The Topmost

“The eyes believe themselves, the ears believe other people.”

‘ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୪’

ଆଜିଠୁ ୟୁନିଟ୍‌‌-୧ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ହେବ ‘ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୪’ । ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଳାକୁ ଉଦ୍‌‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପୃଷ୍ଠପୋଷକତାରେ ଆୟୋଜିତ ହେବାକୁ ଥିବା ଏହି ମେଳାର ଉଦ୍‌‌ଘାଟନୀ ଉତ୍ସବରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ । ଚଳିତବର୍ଷ ମେଳା ପରିସରରେ ୧୦୭ଟି ଷ୍ଟଲରେ ଜନଜାତିଙ୍କ ବିଭିନ୍ନ କାରିଗରୀ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନୀ ଓ ବିକ୍ରିବଟା ପାଇଁ ବ୍ୟବସ୍ଥା ହୋଇଛି । ଏହାସହ ୧୦ଟି ଘର ବା ଆଦିବାସୀ ଗ୍ରାମରେ ଦେଖିବାକୁ ମିଳିବ ଜନଜାତିଙ୍କ ଜୀବନଶୈଳୀ । ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ବଜାର ଆଦି ମେଳାର ଆକର୍ଷଣ ପାଲଟିବ । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାସ କରୁଥିବା ୬୨ଶ୍ରେଣୀର ଆଦିବାସୀ ବର୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଭୁବନେଶ୍ୱରରେ ‘ଆଦିବାସୀ ମେଳା’ ଆୟୋଜନ କରାଯାଇଥାଏ । ଆଦିବାସୀମାନଙ୍କର ହସ୍ତଶିଳ୍ପ, କଳାକୃତି, କୃଷିଜାତ ସାମଗ୍ରୀ ଏବଂ ସେମାନଙ୍କ ଦ୍ୱାରା ଜଙ୍ଗଲରୁ ସଂଗୃହୀତ ଦ୍ରବ୍ୟଗୁଡ଼ିକ ପ୍ରଦର୍ଶିତ କରାଇବା ଓ ସେ ସବୁର ବିକ୍ରି ନିମନ୍ତେ ଏକ ବଜାର ସୃଷ୍ଟି କରିବା ମେଳାର ମୁଖ୍ୟ ଉଦ୍ଦେଶ୍ୟ । ଜନଜାତି ବର୍ଗଙ୍କର ସଂସ୍କୃତି, ନୃତ୍ୟ, ସଙ୍ଗୀତ ଓ ଜୀବନଯାପନ ଶୈଳୀକୁ ରାଜ୍ୟବାସୀଙ୍କ ସହ ପରିଚିତ କରାଇବା ମଧ୍ୟ ଅନ୍ୟ ଏକ ଲକ୍ଷ୍ୟ । ଚଳିତ ବର୍ଷ ମେଳା ଫେବୃଆରୀ ୫ତାରିଖ ପର୍ଯ୍ୟନ୍ତ ଚାଲିବ । ଅପରାହ୍ନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମେଳା ଖୋଲା ରହିବ ।