ଶ୍ରୀନଗରରେ ହେବ ଜି-20 ବୈଠକ

ପାକିସ୍ତାନ ଓ ଚୀନର ଆପତ୍ତି ସତ୍ତ୍ୱେ ଭାରତ ସରକାର ଶ୍ରୀନଗରରେ ଜି-୨୦ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନ ବାରମ୍ବାର ଏପରି ବୈଠକକୁ ବିରୋଧ କରୁଥିବା ବେଳେ ନିକଟରେ ଚୀନ୍ ମଧ୍ୟ ପରୋକ୍ଷରେ ଆପତ୍ତି କରିଥିଲା । ହେଲେ ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ସରକାର ଏଠାରେ ଜି-୨୦ ବୈଠକ ପାଇଁ ତାରିଖ ଘୋଷଣା କରିଛନ୍ତି । ଭାରତ ସରକାର ଜି-୨୦ ବୈଠକ ଶ୍ରୀନଗରରେ ଆୟୋଜନ କରିବାକୁ ପ୍ରସ୍ତୁତି କରୁଥିବା ବେଳେ ପାକିସ୍ତାନ ନୂଆ ଗୋଟି ଚାଳନା କରିଥିଲା। ଜି-୨୦ ଦେଶଗୁଡ଼ିକ ମଧ୍ୟରେ ଥିବା ସାଉଦି ଆରବ, ତୁର୍କୀ ଓ ଚାଇନା ଭଳି ଦେଶ ସହ ପାକିସ୍ତାନ ଯୋଗାଯୋଗ କରି କେମିତି ଶ୍ରୀନଗରରେ ଜି-୨୦ ବୈଠକ ନ ହେବ, ତା’ର ରଣନୀତି କରିଥିଲା। ସେହିପରି ଭାରତ ସରକାର ଅରୁଣାଚଳ ପ୍ରଦେଶରେ ମଧ୍ୟ ଜି-୨୦ ବୈଠକ କରିଥିବାରୁ ଚାଇନା କ୍ଷୁବ୍ଧ ହୋଇଥିଲା। ଏଥିପାଇଁ ବେଜିଂ ପକ୍ଷରୁ ଏକତରଫା ଭାବେ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାଁ ପରିବର୍ତ୍ତନ କରି ଦିଆଯାଇଥିଲା। ଏହାକୁ ଭାରତ ସରକାର ଗ୍ରହଣ କରି ନାହାନ୍ତି। ଚାଇନା କ୍ଷୁବ୍ଧ ଥିବାରୁ ପାକିସ୍ତାନ ଏହାର ଫାଇଦା ଉଠାଇ ଜମ୍ମୁ-କଶ୍ମୀର କାର୍ଡ ଖେଳିଥିଲା।

SHARE BY