The Topmost

“The eyes believe themselves, the ears believe other people.”

ବାଂଲାଦେଶ ସ୍ଥିତି ଯୋଗୁଁ ଭାରତର 21 କମ୍ପାନି ପ୍ରଭାବିତ

ବାଂଲାଦେଶରେ ଜାରି ପରିସ୍ଥିତି ଯୋଗୁ ଭାରତର ଅନେକ କମ୍ପାନି ପ୍ରଭାବିତ ହୋଇପାରନ୍ତି । ଏଥିରେ 21 କମ୍ପାନି ଏଭଳି ଅଛନ୍ତି, ଯେଉଁମାନେ ପୁଞ୍ଜି ବଜାରରେ ତାଲିକାଭୁକ୍ତ । ବର୍ତ୍ତମାନର ସ୍ଥିତି ଯୋଗୁ ବାଂଲାଦେଶରେ ମଜଭୁତ ଉପସ୍ଥିତି ଥିବା ଭାରତର 21 ପ୍ରମୁଖ କମ୍ପାନି ଆଶଙ୍କିତ । ମାରିକୋ, ପର୍ଲ ଗ୍ଲୋବାଲ ଇଣ୍ଡଷ୍ଟ୍ରିଜ୍, ଇମାମି, ବେୟର କର୍ପୋରେଶନ୍, ଜିସିପିଏଲ୍, ବ୍ରିଟାନିଆ, ବିକାଶ ଲାଇଫ୍କେୟାର, ଡାବର, ଏସିଆନ୍ ପେଣ୍ଟ୍ସ, ପିଡିଲାଇଟ୍, ଜୁବିଲାଣ୍ଟ ଫୁଡ୍ୱାର୍କସ ଏବଂ ବଜାଜ ଅଟୋ ଭଳି କେତେକ କମ୍ପାନିଗୁଡ଼ିକର ସେଠାରେ ଆଖିଦୃଶିଆ ଉପସ୍ଥିତି ଅଛି ।

ଏଥିସହିତ ଟ୍ରେଣ୍ଟ, ପିଡିଏସ୍ ଏବଂ ଭିଆଇପି ଇଣ୍ଡଷ୍ଟ୍ରିଜ୍ ଭଳି କମ୍ପାନିଗୁଡ଼ିକର ସପ୍ଲାଏ ଚେନ୍ର ଅଂଶ ହେଉଛି ବାଂଲାଦେଶ । ସେଠାରେ ବର୍ତ୍ତମାନ ଯେଉଁ ସ୍ଥିତି ରହିଛି, ଏହାର ସବୁଠାରୁ ଅଧିକ ପ୍ରଭାବ ସଫୋଲା ତେଲ ପ୍ରସ୍ତୁତ କରୁଥିବା କମ୍ପାନି ମାରିକୋ ସେୟାର ମୂଲ୍ୟରେ ଦେଖିବାକୁ ମିଳିଛି । କମ୍ପାନିର ମୋଟ ରାଜସ୍ୱର ୧୧ରୁ ୧୨% ଅଂଶ ବାଂଲାଦେଶରୁ ଆସିଥାଏ । କମ୍ପାନିର ସେୟାର ମୂଲ୍ୟରେ ଆଜି ୪% ରୁ ଅଧିକ ହ୍ରାସ ଦେଖାଦେଇଛି ।

ସେହିଭଳି ପର୍ଲ ଗ୍ଲୋବାଲ ଇଣ୍ଡଷ୍ଟ୍ରିଜ୍ର ରାଜସ୍ୱର ପ୍ରାୟ ୨୫% ଅଂଶ ବାଂଲାଦେଶରୁ ଆସିଥାଏ । କର୍ଫ୍ୟୁ ଯୋଗୁ ସେଠାରେ ବର୍ତ୍ତମାନ କମ୍ପାନିର ୟୁନିଟ୍ ଅସ୍ଥାୟୀ ଭାବେ ବନ୍ଦ ରହିଛି । କମ୍ପାନିର ସେୟାର ମୂଲ୍ୟରେ ୩%ରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି । ଇମାମିର ସେୟାର ମୂଲ୍ୟରେ ୪% ରୁ ଅଧିକ ହ୍ରାସ ଘଟିଛି । ତା’ସହିତ ରପ୍ତାନିକାରୀଙ୍କୁ ବି ବଡ଼ ଧରଣର କ୍ଷତି ସହିବାକୁ ପଡ଼ିପାରେ । କାରଣ ବାଂଲାଦେଶ ଉଲ୍ ରପ୍ତାନି କ୍ଷେତ୍ରରେ ଭାରତର ବଡ଼ ଗ୍ରାହକ । ଭାରତର ରପ୍ତାନିରେ ଏହାର ଭାଗ ୨୫ରୁ ୩୦% ଅଛି । ବର୍ଦ୍ଧମାନ ଟେକ୍ଷ୍ଟାଇଲ୍ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ନୀରଜ ଜୈନ କୁହନ୍ତି, ବାଂଲାଦେଶରେ ବ୍ୟବଧାନ ହେବା ଦ୍ୱାରା ଭାରତରେ ସମସ୍ୟା ଦେଖିବାକୁ ମିଳିବ । ବର୍ତ୍ତମାନ ସୁଦ୍ଧା ଚାହିଦାରେ କୌଣସି ପ୍ରଭାବ ପଡ଼ିନାହିଁ କିନ୍ତୁ ସାମ୍ପ୍ରତିକ ସ୍ଥିତି ଲମ୍ବା ସମୟ ଧରି ଜାରି ରହିଲେ ଏହା ଚିନ୍ତାର ବିଷୟ ପାଲଟିପାରେ । ଅନ୍ୟପକ୍ଷରେ, ଏହି ସଂକଟ ଭାରତରେ ପୋଷାକ ଏବଂ ଗାର୍ମେଣ୍ଟ ଉତ୍ପାଦନକାରୀଙ୍କ ପାଇଁ ଏକ ସୁଯୋଗ କାରଣ ଏହା ଦ୍ୱାରା ସେମାନଙ୍କ ପାଇଁ ବଜାରରେ ଅଂଶଧନ ବଢ଼ାଇବାର ମଉକା ମିଳିବ । ଏହା କାରଣ ଯେଉଁଥିପାଇଁ ଆଜି ପୋଷାକ କମ୍ପାନିଗୁଡ଼ିକର ସେୟାର ମୂଲ୍ୟରେ ଭଲ ବୃଦ୍ଧି ଦେଖିବାକୁ ମିଳିଛି ।

ଗୋକଲଦାସ ଏକ୍ସପୋର୍ଟସ ୧୮% ବଢ଼ିଥିବାବେଳେ କେପିଆର୍ ମିଲ୍ ୧୬%, ଅରବିନ୍ଦ ଲିମିଟେଡ୍ ୧୧%, ଏସ୍ପି ଆପାରେଲ୍ସ ୧୮%, ସେଞ୍ଚୁରି ଏନ୍କା ୨୦%, କିଟେକ୍ସ ଗାର୍ମେଣ୍ଟ୍ସ ୧୬% ଏବଂ ନାହର ସ୍ପିନିଂର ସେୟାର ମୂଲ୍ୟରେ ୧୪% ବୃଦ୍ଧି ଘଟିଛି । ପ୍ରକାଶଯୋଗ୍ୟ, ଷ୍ଟୁଡେଣ୍ଟ ଆକ୍ଟିଭିଷ୍ଟଙ୍କ ‘ପୂର୍ଣ୍ଣ ଅସହଯୋଗ ଆନ୍ଦୋଳନ’ ଯୋଗୁ ବାଂଲାଦେଶରେ ଅସ୍ଥିର ପରିବେଶ ସୃଷ୍ଟି ହୋଇଛି । ଶେଷରେ ଏହା ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ୧୫ ବର୍ଷର ଦୀର୍ଘ ଶାସନର ଅନ୍ତ ଘଟାଇ ତାଙ୍କୁ କ୍ଷମତାଚ୍ୟୁତ କରିଛି । ହିଂସାର ଏହି ମାହୋଲ ମଧ୍ୟରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ବାଣିଜ୍ୟ ଓ ନିବେଶ ସମ୍ପର୍କ ଅନିଶ୍ଚିତତାକୁ ଚାଲିଯାଇଛି । ବାଂଲାଦେଶ ହେଉଛି ଭାରତର ୨୫ତମ ବୃହତ୍ ବ୍ୟବସାୟିକ ସହଯୋଗୀ । ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟାପାର ହେଉଛି ୧୨୯୦ କୋଟି ଡଲାର ।

ବାଂଲାଦେଶ ଭାରତର ଅଷ୍ଟମ ବୃହତ୍ ରପ୍ତାନି ପାର୍ଟନର । ଭାରତୀୟ ଅଟୋମୋବାଇଲ ରପ୍ତାନି ପାଇଁ ବାଂଲାଦେଶ ଏକ ପ୍ରମୁଖ ବଜାର । ସେଠାରେ ଅସ୍ଥିରତା କମ୍ପାନିଗୁଡ଼ିକର ବିଭିନ୍ନ ପୁରୁଣା ଯୋଜନାଗୁଡ଼ିକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା ରହିଛି । ରପ୍ତାନିକାରୀଙ୍କ ପାଇଁ ଏହା ଅନିଶ୍ଚିତତା ସୃଷ୍ଟି କରିପାରେ । ନିବେଶକଙ୍କ ପାଇଁ ଏହା ଅତ୍ୟନ୍ତ ଆହ୍ୱାନମୂଳକ ସମୟ ବୋଲି ଇଣ୍ଡିଆନ୍ କାଉନ୍ସିଲ୍ ଫର୍ ରିସର୍ଚ୍ଚ ଅନ୍ ଇଣ୍ଟର୍ନ୍ୟାସ୍ନାଲ ଇକୋନୋମିକ୍ ରିଲେସନ୍ସ(ଆଇସିଆର୍ଆଇଇଆର୍) ର ପ୍ରଫେସର ଅର୍ପିତା ମୁଖାର୍ଜୀ ପ୍ରକାଶ କରିଛନ୍ତି । ଭାରତ ବାଂଲାଦେଶରୁ ଲୁହା, ଇସ୍ପାତ ଉତ୍ପାଦ, ବୟନ ଏବଂ ଚମଡ଼ା ଉତ୍ପାଦ ଆଦି ଆମଦାନି କରିଥାଏ । ହିଂସାର ମାହୋଲ ଯୋଗୁ ସୋମବାର ଅପରାହ୍ନରୁ ଉଭୟ ଦେଶ ମଧ୍ୟରେ କାରବାର ଏକ୍ଦମ୍ ଠପ୍ ହୋଇଯାଇଥିବା ବ୍ୟବସାୟୀମାନଙ୍କ ପକ୍ଷରୁ ସୂଚନା ମିଳିଛି ।