ରାଜ୍ୟରେ ଆଉ କୌଣସି ସହର ଭିତର ଅଥବା ଜନଗହଳିପୂର୍ଣ୍ଣ ଅଞ୍ଚଳରେ ରହିବ ନାହିଁ ଜେଲ୍। ସହର ଭିତରେ ଜେଲ୍ ରହୁଥିବାରୁ ଏହାଦ୍ବାରା ସାଧାରଣ ଚଳପ୍ରଚଳ ପ୍ରଭାବିତ ହେଉଛି। ଏଥିପାଇଁ ରାଜ୍ୟର ୧୩ଟି ଜେଲ୍କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ୬ଟି ଜେଲ୍ ପାଇଁ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୨୦୨୬-୨୭ ବର୍ଷରେ ଏସବୁର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଜେଲ୍ ବିଭାଗ ଆସନ୍ତା ୫୦ ବର୍ଷକୁ ଦୃଷ୍ଟିରେ ରଖି କଏଦୀଙ୍କ ସଂଖ୍ୟା ବୃଦ୍ଧି ସମସ୍ୟାକୁ ଏଡ଼ାଇବା ପାଇଁ ଅତ୍ୟାଧୁନିକ ଜେଲ୍ ନିର୍ମାଣ କରିବାକୁ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛି।
ରାଜ୍ୟରେ ଏବେ ୮୬ଟି ଜେଲ୍ ଥିବା ବେଳେ ସର୍କଲ ଜେଲ୍ ସଂଖ୍ୟା ୫ରୁ ୭କୁ ବୃଦ୍ଧି ପାଇଛି। ଜେଲ୍ରେ ଏବେ ୨୩ ହଜାର ୫୨୬ କଏଦୀଙ୍କ ରହଣି ବ୍ୟବସ୍ଥା ଥିବା ବେଳେ ୧୭ ହଜାର ୧୮୫ ଜଣ କଏଦୀ ଅଛନ୍ତି। କିନ୍ତୁ ବିଭିନ୍ନ ଜେଲରେ କଏଦୀ ରହିବା କ୍ଷମତା ଆଉ ୧୧୨୫କୁ ବୃଦ୍ଧି କରିବା ଯୋଜନା ରହିଛି। କରୋନା ସମୟରେ କଏଦୀ ସଂଖ୍ୟା ଢେର୍ ଅଧିକ ହୋଇଯାଇଥିଲା। ଜେଲ୍ ବିଭାଗ ୧୩ଟି ଜେଲ୍ର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏହି ତାଲିକାରେ ଥିବା ଭୁବନେଶ୍ବର ଝାରପଡ଼ା ଜେଲ୍ ଜାମୁଝରୀକୁ ସ୍ଥାନାନ୍ତର କରାଯିବା ପରେ କଏଦୀ ରହିବା କ୍ଷମତା ୯୯୧ରୁ ୨ ହଜାରକୁ ବୃଦ୍ଧି ପାଇଛି। ସେହିଭଳି ଯାଜପୁରରେ ୧୩୩ ଓ ଭଦ୍ରକରେ ୨୦୧ କଏଦୀଙ୍କ ରହିବା ବ୍ୟବସ୍ଥା ଥିବା ବେଳେ ପ୍ରତି ଜେଲ୍ରେ ଏହାକୁ ୫୦୦ କରିବା ଯୋଜନା ରହିଛି। ବାରିପଦା ସର୍କଲ ଜେଲ୍ ଓ ସୁନ୍ଦରଗଡ, କେନ୍ଦୁଝର ଜେଲ୍ ପାଇଁ ଜମି ସ୍ଥିର ହୋଇସାରିଛି। ସେଠାରେ ମଧ୍ୟ ନିର୍ମାଣ କାମ ଖୁବ୍ଶୀଘ୍ର ଆରମ୍ଭ କରାଯିବ।
୧୩ଟି ଜେଲ୍ ତାଲିକାରେ କୋରାପୁଟ, ସମ୍ବଲପୁର ଭଳି ୧୦୦ ବର୍ଷରୁ ଅଧିକ ପୁରୁଣା ଜେଲ୍ ମଧ୍ୟ ରହିଛି। ଏହି ଜେଲ୍ଗୁଡ଼ିକରେ ପରିଚାଳନା ସମସ୍ୟା ହେଉଛି। ବାରମ୍ବାର ମରାମତି କରିବାକୁ ଆବଶ୍ୟକତା ରହୁଥିବାରୁ ଜେଲ୍ ବିଭାଗ ପ୍ରତ୍ୟେକ ବର୍ଷ ଆର୍ଥିକ ବୋଝ ସହୁଛି। ନୂଆ କରି ଖୋଲିବାକୁ ଯାଉଥିବା ଅତ୍ୟାଧୁନିକ ଜେଲ୍ଗୁଡ଼ିକରେ ଏଆଇ କ୍ୟାମେରା ବ୍ୟବସ୍ଥା, ଇ-କୋର୍ଟ ରୁମ୍,ଏକାଧିକ ଭିସି ବ୍ୟବସ୍ଥା କରାଯିବ। ଜେଲ୍ ଭିତରେ କଏଦୀଙ୍କ ଶୃଙ୍ଖଳିତ ରହିବା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯିବ। ଆଗାମୀ ଦିନରେ କଏଦୀଙ୍କୁ ଜେଲ୍ରୁ କୋର୍ଟକୁ ବାରମ୍ବାର ନିଆଯିବା ବଦଳରେ ଜେଲ୍ ଭିତରେ ଥିବା ଇ-କୋର୍ଟ ରୁମ୍ରେ ଅଭିଯୁକ୍ତଙ୍କୁ ହାଜର କରାଯିବା ଯୋଜନା ବି ରହିଛି।
More Stories
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ଖୁବଶୀଘ୍ର ରାଜ୍ୟରେ କାର୍ଯ୍ୟକ୍ଷମ ହେବ 10ଟି ବଡ ଶିଳ୍ପ