The Topmost

“The eyes believe themselves, the ears believe other people.”

ମଣିପୁର ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ବିକ୍ଷୋଭର ନିଆଁ

ମଣିପୁର ଭିଡିଓ ଭାଇରାଲକୁ ନେଇ ସାରା ଦେଶ ସ୍ତବ୍ଧ । ନ୍ୟାୟ ଦାବିରେ ଦେଶର ବିଭିନ୍ନ ପ୍ରାନ୍ତରେ ଜୋରଦାର ଚାଲିଛି ବିକ୍ଷୋଭ । ସୋସିଆଲ ମିଡିଆରେ ଘଟଣାକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଉଥିବା ବେଳେ ସରକାରଙ୍କ ବିଫଳତା ପାଇଁ ବିଜେପିର ଡବଲ ଇଞ୍ଜିନ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସେପଟେ ତିନି ମାସ ଧରି ମଣିପୁର ଜଳୁଥିବା ବେଳେ ସରକାର ହିଂସା କାବୁ କରିବାରେ ବିଫଳ ହୋଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂଙ୍କ ଇସ୍ତଫା ଦାବିରେ ମଣିପୁରରେ କଳା ପୋଷାକ ପିନ୍ଧି ମାର୍ଚ୍ଚ କରିଛନ୍ତି ବିକ୍ଷୋଭକାରୀ । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଥିବା ବେଳେ ଶତାଧିକ ଲୋକଙ୍କ ମୃତ୍ୟୁ ସହ ପ୍ରାୟ ୭୦ ହଜାର ଲୋକ ବାସହିନ ହୋଇଛନ୍ତି । କୁକୀ ସମ୍ପ୍ରଦାୟର ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ପରେଡ କରାଇବା ଓ ଗଣଦୁଷ୍କର୍ମ କରିବାର ଭିଡିଓ ଭାଇରାଲ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧି । ଭିଡିଓ ଭାଇରାଲ ଘଟଣାରେ ମାମଲା ରୁଜୁ ହେବା ପରେ ବି କାହିଁକି କାର୍ଯ୍ୟନୁଷ୍ଠାନ ନିଆଯାଇନି ବୋଲି ପ୍ରଶ୍ନ କରିବାରୁ, ଏଭଳି ଶହ ଶହ ଅଭିଯୋଗ ଆସୁଛି । ପୋଲିସ ଷ୍ଟେସନରେ ଶତାଧିକ FIR ପଡ଼ିରହିଛି । ସବୁ ଘଟଣା ସମ୍ପର୍କରେ ବୁଝିବା ସମ୍ଭବ ନୁହେଁ ବୋଲି ଏକ ଗଣମାଧ୍ୟମକୁ କହିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ । ଯାହା ରାଜ୍ୟର ପ୍ରକୃତ ସ୍ଥିତିକୁ ବୟାନ କରୁଛି । ସେପଟେ ଭିଡିଓ ଭାଇରାଲ ଘଟଣାରେ ଏବେସୁଦ୍ଧା ଚାରି ଜଣଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ମଣିପୁରରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ତାମିଲନାଡୁରେ ଜୋରଦାର ବିକ୍ଷୋଭ ହୋଇଛି । ସରକାରଙ୍କ ବିଫଳତାକୁ ନେଇ ନାରାବାଜି କରିଛନ୍ତି କଂଗ୍ରେସ ନେତା । ଚେନ୍ନାଇରେ ବି ସିପିଆଇଏମ୍ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି ।