ଯେଉଁ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲା ବିଜେପି ତାହା ଏବେ ପୂରଣ କରିବାକୁ ଯାଉଛି । ୩୧୦୦ ଟଙ୍କାରେ ଧାନ କିଣିବ, କିନ୍ତୁ ଦ୍ୱନ୍ଦ୍ୱ ବଢୁଛି । କାରଣ ଏମଏସପି ବାଦ ବୋନୋସ ଦେବା ପାଇଁ, ଧାନର ମାନକୁ ସୁନିଶ୍ଚିତ କରିବାକୁ ପଡିବ । ଏଥିପାଇଁ ଯେଉଁ ମେସିନ ଆବଶ୍ୟକ ତାହା ପର୍ୟ୍ୟାପ୍ତ ପରିମାଣରେ ମଣ୍ଡିରେ ପହଞ୍ଚି ନଥିବା ଅଭିଯୋଗ ହେଉଛି ।
ସେହିପରି ମାନ ଯାଞ୍ଚ କରିବା ଏକ ଲମ୍ବା ପ୍ରକ୍ରିୟା ହୋଇଥିବାରୁ ଚାଷୀ ଦୀର୍ଘ ସମୟ ଅପେକ୍ଷା କରିବା ନେଇ ଆଶଙ୍କା ମଧ୍ୟ ରହିଛି ।
୨୦ରେ ବରଗଡ ୨୨ରେ ସମ୍ବଲପୁର ଓ ପରେ ଅନ୍ୟ ଜିଲ୍ଲାରେ ଆରମ୍ଭ ହେବ ଧାନ କିଣା । ଏଥିପାଇଁ ୧୫ରୁ ଚାଷୀଙ୍କୁ ଦିଆଯିବ ଟୋକେନ୍ । ଧାନ କିଣିଲାବେଳେ କ୍ୟୁଣ୍ଟାଲ ପିଛା ଧାର୍ଯ୍ୟ ୨୩୦୦ ଟଙ୍କା ଦେବେ ସରକାର । ତେବେ ଡିସେମ୍ବର ୮ ତାରିଖରୁ ଅତିରିକ୍ତ ୮୦୦ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବବୋଲି ସରକାର ଘୋଷଣା କରିଛନ୍ତି ।
ତେଣୁ ନଭେମ୍ବର ୨୦ରୁ ଡିସେମ୍ବର ୮ ତାରିଖ ଯାଏଁ ଧାନ ବିକିଥିବା ଚାଷୀ ଅତିରିକ୍ତ ୮୦୦ ଟଙ୍କା ପାଇବେ ନା ନାହିଁ ତାକୁ ନେଇ ବଡ ଦ୍ୱନ୍ଦ୍ୱ ଉପୁଜିଛି । ତାଠାରୁ ବଡ ଦ୍ୱନ୍ଦ୍ୱ ହେଉଛି କେମିତି ଯାଞ୍ଚ ହେବ ଏଫଏକ୍ୟୁ ମାନର ଧାନ । କାରଣ ବିଭାଗୀୟ ମନ୍ତ୍ରୀ କହିଛନ୍ତି କ୍ୱାଲିଟି ନେବୁ କ୍ୱାଲିଟି ଦେବୁ ।
ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟସହ ଯେଉଁ ୮୦୦ ଟଙ୍କାର ବୋନସ କଥା କୁହାଯାଇଛି, ସେଥିରେ ସର୍ତ୍ତଟି ହେଉଛି ଧାନର କ୍ୱାଲିଟି । ତେଣୁ ବଡ ପ୍ରଶ୍ନ ହେଉଛି ଧାନର ମାନ ଯାଞ୍ଚ କରିବା ପାଇଁ କଣ ବ୍ୟବସ୍ଥା କରିବେ ସରକାର ।
କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଧିକାଂଶ ମଣ୍ଡିରେ ମେସିନ ପହଞ୍ଚି ନଥିବା ଅଭିଯୋଗ ହୋଇଛି । ଆଉ ଯଦି ମେସିନ ପହଁଚିଲା ଓ ଧାନର ମାନ ଯାଞ୍ଚ କରାଗଲା, ତେବେ ଧାନ ସଂଗ୍ରହ ପାଇଁ କେତେଦିନ ଲାଗିବ ବୋଲି ପ୍ରଶ୍ନ ଉଠାଇଛନ୍ତି କୃଷି ବିଶେଷଜ୍ଞ । ମଣ୍ଡି ବାହାରେ ଚାଷୀଙ୍କୁ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡିବ ଓ ମାନ ଯାଞ୍ଚ ଫଳରେ ଅଧକ କଟଣୀ ଛଟଣୀ ହେବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ।
ପୂର୍ବ ସରକାର ସମୟରେ ମଣ୍ଡି ଆଗରେ ଧାନ ଧରି ଚାଷୀ ଖରା, ବର୍ଷା, ଶୀତରେ ଦିନ ଦିନ ଅପେକ୍ଷା କରୁଥିବାର ଚିତ୍ର ସାମ୍ନାକୁ ଆସୁଥିଲା । କ୍ୱିଣ୍ଟାଲ ପିଛା ୪ରୁ ୫ କେଜି ଧାନ କଟଣୀ ଛଟଣୀ ଅଭିଯୋଗ କରି ଅସନ୍ତୋଷ ଝାଡୁଥିଲେ ଚାଷୀ । ତେଣୁ ଏସବୁ ସମସ୍ୟାର ସମାଧାନ କରି ଚାଷୀଙ୍କଠାରୁ ସୁରୁଖୁରୁରେ ଧାନ କିଣାର ବ୍ୟବସ୍ଥା କରିବା ମୋହନ ସରକାରଙ୍କ ଆଗରେ ବଡ ଆହ୍ୱାନ ହୋଇପାରେ ।
More Stories
ଗାଡି ଟାୟାରରୁ ବାହାରୁଛି ଟଙ୍କା
ସୁନାମି ପାଇଁ ପ୍ରସ୍ତୁତ ହେବାକୁ ୨୪ ଗାଁକୁ ଚେତାବନୀ
ବାଘ ପଞ୍ଝାରୁ ଅଳ୍ପକେ ବର୍ତ୍ତିରେ ପର୍ଯ୍ୟଟକ