The Topmost

“The eyes believe themselves, the ears believe other people.”

ସିକନ୍ଦରାବାଦର ହିଂସାର ମାଷ୍ଟର ମାଇଣ୍ଡ ଗିରଫ

ସିକନ୍ଦରାବାଦ: ଅଗ୍ନିପଥ ଯୋଜନାକୁ ବିରୋଧ କରି ତେଲେଙ୍ଗାନାର ସିକନ୍ଦରାବାଦ ରେଳ ଷ୍ଟେସନରେ ଗତ ଶୁକ୍ରବାର ପ୍ରବଳ ହିଂସାକାଣ୍ଡ ଘଟିଥିଲା। ପୁଲିସ୍‌ ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଜଣେ ପୂର୍ବତନ ସେନା କର୍ମଚାରୀଙ୍କୁ ଗିରଫ କରିଛି। ସେ ହିଁ ଆନ୍ଦୋଳନ କରିବାକୁ ଉସକାଇବା ସହ ଭଙ୍ଗାରୁଜା କରିବାକୁ ପ୍ରବର୍ତ୍ତାଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ୍‌ ଜାଣିବାକୁ ପାଇଛି।

ପୁଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗିରଫ ପୂର୍ବତନ ସେନା କର୍ମଚାରୀ ଜଣଙ୍କ ହେଲେ ଅଭୁଲା ସୁବା ରାଓ। ସେ ରେଳ ଷ୍ଟେସନରେ ଘଟିଥିବା ହିଂସାର ମାଷ୍ଟରମାଇଣ୍ଡ। ଆନ୍ଦୋଳନକାରୀମାନେ ଷ୍ଟେସନରେ ଭଙ୍ଗାରୁଜା କରିବା ସହ ଏକାଧିକ ଟ୍ରେନରେ ନିଆଁ ଲଗାଇ ଦେଇଥିଲେ। ପୁଲିସ୍‌ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମ ଲାଠି ଚାର୍ଜ କରିଥିଲା।

ସ୍ଥିତି ନ ସୁଧୁରିବାକୁ ପୁଲିସକୁ ଗୁଳି ଚଳାଇବାକୁ ପଡ଼ିଥିଲେ। ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ମଧ୍ୟ ଘଟିଥିଲା। ସୁବା ରାଓ ଅଗ୍ନିପଥ ଯୋଜନା ବିରୋଧରେ ଯୁବକମାନଙ୍କୁ ଉସକାଇବା ପାଇଁ ଗୋଟିଏ ହ୍ୱାଟସଆପ ଗ୍ରୁପ ଖୋଲିଥିଲେ। ଏହା ମାଧ୍ୟମରେ ସେ ଯୁବକମାନଙ୍କୁ ଏକାଠି କରିଥିଲେ ଓ ସିକନ୍ଦରାବାଦର ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିବାକୁ କହିଥିଲେ।

ସୁବା ରାଓଙ୍କ ଘର ଆନ୍ଧ୍ର ପ୍ରଦେଶର ପ୍ରକାସମ ଜିଲ୍ଲାରେ। ସେ ସେନାରେ ଭର୍ତ୍ତି ହେବାକୁ ଲକ୍ଷ୍ୟ ରଖିଥିବା ପିଲାମାନଙ୍କୁ ତାଲିମ ଦେବା ପାଇଁ ଏକାଧିକ ଅନୁଷ୍ଠାନ ଖୋଲିଛନ୍ତି। ହାଇଦ୍ରାବାଦର ନାରସାରାଓପେଟ ବ୍ୟତୀତ ୭ଟି ଅନ୍ୟ ସ୍ଥାନରେ ତାଙ୍କର ତାଲିମ ଏକାଡେମୀ ରହିଛି। ବେଶ କିଛି ବର୍ଷ ଧରି ସେ ଏପରି ଏକାଡେମୀ ଚଳାଇ ଆସୁଛନ୍ତି। ଘଟଣା ପରେ ପୁଲିସ୍‌ ତାଙ୍କୁ ଶନିବାର ଜେରା ପାଇଁ ଡାକିଥିଲେ। ଦୀର୍ଘ ଘଣ୍ଟାର ଜେରା ପରେ ରବିବାର ତାଙ୍କୁ ଗିରଫ କରାଯାଇଥିବା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ସିକନ୍ଦରାବାଦରେ ହୋଇଥିବା ହିଂସାକାଣ୍ଡ ଓ ପୁଲିସ୍‌ର ଗୁଳିମାଡ଼ରେ ୧୯ ବର୍ଷୀୟ ରାଜେଶଙ୍କ ଜୀବନ ଯାଇଛି। ତାଙ୍କ ଘର ଆନ୍ଧ୍ରର ୱାରଙ୍ଗଲରେ। ଏଥିସହ ୧୨ରୁ ଅଧିକ ଆନ୍ଦୋଳନକାରୀ ଆହତ ମଧ୍ୟ ହୋଇଥିଲେ।