The Topmost

“The eyes believe themselves, the ears believe other people.”

ଦିଲ୍ଲୀରେ ସଙ୍ଗୀନ ହେଉଛି ବନ୍ୟା ସ୍ଥିତି

ଦିଲ୍ଲୀରେ ବଢୁଛି ଯମୁନା ନଦୀ ଜଳସ୍ତର । ୪୫ ବର୍ଷର ରେକର୍ଡ ଭାଙ୍ଗି ଯମୁନା ନଦୀର ଜଳସ୍ତର ରେକର୍ଡ ସ୍ତରକୁ ବୃଦ୍ଧି ପାଇଛି । ଏପରି ସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯମୁନା ନଦୀ ନିକଟବର୍ତ୍ତୀ ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ତୁରନ୍ତ ସ୍ଥାନାନ୍ତରିତ ହେବାକୁ ଅନୁରୋଧ କରିଛନ୍ତି । ଆମକୁ ପ୍ରଥମେ ଜୀବନ, ସମ୍ପତ୍ତିର ସୁରକ୍ଷା କରିବାକୁ ପଡ଼ିବ । ଯମୁନା ନଦୀ ନିକଟବର୍ତ୍ତୀ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବା ଆବଶ୍ୟକ ବୋଲି କେଜ୍ରିୱାଲ କହିଛନ୍ତି । ପରିସ୍ଥିତି ପ୍ରତି ସଜାଗ ରହିବାକୁ ଦିଲ୍ଲୀ ସରକାର ଏନଡିଆରଏଫକୁ ସତର୍କ କରାଇଛନ୍ତି । ଯମୁନାରେ ଜଳସ୍ତର ଲଗାତର ବୃଦ୍ଧି ପାଉଥିବାରୁ ଆବଶ୍ୟକ ପଡ଼ିଲେ ସ୍କୁଲଗୁଡ଼ିକୁ ରିଲିଫ୍ କ୍ୟାମ୍ପରେ ପରିଣତ କରିବାକୁ କେଜ୍ରିୱାଲ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ୨୦୭.୭୧ ମିଟରକୁ ବୃଦ୍ଧି ପାଇଛି, ଯାହା କି ୧୯୭୮ର ୨୦୭.୪୯ ମିଟରର ପୂର୍ବ ରେକର୍ଡକୁ ଅତିକ୍ରମ କରିଛି । ଯମୁନାରେ ଜଳସ୍ତର ବୃଦ୍ଧି ପରେ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ବସିଥିଲା । ଏହି ସଙ୍କଟକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ସହରର ସମ୍ବେଦନଶୀଳ ଅଞ୍ଚଳରେ ସମାବେଶ ଉପରେ କଟକଣା ଲଗାଇଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।