ବଣେଇର ଶାସକ ରାଜା ବିଷ୍ଣୁବର୍ଦ୍ଧନ ପ୍ରଜା ବତ୍ସଳ ରାଜା ଭାବେ ରାଜ୍ୟ ଶାସନ କରୁଥିଲେ। ତାଙ୍କ ଦରବାରରୁ କେହି ଶୂନ୍ୟ ହସ୍ତରେ ଫେରୁ ନଥିଲେ। ଏକଦା ଜଣେ ଫକିର ବାବା ତାଙ୍କ ଦରବାରରକୁ ଆସିଲେ କିଛି ଦାନ ଆଶାରେ, ରାଜା ଫକିରଙ୍କୁ ମଧ୍ୟ ଅନେକ ଦାନ ଦେଲେ ଫକିର ରାଜାଙ୍କୁ ପଚାରିଲେ ଆପଣ ଦୁଃଖୀ କାହିଁକି ? ରାଜା କହିଲେ ମହାଭାଗ ମୋର ସବୁଅଛି ହେଲେ ସନ୍ତାନଟିଏ ପାଇଁ ମୁଁ ବହୁତ ଦୁଃଖୀତ। ଏହା ଶୁଣି ଫକିର କିଛି ସମୟ ମନ୍ତ୍ର ପାଠ କରି କହିଲେ ଆଜିଠାରୁ ଠିକ୍ ନଅ ମାସ ପରେ ଆପଣଙ୍କ ରାଜମହଲ କୋଳାହଳରେ ପୂରି ଉଠିବ, ଏବଂ ଆଶିର୍ବାଦ ଦେଇ ଚାଲିଗଲେ। ଠିକ୍ ନଅ ମାସ ପରେ ରାଣୀଙ୍କର ପୁତ୍ର ସନ୍ତାନଟିଏ ଜନ୍ମ ହେଲା।
ରାଜା ବ୍ରାହ୍ମଣମାନଙ୍କୁ ଡକାଇ ନାମକରଣ କରାଇଲେ। ପୁତ୍ରର ନାମ ରଖିଲେ ବଜ୍ରସେନ। ଆନନ୍ଦ ଉଲ୍ଲାସରେ ଦିନ କଟିଗଲା। ବଜ୍ରସେନକୁ ୭ବର୍ଷ ହେବାରୁ ବିଦ୍ୟା ଶିକ୍ଷା ଲାଗି ଗୁରୁଙ୍କ ଆଶ୍ରମକୁ ପଠାଇ ଦେଲେ। ଆଶ୍ରମରେ ୧୦ବର୍ଷ ରହି ବିଭିନ୍ନ ପ୍ରକାରର ବିଦ୍ୟା ଅଧ୍ୟୟନ କଲେ। ବିଦ୍ୟା ଶିକ୍ଷା ସମାପ୍ତ ହେବାରୁ ସେ ଆଶ୍ରମ ଗୁରୁଙ୍କ ପାଖକୁ ଯାଇ ଗୁରୁଙ୍କୁ ପ୍ରଣାମ କଲେ। ଗୁରୁ ଆଶିର୍ବାଦ ବଦଳରେ ତାଙ୍କ ପିଠିକୁ ଶକ୍ତ ପ୍ରହାର କଲେ। ବଜ୍ରସେନ ମନ ଦୁଃଖରେ ରାଜମହଲକୁ ଫେରିଲେ ମଧ୍ୟ ଗୁରୁଙ୍କୁ କିଛି କହି ପାରିଲେ ନାହିଁ। ଏହା ଭିତରେ ଅନେକ ଦିନ କଟିଗଲା, ରାଜା ବିଷ୍ଣୁ ବର୍ଦ୍ଧନଙ୍କ ମୃତ୍ୟୁ ପରେ ବଜ୍ରସେନଙ୍କ ରାଜାଭିଷେକ ହେଲା।
ରାଜା ହେବାପରେ ବିନା ଦୋଷରେ ମାଡ଼ ମାରିଥିବା ଗୁରୁଙ୍କୁ ରାଜ ଦରବାରକୁ ଡକାଇଲେ। ଗୁରୁ ଦରବାରକୁ ଆସି ପହଞ୍ଚିଲେ। ରାଜା ବଜ୍ରସେନ ତାଙ୍କୁ ପଚାରିଲେ ଗୁରୁଜୀ ମୁଁ ଆଶ୍ରମରୁ ଫେରିଲା ବେଳେ ବିନା ଦୋଷରେ କାହିଁକି ମୋତେ ପ୍ରହାର କଲେ? ଗୁରୁ କହିଲେ ବିନା କାରଣରେ ମୁଁ ତୁମକୁ ଦଣ୍ଡ ଦେଇଛି ବୋଲି, ତାହା ଆଜି ମଧ୍ୟ ତୁମ ମନକୁ କଷ୍ଟ ଦେଉଛି। ହଁ – ଭୁଲ୍ କରିଥିବା ଲୋକ ନିଜ ଦଣ୍ଡକୁ ଭୁଲିଯାଏ କିନ୍ତୁ ଭୁଲ୍ କରିନଥିବା ଲୋକ ଦଣ୍ଡକୁ କେବେବି ଭୁଲି ନଥାଏ। ଏଣୁ କେବେବି ଭୁଲ୍ କରିନଥିବା ଲୋକକୁ ଦଣ୍ଡ ଦେଇ ତା’ର ମନକୁ କଷ୍ଟ ଦେବନାହିଁ। ତୁମର ସୁନେଲି ଭବିଷ୍ୟତ ପାଇଁ ତାହା ତୁମ ପାଇଁ ଥିଲା ମୋର ଅନ୍ତିମ ଶିକ୍ଷାୋ। ସେଥିପାଇଁ ମୁଁ ଆଶିର୍ବାଦ ବଦଳରେ ତୁମକୁ ଅକାରଣେ ମାଡ଼ ଦେଇଥିଲି। ଗୁରୁଙ୍କ ପ୍ରତି ରାଜାଙ୍କର ଯେଉଁ ଘୃଣା ଭାବ ଥିଲା, ତାହା କ୍ଷଣକ ମଧ୍ୟରେ ଦୂର ହୋଇଗଲା।
ସେ ନିଜର ଭୁଲ ବୁଝିପାରିଲେ ଏବଂ ଗୁରୁଙ୍କ ପାଦତଳେ ପଡ଼ି କ୍ଷମା ମାଗିଲେ। ଆଉ କହିଲେ ଗୁରୁଦେବ, ଆପଣ ମହାନ। ମୁଁ ଆପଣଙ୍କ ଅନ୍ତିମ ଶିକ୍ଷାକୁ ଜୀବନ ସାରା ପାଳନ କରିବି। କେବେ କୌଣସି ନିର୍ଦ୍ଦୋଷୀକୁ ଦଣ୍ଡ ଦେବି ନାହିଁ। ଗୁରୁଙ୍କୁ ରାଜା ଉତ୍ତମ ସତ୍କାର କରି ଆଶ୍ରମକୁ ପଠାଇଲେ।।https://thetopmost.in/TOPMOST%20UPDATE/chattishgarh-barrage-gate-open/
More Stories
ରାମ ନବମୀ ପାଇଁ ଅନୁମତି ନାହିଁ
ରାମ ନବମୀରେ ଅଯୋଧ୍ୟାରୁ ଲାଇଭ୍ ଷ୍ଟ୍ରିମ୍ କରିବେ ବଚ୍ଚନ୍
କେମିତି ଦେଖିବେ ରାମ ଲାଲାଙ୍କ ଅଭିଶେକ ସହିତ ସୂର୍ଯ୍ୟତିଳକ ବିଧି