ଗତ ସପ୍ତାହକ ମଧ୍ୟରେ ଦୁଇଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ଏବଂ ଜଣେ ନାବାଳିକା ଛାତ୍ରୀଙ୍କୁ କ୍ରୀଡ଼ା ଶିକ୍ଷକଙ୍କ ଅସଦାଚରଣ ପରି ଲଜ୍ୟାଜନକ ଘଟଣା ସହରବାସୀଙ୍କ ମନରୁ ଲିଭି ନଥିବା ବେଳେ ଆଜି ପୁଣି ଆଉ ଏକ ଲଜ୍ଜାଜନକ ଘଟଣା ଲୋକଲୋଚନକୁ ଆସିବା ଘଟଣା ଆଇନ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ରବିବାର ବିଳମ୍ୱିତ ରାତିରେ ଜଣେ ନାବାଳିକା ଡିପ୍ଲୋମା ଇଂଜିନିୟରିଂ ଛାତ୍ରୀଙ୍କୁ ମଦ୍ୟପାନ କରାଇ ନିଶାସକ୍ତ ଅବସ୍ଥାରେ ତା’ର ୨ ପୁରୁଷ ବନ୍ଧୁ ସମେତ ୫ ଜଣ ଗଣଦୁଷ୍କର୍ମ କରିଥିବା ଘଟଣା ମଙ୍ଗଳବାର ରଘୁନାଥପାଲୀ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏନେଇ ପୋକ୍ସୋ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ସୂଚନା ମୁତାବକ ରାଉରକେଲା ମେନ୍ରୋଡ ଅଞ୍ଚଳରେ ପରିବା ବ୍ୟବସାୟ କରୁଥିବା ଜଣେ ବ୍ୟକ୍ତିଙ୍କ ନାବାଳିକା ଝିଅ (୧୭ ବର୍ଷ) ରବିବାର ସନ୍ଧ୍ୟାରେ ମଲ୍ ଯାଉଛି ବୋଲି କହି ଘରୁ ଯାଇଥିଲେ। ପରେ ସେ ତା’ର ୨ ପୁରୁଷ ବନ୍ଧୁ ସହ ସିଭିଲ ଟାଉନସିପସ୍ଥିତ ଏକ ହୋଟେଲକୁ ଯାଇଥିଲା। ସେଠାରେ ସେମାନେ ଖିଆପିଆ ଏବଂ ମଦ୍ୟପାନ କରି ନୃତ୍ୟ କରିଥିଲେ। ଯାହାକି ହୋଟେଲ ସିସିଟିଭି ଫୁଟେଜରୁ ପୁଲିସ ଜାଣିବାକୁ ପାଇଛି। ଏହାପରେ ରାତି ପ୍ରାୟ ୧୧ଟା ବେଳେ ସେମାନେ ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଆରଏମସି ପାର୍କକୁ ବାଇକରେ ଆସିଥିଲେ। ସେଠାରେ ଉକ୍ତ ୨ ଜଣ ଯୁବକ ନାବାଳିକା ଛାତ୍ରୀକୁ ଗଣଦୁଷ୍କର୍ମ କରିଥିଲେ ବୋଲି ସେ ଏତାଲାରେ ଅଭିଯୋଗ କରିଛି।
ଏହାପରେ ସେଠାରେ ଆଉ ୩ ଜଣ ଯୁବକ ପହଞ୍ଚି ମଧ୍ୟ ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ। ଏହାପରେ ୫ ଜଣ ଦୁଷ୍କର୍ମକାରୀ ପୀଡ଼ିତାକୁ ସେଠାରେ ଛାଡ଼ି ଫେରାର ହୋଇଯାଇଥିଲେ। ପୀଡ଼ିତା ବିଳମ୍ୱିତ ରାତିରେ ଘରକୁ ଫେରିଥିଲା। ରବିବାର ରାତିରେ ଏହି ଘଟଣା ଘଟିଥିବା ବେଳେ ମଙ୍ଗଳବାର ରାତିରେ ସେ ରଘୁନାଥପାଲୀ ଥାନାରେ ତା ପ୍ରତି ହୋଇଥିବା ଗଣଦୁଷ୍କର୍ମ ବିଷୟରେ ଲିଖିତ ଅଭିଯୋଗ କରିଥିଲେ। ଯାହାକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ନିଶାସକ୍ତ ଅବସ୍ଥାରେ ଥିବାରୁ ସେ ୩ ଜଣ ଦୁଷ୍କର୍ମକାରୀଙ୍କୁ ଚିହ୍ନିଛି ବୋଲି ପୁଲିସ ପାଖରେ କହିଛି। ତେବେ ପୁଲିସ ୫ ଜଣ ଦୁଷ୍କର୍ମକାରୀଙ୍କୁ ଇତି ମଧ୍ୟରେ ଚିହ୍ନଟ କରିସାରିଥିବା ସୂଚନା ମିଳିଛି।
ବୁଧବାର ଡିଆଇଜି ବ୍ରିଜେଶ କୁମାର ରାୟଙ୍କ ନିର୍ଦ୍ଦେଶ କ୍ରମେ ପାନପୋଷ ଏସ୍ଡିପିଓ ଉପାସନା ପାଢ଼ୀଙ୍କ ନେତୃତ୍ୱରେ ପୀଡ଼ିତା ନାବାଳିକାର ସୂଚନା ମୁତାବକ ରଘୁନାଥପାଲୀ, ପ୍ଲାଣ୍ଟସାଇଟ୍ ଥାନା ପୁଲିସ, ସାଇଣ୍ଟିଫିକ ପୁଲିସ ଟିମ୍, ପୁଲିସ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ପୁଲିସ ତନାଘନା ଚଳାଇଛି। ଯଦି ଘଟଣା ୨୨ ତାରିଖରେ ହୋଇଥିଲା, ତେବେ ପୀଡ଼ିତା ବା ପରିବାର ଏତେଦିନ ଚୁପ୍ କାହିଁକି ରହିଥିଲେ ବୋଲି ପ୍ରଶ୍ନ ଉଠିଛି। ଦୁଷ୍କର୍ମକାରୀଙ୍କ ସହ ପୂର୍ବରୁ କିଛି ସମ୍ପର୍କ ଥିଲା କି ନାହିଁ, ଏଭଳି ଅନେକ ପ୍ରଶ୍ନକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା