The Topmost

“The eyes believe themselves, the ears believe other people.”

ଖୁଦୁରୁକୁଣୀ ବଜାରରେ ମୂର୍ତ୍ତୀ କାରୀଗରଙ୍କ ଭାଉ

ପାଖେଇ ଆସୁଛି ଓଡ଼ିଆ ପର୍ବ ଖୁଦୁରୁକୁଣୀ । ଗାଁ ଠୁ ସହର ସବୁଠି ଏନେଇ ଉତ୍ସାହର ମାହୋଲ ଦେଖାଯାଏ । ତେବେ ଏନେଇ କଣ ରହିଛି ବଜାର ଭାଉ, ଆସନ୍ତୁ ନଜର ପକାଇବା । ଗାଁ ଗହଳି ପରି ରାଜଧାନୀରେ ସକାଳୁ ଉଠି ଝିଅମାନେ ଫୁଲ ତୋଳିବାକୁ ଏ ବାଡ଼ି ସେ ବାଡ଼ି ହେଉ ନାହାନ୍ତି । କି ଏଠି ପୋଖରୀରେ ବୁଡ଼ ପକାଇବାକୁ ଦଳଦଳ ହୋଇ ଯାଉନାହାନ୍ତି । ବ୍ୟସ୍ତବହୁଳ ଜୀବନ ହେଉ କି ଭାଇଚାରାର ଅଭାବ ପାଇଁ ହେଉ, ସହରୀ ସଭ୍ୟତାରେ ସମ୍ପୂର୍ଣ୍ଣ ପାରମ୍ପରିକ ରୀତିରେ ଖୁଦୁରୁକୁଣୀ ଓଷା କରାଯାଉନାହିଁ। କିନ୍ତୁ ଓଷା ପାଳନର ବିଧି ଜୀବନ୍ତ ରହିଛି । ବଜାରରୁ ମା’ ମଙ୍ଗଳାଙ୍କ ମୂର୍ତ୍ତିଟିଏ କିଣି ନିଜ ଘରେ ରଖି ଝିଅମାନେ ପୂଜା କରୁଛନ୍ତି। ଓଡ଼ିଆ ପରିବାରଗୁଡ଼ିକ ଖୁଦୁରୁକୁଣୀ ଓଷା ପାଳିବାକୁ ଆଦୌ ଭୁଲିନାହାନ୍ତି । ଯେଉଁ ଘରେ ଝିଅଟିଏ ଅଛି, ସେ ଘରେ ଖୁଦୁରୁକୁଣୀ ଓଷା ପାଳନ କରାଯାଉଥିବା ଲକ୍ଷ୍ୟ କରାଯାଉଛି । ତେବେ ଏହି ଓଷାକୁ ଆଉ ଖୁବ୍ କମ ଦିନ ରହିଥିବାବେଳେ ମା’ ଖୁଦୁରୁକୁଣୀଙ୍କ ମୂର୍ତ୍ତି ଦୋକାନ ଓ ଫଳ ଦୋକାନରେ ଭିଡ଼ ପରିଲକ୍ଷିତ ହେଉଛି ।

ତେବେ ରାଜଧାନୀରେ ବିଭିନ୍ନ ସ୍ଥାନରେ ଗଳି କନ୍ଦିରେ ମା’ଙ୍କ ମୂର୍ତ୍ତି ବିକ୍ରି ଚାଲିଛି । ବର୍ଷକୁ ଥେରେ ଓଡ଼ିଶାର ଏହା ଏକ ବଡ଼ ପର୍ବ ହୋଇଥିବାରୁ ରାଜଧାନୀ ବଜାର‌ଠାରୁ ଆରମ୍ଭ କରି ଗାଁ ହାଚ ସବୁଠି ମାଆଙ୍କ ମୂର୍ତ୍ତିର ଚାହିଦା ରହିଛି । ତେବେ ଖାଲି ମୂର୍ତ୍ତି କାହିଁକି ଓ ଅନ୍ୟ ପୂଜା ସାମଗ୍ରୀ ପାଇଁ ମଧ୍ୟ ବଜାରରେ ତାତି ଦେଖିବାକୁ ମିଳିଛ ।  ତେବେ ମାଟି ମୂଲ୍ୟ ହିସାବରେ ମୂର୍ତ୍ତିର ମୂଲ୍ୟ ନିର୍ଣ୍ଣୟ କରାଯାଇଛି । ଛୋଟ ବ୍ୟବସାୟୀଙ୍କ ପାଖରେ ୧୦୦ ଟଙ୍କାରୁ ଆରମ୍ଭ କରି ୧୫୦୦ଟଙ୍କା ପର୍ଯ୍ୟନ୍ତ ମୂର୍ତ୍ତି ରହିଛି । ତେବେ ଏ ବର୍ଷ ଭଲ ବେପାର ହେବ ବୋଲି ଆଶା ରହିଛି । କେବଳ ଏତିକି ନୁହେଁ ମୂର୍ତ୍ତି କାରୀଗରଙ୍କ ପାଖରେ ଅନେକ ବଡ଼ ମୂତ୍ତି ପାଇଁ ଅର୍ଡର ମଧ୍ୟ ଆସିଛି । ଯାହାକୁ ନେଇ କାରୀଗର ମାନେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି । ତେବେ କିମ୍ବଦନ୍ତୀ କହେ, ପୁରାତନ ଯୁଗରେ ସାତ ଜଣ ସାଧବ ପୁଅ ବୋଇତ ନେଇ ଦରିଆପାରି ଦୂରଦେଶକୁ ବଣିଜ କରିବା ନିମନ୍ତେ ଯାଇଥିଲେ । ଘରେ ସେମାନଙ୍କ ସ୍ତ୍ରୀ ଓ ଗୋଟିଏ ମାତ୍ର ଅଲିଅଳି ଭଉଣୀ ତଅପୋଇ ଥିଲେ । ଭାଉଜ-ନଣନ୍ଦଙ୍କ ମଧ୍ୟରେ ଭଲ ସଂପର୍କ ଥିଲେ ହେଁ ପର କଥାରେ ପଡ଼ି ଭାଉଜମାନେ ତଅପୋଇକୁ ଅକଥନୀୟ ନିର୍ଯାତନା ଦେଇ ଘରୁ ତଡ଼ି ଦେଇଥିଲେ । ତଅପୋଇ ଜଙ୍ଗଲ ଭିତରେ ବୁଲି ବୁଲି ଭାଇମାନଙ୍କ ଶୁଭ ମନାସି ମା’ ମଙ୍ଗଳାଙ୍କ ପୂଜାର୍ଚ୍ଚନା କରିଥିଲେ । ତା’ ପୂଜାର୍ଚ୍ଚନାରେ ସନ୍ତୁଷ୍ଟ ହୋଇ ମା’ ମଙ୍ଗଳା ତା’କୁ ଆଶୀର୍ବାଦ କଲେ ଓ ତଅପୋଇ ନିଜ ସାତ ଭାଇଙ୍କୁ ଫେରିପାଇଥିଲେ । ଏହି କିମ୍ବଦନ୍ତୀରୁ ଖୁଦୁରୁକୁଣି ଓଷାର ଜନ୍ମ ବୋଲି କୁହାଯାଏ। ଏହା ଭାଲୁକୁଣି ଓ ଢିଙ୍କି ଓଷା ନାମରେ ମଧ୍ୟ ପରିଚିତ ।