The Topmost

“The eyes believe themselves, the ears believe other people.”

ବିମାନ ଦୁର୍ଘଟଣାରେ ପ୍ରିଗୋଜିନଙ୍କ ସମେତ ୧୦ ମୃତ

ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ୱାଗନର ଗ୍ରୁପ ମୁଖ୍ୟଙ୍କ ମୃତ୍ୟୁ । ବିମାନ ଦୁର୍ଘଟଣାରେ ୟେଭଗେନି ପ୍ରିଗୋଜିନଙ୍କ ସମେତ ଚାଲିଗଲା ୧୦ ଜଣଙ୍କ ଜୀବନ । ମସ୍କୋ ଉତ୍ତର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଋଷର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ କହିଛି ଯେ ଯାତ୍ରୀ ତାଲିକାରେ ପ୍ରିଗୋଜିନଙ୍କ ନାମ ରହିଛି । ଏହି ବିମାନ ମସ୍କୋରୁ ସେଣ୍ଟ ପିଟର୍ସବର୍ଗକୁ ଯାଉଥିଲା । ପ୍ରିଗୋଜିନ ଜୁନ୍ ମାସରେ ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିଲେ । ପରେ ବୁଝାମଣା ପରେ ବେଲାରୁଷ୍ ପଳାଇଥିଲେ । ତେବେ ସେ କେବେ ଏବଂ କିଭଳି ପୁଣି ଋଷରେ ପହଞ୍ଚିଥିଲେ ତାହା ସ୍ପଷ୍ଟ ହୋଇନାହିଁ । ଦୁଇ ଦିନ ପୂର୍ବେ ପ୍ରିଗୋଜିନଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ତାଙ୍କର ଅବସ୍ଥିତି ନେଇ କିଛି ସ୍ପଷ୍ଟ ହୋଇନଥିଲା । ୧୯୬୧ରେ ସେଣ୍ଟ ପିଟର୍ସବର୍ଗରେ ଜନ୍ମଗ୍ରହଣ କରିଥିବା ପ୍ରିଗୋଜିନ ପୂର୍ବରୁ ପୁଟିନଙ୍କର ଅତି ଘନିଷ୍ଠ ଥିଲେ । ଏହି କାରଣରୁ ତାଙ୍କୁ ୟୁକ୍ରେନ୍ ପଠାଯାଇଥିଲା । ୱାଗନର ସେନାର ଭବିଷ୍ୟତ ଏବେ ଅନିଶ୍ଚିତତା ଭିତରକୁ ଚାଲିଯାଇଥିବା ବେଳେ ସେମାନଙ୍କୁ ଋଷ୍ ସେନାରେ ସାମିଲ କରାଯିବ କି ନାହିଁ ସେ ନେଇ କିଛି ନିଷ୍ପତ୍ତି ହୋଇନାହିଁ ।