ଆଜିଠୁ ଆରମ୍ଭ ହୋଇଯାଇଛି ଜାତୀୟ କ୍ରୀଡ଼ାର ୩୭ ତମ ସଂସ୍କରଣ । ଏହି କ୍ରିଡାରେ ଓଡ଼ିଶାରୁ ୧୮୦ ମହିଳାଙ୍କ ସହ ୩୦୦ରୁ ଊର୍ଦ୍ଧ୍ବ ଖେଳାଳି ଅଂଶଗ୍ରହଣ କରିବେ । ଏମାନେ ମୋଟ ୩୧ ଖେଳରେ ରାଜ୍ୟର ପ୍ରତିନିଧିତ୍ବ କରି ପଦକ ଅଭିଯାନ ଆରମ୍ଭ କରିବେ । ଏହି ସମ୍ମାନଜକ ଜାତୀୟ ପ୍ରତିଯୋଗିତା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପଦକ ବିଜେତାଙ୍କ ଲାଗି ପୁରସ୍କାର ରାଶି ଘୋଷଣା କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଉଭୟ ବ୍ୟକ୍ତିଗତ ଓ ଦଳଗତ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୫ ଲକ୍ଷ ଟଙ୍କା, ରୌପ୍ୟ ପଦକ ବିଜେତାଙ୍କୁ ୩ ଲକ୍ଷ ଟଙ୍କା ଏବଂ କାଂସ୍ୟ ପଦକ ବିଜେତାଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହି ଅବସରରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସମଗ୍ର ଦଳକୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ପ୍ରତିଯୋଗିତାରେ ଓଡ଼ିଶା ଚମକିବ ବୋଲି ମୁଁ ଆଶାବାଦୀ। ବିଗତ କିଛି ବର୍ଷ ମଧ୍ୟରେ ଆମର ଆଥଲେଟ୍ମାନେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି। ଏସୀୟ କ୍ରୀଡ଼ାରେ ଆମ ଆଥଲେଟ୍ ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଜାତୀୟ କ୍ରୀଡ଼ାରେ ମଧ୍ୟ ଏହିଭଳି ପ୍ରଦର୍ଶନ ଆମେ ଆଶା ରଖୁଛୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘କ୍ରୀଡ଼ା ପାଇଁ ଯୁବଗୋଷ୍ଠୀ, ଭବିଷ୍ୟତ ପାଇଁ ବଡ଼ ଶକ୍ତି’ ସ୍ୱପ୍ନକୁ ସାକାର କରିବା ପାଇଁ ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ଯଥେଷ୍ଟ ପୁଞ୍ଜିନିବେଶ କରିଛି। ଉନ୍ନତ ତାଲିମ ଓ ପ୍ରଶିକ୍ଷଣ ସୁବିଧା, ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଏବଂ ବିଭିନ୍ନ ପ୍ରୋତ୍ସାହନ ଓ ସହାୟତା ବ୍ୟବସ୍ଥା ଯୋଗୁଁ ଓଡ଼ିଶାର କ୍ରୀଡ଼ାବିତମାନେ ଜାତୀୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରିବା ପାଇଁ କଠିନ ପ୍ରସ୍ତୁତି ଚଳାଇଛନ୍ତି। ପ୍ରତିଭାଙ୍କୁ ଚିହ୍ନଟ କରି ଅନ୍ତର୍ଜାତୀୟ ସ୍ତରର ଆଥଲେଟ ନିର୍ମାଣ କରିବା ଦିଗରେ ରାଜ୍ୟ ସରକାର ଦୃଢ଼ ସଂକଳ୍ପବଦ୍ଧ। କ୍ରୀଡ଼ା ବିକାଶରେ ଏହି ପୁଞ୍ଜିନିବେଶ ଯୁବ କ୍ରୀଡ଼ାବିତ୍ଙ୍କ ଆକାଂକ୍ଷାକୁ ଜାଗ୍ରତ କରୁଛି ଏବଂ ସେମାନଙ୍କୁ ସର୍ବୋଚ୍ଚ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆବଶ୍ୟକ ଉପକରଣ ଏବଂ ସମ୍ବଳ ଯୋଗାଇ ଦେଉଛି I ଯାହା ଆଗାମୀ ଜାତୀୟ କ୍ରୀଡ଼ାରେ ଓଡ଼ିଶା ପାଇଁ ଏକ ଉଲ୍ଲେଖନୀୟ ପରିଚୟ ସୃଷ୍ଟି କରିବାପାଇଁ ମଞ୍ଚ ସୃଷ୍ଟି କରୁଛି ।
More Stories
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ
ଶ୍ରଦ୍ଧାଞ୍ଜଳି ଦେଲେ କ୍ରିକେଟର୍
କ୍ରିକେଟର୍ ହେବାକୁ ହେଲେ କରିବାକୁ ପଡିବ ତ୍ୟାଗ