କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ବିଜେପି ନେତାମାନେ ଦଳୀୟ କାର୍ଯ୍ୟକ୍ରମ ଭାବି ଯେପରି ଆଚରଣ ପ୍ରଦର୍ଶନ କରୁଛନ୍ତି, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହିପରି ଏକ ଘଟଣାରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ୍ ପାତ୍ରଙ୍କୁ ହଟହଟା ହେବାକୁ ପଡ଼ିଛି । ନୟାଗଡ଼ ଜିଲ୍ଲାର ଏକ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ ‘ପ୍ରାୟୋଜିତ ନେତା’ ଭାବରେ ଆକ୍ଷେପ କରିବା ସହ ଏକ କାର୍ଯ୍ୟକ୍ରମର ମଞ୍ଚରୁ ତଳକୁ ଓହ୍ଲାଇ ଯିବାକୁ ବାଧ୍ୟ କରିବା ଶ୍ରୀ ପାତ୍ରଙ୍କ ପାଇଁ ଅପମାନଜନକ ପରିସ୍ଥିତି ସୃଷ୍ଟି କରିଛି । ସ୍ଥାନୀୟ ବିଜେପି ନେତାମାନଙ୍କୁ ଉପେକ୍ଷା କରି ସମ୍ବିତଙ୍କୁ ଗୁରୁତ୍ୱ ଦିଆଯାଉଥିବାରୁ ଏପରି ଅବସ୍ଥା ଭୋଗିବାକୁ ପଡ଼ିଲା ବୋଲି କିଛି ବିଜେପି କର୍ମୀଙ୍କ ଟିପ୍ପଣୀ ଦଳ ପାଇଁ କଟା ଘା’ରେ ଚୂନ ମାରିବା ପରି ହୋଇଛି । ଗତ ସପ୍ତାହକ ମଧ୍ୟରେ ତୃତୀୟ ଥର ପାଇଁ ଏପରି ଘଟଣା ସ୍ଥାନୀୟ ଅଞ୍ଚଳରେ ବିଜେପି ଓ ଏହାର ନେତାଙ୍କ ସ୍ଥିତିକୁ ସ୍ପଷ୍ଟ କରି ଦେଇଛି । ରଣପୁର ବ୍ଲକ ଗୋପାଳପୁରଠାରେ ଶୁକ୍ରବାର ଭାରତ ବିକାଶ ସଂକଳ୍ପ ଯାତ୍ରା ପାଇଁ ଏକ ସଭା ଆୟୋଜନ କରାଯାଇଥିଲା । ସଭାରେ ବିଜେପି ନେତ୍ରୀ ସୁରମା ପାଢ଼ୀ ଏବଂ ସମ୍ୱିତ ପାତ୍ର ଉପସ୍ଥିତ ଥିଲେ। ସମ୍ୱିତ ମଞ୍ଚ ଉପରେ ଭାଷଣ ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଜୋରଦାର ବିରୋଧ କରିଥିଲେ । କାହିଁକି ସରକାରୀ କାର୍ଯ୍ୟକ୍ରମରେ ଅଣନିର୍ବାଚିତ ତଥା ବିଜେପି ନେତା ଉପସ୍ଥିତ ରହିବେ ବୋଲି ପ୍ରଶ୍ନ କରିଥିଲେ । ଶହଶହ ଲୋକଙ୍କ ପ୍ରଶ୍ନକୁ ସାମ୍ନା କରି ନପାରି ସମ୍ୱିତ ଚୁପ୍ ହୋଇ ମଞ୍ଚ ତଳକୁ ଓହ୍ଲାଇ ଆସିବାକୁ ବାଧ୍ୟ ହୋଇଥିଲେ । ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ ଶେଷରେ କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଥିଲା । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମକୁ ନେଇ ବିଜେପି ରାଜନୀତି କରୁଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।
“The eyes believe themselves, the ears believe other people.”
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍