The Topmost

“The eyes believe themselves, the ears believe other people.”

୫ ବର୍ଷରେ ହଜାର ହଜାର ଜୀବନ ନେଇଛି ସଡକ ଦୁର୍ଘଟଣା; ଗୃହରେ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ରିପୋର୍ଟ..

ସଡକ ଦୁର୍ଘଟଣା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ । ଗତ ୫ ବର୍ଷ ମଧ୍ୟରେ ସଡକ ଦୁର୍ଘଟଣାରେ କେତେ ଜୀବନ ଯାଇଛି, କେଉଁ ବର୍ଷ କେତେ ବ୍ୟକ୍ତିଙ୍କୁ କେତେ ସୋଲାଟିୟମ ଅର୍ଥରାଶି ପ୍ରଦାନ କରାଯାଇଛି, ଏପରିକି ଅଜଣା ଗାଡି ଧକ୍କାରେ କେତେ ବ୍ୟକ୍ତିଙ୍କ ଜୀବନ ଯାଇଛି । ଏନେଇ ଗୃହରେ ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ମୋହନ ଚରଣ ମାଝୀ । ଆଉ ବିଭାଗୀୟ ମନ୍ତ୍ରୀ ଯେଉଁ ଲିଖିତ ଉତ୍ତର ରଖିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଦେଇଛି । ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ଗତ ୫ ବର୍ଷ ମଧ୍ୟରେ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ହେଉଛି ୪୯୪୭ । ସେହିଭଳି ସୋଲାସିୟମ ପାଣ୍ଠିର ସୁବିଧା ଗ୍ରହଣ କରିଥିବା ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଇଥିବା ରିପୋର୍ଟରେ ଦର୍ଶାଯାଇଛି । ୨୦୧୯ରେ ୨୯, ୨୦୨୦ରେ ୬୩, ୨୦୨୧ରେ ୧୬୪ ଏବଂ ୨୦୨୨ ଜୁନ୍ ସୁଦ୍ଧା ୧୧୬ ଜଣଙ୍କୁ ସୋଲାସିୟମ ପାଣ୍ଠିର ସୁବିଧା ମିଳିଥିବା କୁହାଯାଇଛି । ଏହାଛଡା ଗତ ୫ ବର୍ଷ ମଧ୍ୟରେ ଗାଡି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇଛି । ୨୦୧୭ରେ ୧୦୮୫୫ଟି ଦୁର୍ଘଟଣା ହୋଇଥିବା ବେଳେ ୪୭୯୦ ଜଣ ମୃତ୍ୟୁବରଣ କରିଥିଲେ । ସେହିଭଳି ୨୦୧୮ରେ ୧୧୨୬୨ଟି ଦୁର୍ଘଟଣାରେ ୫୩୧୫ ଜଣ, ୨୦୧୯ରେ ୧୧୦୬୪ଟି ଦୁର୍ଘଟଣାରେ ୫୩୩୩, ୨୦୨୦ରେ ୯୮୧୭ଟି ଦୁର୍ଘଟଣାରେ ୪୭୩୮, ୨୦୨୧ରେ ୧୦୯୮୪ଟି ଦୁର୍ଘଟଣାରେ ୫୦୮୧ ଜଣଙ୍କର ପ୍ରାଣ ଯାଇଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ।