The Topmost

“The eyes believe themselves, the ears believe other people.”

ଅନେକ ଗୁରୁତ୍ବ ବହନକରେ ଦିୱାଲି ପାଞ୍ଚ ଦିନ

ଅନ୍ଧାର ଉପରେ ଆଲୋକର ବିଜୟ । ପାପ ଉପରେ ପୁର୍ଣ୍ଣ୍ୟର ବିଜୟ କହିଲେ ଦିପାବଳୀକୁ ବୁଝାଏ । ଗାଁ ଠୁ ଆରମ୍ଭ କରି ସହର ଯାଏ ଏହି ପର୍ବ ପାଳନ କରାଯାଏ । କୁହାଯାଏ ଏହି ଦିନ ପ୍ରଭୁ ଶ୍ରୀରାମ ରାବଣର ସଂହାର କରି ମା ସୀତାଙ୍କୁ ନେଇ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ଏହି ପର୍ବରେ ଦେବୀ ଲକ୍ଷ୍ମୀ ଏବଂ ଦେବୀ କାଳୀଙ୍କୁ ପୂଜା କରିବାର ପରମ୍ପରା ରହିଛି । ଭାରତର ଅଧିକାଂଶ ଅଞ୍ଚଳରେ ଦୀପାବଳି ଉତ୍ସବ ପୁରା ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିଥାଏ । ତେବେ ଦେଶରେ ପାଞ୍ଚ ଦିନ ପାଇଁ ଦିୱାଲୀ କିପରି ପାଳନ କରାଯାଏ ଆସନ୍ତୁ ନଜର ପକାଇବା –


ପ୍ରଥମ ଦିନ (ତ୍ରୟୋଦଶୀ)-
ଏହିଦିନ ଭଗବାନ କୁବେରଙ୍କୁ ଉପାସନା କରାଯାଇଥାଏ । ଏହାସହ ଇସ୍ପାତ, ଧାତୁ, ସୁନା, କିମ୍ବା ରୂପା ଜିନିଷ, ସୁନା କିମ୍ବା ରୂପା ମୁଦ୍ରା, ୱାଶିଂ ମେସିନ୍ ଏବଂ ଚୁଲା, କିମ୍ବା ଯାନ ଇତ୍ୟାଦି କିଣି ଏହାକୁ ଧନତେରାସ ଭାବେ ପାଳନ କରାଯାଇଥାଏ ।


ଦ୍ୱିତୀୟ ଦିନ (ଚତୁଃର୍ଦ୍ଦଶୀ)-
ଏହି ଦିନଟିକୁ ହିନ୍ଦୁ ପୁରାଣରେ ମୃତ୍ୟୁର ପ୍ରଭୁ ଅର୍ଥାତ୍ ଯମରାଜଙ୍କୁ ଉତ୍ସର୍ଗ କରାଯାଇଥାଏ । ଲୋକମାନେ ନିଜ ଘରୁ ସମସ୍ତ ପ୍ରକାରର ମନ୍ଦ ଶକ୍ତିରୁ ଦୂରେଇ ରଖିବାପାଇଁ ଏହି ଦିନଟିକୁ ପାଳନ କରିଥାନ୍ତି । ଏବଂ ଘରଦ୍ବାର ପରିଷ୍କାର ପରିଚ୍ଛନ୍ନ କରିଥାନ୍ତି ।


ତୃତୀୟ ଦିନ (ଅମାବାସ୍ୟା)-
ଅମାବାସ୍ୟା ବା ଦିଓ୍ବାଲି । ତେବେ ଏହି ଦିନର ଗୁରୁତ୍ବ ବେଶ୍ ଅଧିକ । ଲୋକମାନେ ଏହି ଦିନ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ ପ୍ରାର୍ଥନା କରିଥାନ୍ତି । ଏହାସହ ଘରର କୋଣ ଅନୁକୋଣରେ ମାଟି ଦୀପ ଜାଳିଥାନ୍ତି ।


ଚତୁର୍ଥ ଦିନ (ପ୍ରତିପଦା)-
ଏହି ଦିନ ଲୋକମାନେ ଭଗବାନ କୃଷ୍ଣଙ୍କୁ ପୂଜା କରିଥାନ୍ତି । ଭଗବାନଙ୍କୁ ପୋଷାକ, ଖାଦ୍ୟ, ମିଠା, ମଖାନ ଏବଂ ତାଙ୍କର ସମସ୍ତ ପ୍ରିୟ ଜିନିଷ ଅର୍ପଣ କରିଥାନ୍ତି ।


ପଞ୍ଚମ ଦିନ (ଦ୍ୱିତିଆ)-
ଏହା ଏକ ନିଆରା ଆଉ ଭିନ୍ନ ପରମ୍ପରା । ଏହି ଦିନ, ଭଉଣୀମାନେ ନିଜ ଭାଇଙ୍କ ଦୀର୍ଘ, ଖୁସି, ସୁସ୍ଥ ଏବଂ ସମୃଦ୍ଧ ଜୀବନ ପାଇଁ ପ୍ରାର୍ଥନା କରିଥାନ୍ତି । ତେବେ ଏହି ଆଲୋକର ପର୍ବ ଦିପାବଳୀ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଆଣିଦେଉ, ଏହା ହିଁ କାମନା । ଏହାସହ ପାଞ୍ଚ ଦିନର ପ୍ରତ୍ୟେକର ଏକ ମହତ୍ ଉଦ୍ଦେଶ୍ୟ ରହିଛି ।