ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବାର ସୁଯୋଗ ପାଇଛନ୍ତି । ତେଣୁ ସୋଆର ମାନକୁ ଊର୍ଦ୍ଧ୍ୱକୁ ନେବା ନିମନ୍ତେ ସେମାନେ ନିଶ୍ଚୟ ଉଦ୍ୟମ କରିବେ ବୋଲି ସେ କହିଥିଲେ । ଏହି ଅବସରରେ ସୋଆର କଂଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ସ୍ନିଲ୍ର ଡିନ୍ ପ୍ରଫେସର ଏସ୍ ଏ.କେ. ଆଜାଦ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସିନିୟର ପ୍ରଫେସର ଜୟଦେବ ପତି, ପ୍ରଫେସର ପ୍ରବୀର ପଟ୍ଟନାୟକ ଏବଂ ପ୍ରଫେସର ମଧୁସୁଦନ ଦାସଙ୍କ ସମେତ ଫ୍ୟାକଲ୍ଟି ମେମ୍ବରମାନେ ଉପସ୍ଥିତ ଥିଲେ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍