ସରକାରୀ ଚାକିରି କରିବାକୁ ଆଉ ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରି ପାଠ ପଢ଼ିବାକୁ ପଡ଼ିବ ନାହିଁ। ଟଙ୍କା ଦେଲେ ଚାକିରି ମିଳିଯିବ। ରାଜ୍ୟରେ ଏବେ ଏମିତି ଏକ ଚାକିରି ବିକ୍ରି ରାକେଟ୍ ସକ୍ରିୟ ହୋଇଥିବା ଜଣାଯାଇଛି। ସେମାନେ ଆଶାୟୀଙ୍କୁ ଏମିତି ନିର୍ଭରଯୋଗ୍ୟ ଚାକିରି ପ୍ରତିଶ୍ରୁତି ଦେଇ ଟଙ୍କା ଆଦାୟ କରୁଛନ୍ତି। ଏହି ଦଲାଲ୍ ଗୋଷ୍ଠୀ ବିଶେଷକରି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍ଏସ୍ଏସ୍ସି) ପକ୍ଷରୁ କରାଯାଉଥିବା ପରୀକ୍ଷାରେ ଆଶାୟୀଙ୍କୁ ନିଯୁକ୍ତି ଦେବାକୁ କହି ସେମାନଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଲୁଟୁଛନ୍ତି। ଭିନ୍ନଭିନ୍ନ ନିଯୁକ୍ତି ପାଇଁ ଟଙ୍କା ମଧ୍ୟ ଅଲଗା ରହିଛି। ଫରେଷ୍ଟର୍, ଫରେଷ୍ଟଗାର୍ଡ ଓ ଲାଇଭ୍-ଷ୍ଟକ୍ ଇନ୍ସପେକ୍ଟର୍ ପାଇଁ ୧୬ଲକ୍ଷରୁ ୨୦ଲକ୍ଷ ନେଉଥିବା ବେଳେ ଆର୍ଆଇ, ଅମିନ ଓ ଏସ୍ଏଫ୍ଏସ୍ ଚାକିରି ପାଇଁ ୧୭ଲକ୍ଷ ଟଙ୍କା ଦାବି କରୁଛନ୍ତି ।
ରାଜ୍ୟରେ ଏକ ନିର୍ଦ୍ଦିଷ୍ଟ ଦଲାଲ ଗୋଷ୍ଠୀ ସରକାରୀ ଚାକିରି ଦେବା ନାଁରେ ପିଲାଙ୍କୁ ଠକିବା ପାଇଁ ସକ୍ରିୟ ହୋଇଉଠିଛନ୍ତି। ଓଡ଼ିଶାରେ ଏହି ରାକେଟ୍ର ଚେର ପ୍ରତି ଜିଲ୍ଲାକୁ ଲମ୍ବିଛି। ଏମାନେ ଆଶାୟୀଙ୍କୁ ନିଶ୍ଚିତ ସରକାରୀ ଚାକିରିର ପ୍ରଲୋଭନ ଦେଖାଇ ପର୍ଯ୍ୟାୟକ୍ରମେ ଲୁଟୁଛନ୍ତି। ଅଗ୍ରିମ ଆକାରରେ ସେମାନଙ୍କଠାରୁ ପ୍ରଥମେ ୨ରୁ ୩ଲକ୍ଷ ଲେଖାଏଁ ଆଦାୟ କରିବା ପରେ ଅବଶିଷ୍ଟ ଅର୍ଥ ପର୍ଯ୍ୟାୟକ୍ରମେ ଦେବାକୁ କହୁଛନ୍ତି।
ତେବେ ପଞ୍ଝାରୁ ଯେମିତି ଆଶାୟୀ ଖସି ନଯିବେ, ସେଥିପାଇଁ ସେମାନଙ୍କଠାରୁ ଗୋଟିଏ ଗୋଟିଏ ବ୍ଲାଙ୍କଚେକ୍ ନେଇ ଯାଉଛନ୍ତି। ଚାକିରି ପାଇବାର ଦୁଇମାସ ମଧ୍ୟରେ ଟଙ୍କା ଦେବାକୁ କୁହାଯାଉଛି। ଚାକିରି ନ ହେଲେ ତୁରନ୍ତ ସମସ୍ତ ଟଙ୍କା ଫେରସ୍ତ କରାଯିବ ବୋଲି ମଧ୍ୟ କୁହାଯାଉଛି। ନଗଦ ଟଙ୍କା ଦେବାକୁ ଆଶାୟୀମାନେ ଅରାଜି ହେଲେ, ୟୁପିଆଇ ଟ୍ରାନ୍ଜାକସନ୍ ମଧ୍ୟ କରୁଛନ୍ତି। ଫଳରେ ଆଶାୟୀଙ୍କ ପାଖରେ ଟଙ୍କା ଦେବାର ପ୍ରମାଣ ମଧ୍ୟ ରହୁଛି। ଚାକିରି ନ ପାଇଲେ ଫେରସ୍ତ ପାଇଁ ଦାବି କରୁଛନ୍ତି।
More Stories
ଅଦରକାରୀ ଭାବି ଫିଙ୍ଗନ୍ତୁ ନାହିଁ ଶୁଖିଲା ଫୁଲ
ଏହି ସୁପର୍ ଫୁଡ୍ ଖାଇ ଘଟାନ୍ତୁ ଓଜନ..
ଏହି ରୋଗ ଥିଲେ ଅଧିକ କଲରା ଖାଇବା ମନା