The Topmost

“The eyes believe themselves, the ears believe other people.”

ବେଜିଙ୍ଗରେ ବାତ୍ୟା ‘ଡୋକ୍‌ସୁରି’ ର ପ୍ରଭାବ

୧୪୦ ବର୍ଷ ପରେ ଚୀନ୍‌ରେ ରେକର୍ଡ ପରିମାଣର ବର୍ଷା ହୋଇଛି । ଚୀନ୍‌ର ରାଜଧାନୀ ବେଜିଙ୍ଗରେ ବାତ୍ୟା ‘ଡୋକ୍‌ସୁରି’ ପ୍ରଭାବ । ବର୍ଷା ପାଣିରେ ରାସ୍ତାଘାଟ ସବୁ କେନାଲ୍‌ ପାଲଟି ଯିବାରୁ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଜରୁରୀକାଳୀନ ଟିମ୍‌ ‘ରବର୍‌ ବୋଟ୍‌’ ବ୍ୟବହାର କରିଥିଲେ । ଶନିବାରରୁ ବୁଧବାର ସକାଳ ସୁଦ୍ଧା ବେଜିଙ୍ଗରେ ୭୪୪.୮ ମି.ମି ବର୍ଷା ରେକର୍ଡ କରାଯାଇଥିବା ‘ବେଜିଙ୍ଗ୍‌ ମେଟେଓରୋଲୋଜିକାଲ୍‌ ବ୍ୟୁରୋ’ କହିଛି । ଏହା ପୂର୍ବରୁ ୧୮୮୩ ମସିହାରେ ବେଜିଙ୍ଗରେ ୬୦୯ ମି.ମି ବର୍ଷା ରେକର୍ଡ ହୋଇଛି । ରେକର୍ଡ ପରିମାଣର ବୃଷ୍ଟିପାତ ଯୋଗୁଁ ଜଳସ୍ତର ବିପଦ ସଙ୍କେତ ନିକଟବର୍ତ୍ତୀ ହୋଇ ବେଜିଙ୍ଗ୍‌ ଓ ଚତୁଃପାର୍ଶ୍ବସ୍ଥ ହେବେଇ ପ୍ରଦେଶରେ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା । ବର୍ଷାଯୋଗୁଁ ରାସ୍ତା ଧୋଇଯିବା ସହିତ ବିଜୁଳି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ପାଇପ୍‌ ଯୋଗେ ଚାଲୁଥିବା ପାନୀୟ ଜଳଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ଭୀଷଣ ବର୍ଷା ଯୋଗୁଁ ବେଜିଙ୍ଗରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ନିଖୋଜ ଥିବା ସୂଚନା ।