The Topmost

“The eyes believe themselves, the ears believe other people.”

ବର୍ଷା ହେବ ଧନ, ଏମିତି କରନ୍ତୁ କୁମାରୀ ପୂଜା

ଚୈତ୍ର ମାସରେ ପାଳିତ ହୁଏ ବାସନ୍ତିକ ନବରାତ୍ର। ଏହି ଦୁର୍ଗୋତ୍ସବର ଅନ୍ତିମ ତିଥି ଚୈତ୍ର ଶୁକ୍ଳ ନବମୀ। ଏହିଦିନଟି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କର ଜନ୍ମଦିବସ ଭାବରେ ପାଳିତ ହୋଇଥାଏ। ଶ୍ରୀରାମଙ୍କର ଜନ୍ମଦିବସ ପାଳିତ ହେବା ସହିତ, ନବଦୁର୍ଗା ପୂଜନର ଅନ୍ତିମ ଦିନରେ, ପରଂପରା ଅନୁଯାୟୀ କୁମାରୀ ପୂଜା ଅନୁଷ୍ଠିତ ହୋଇଥାଏ। ପୁରାଣର ବର୍ଣ୍ଣନାମତେ ଏହି କୁମାରୀ କନ୍ୟା ପୂଜନ ଦ୍ୱାରା ମା ଦୁର୍ଗା ସନ୍ତୁଷ୍ଟ ହୋଇଥାନ୍ତି।
ଏହି ପୂଜାରେ ସାଧାରଣତଃ ଦୁଇ ବର୍ଷରୁ ଦଶ ବର୍ଷ ବୟସର ବାଳିକାମାନଙ୍କୁ ଚନ୍ଦନ ଓ କୁଙ୍କୁମରେ ସଜ୍ଜିତ କରି, ମୁଣ୍ଡରେ ନାଲି ଓଢ଼ଣା ଦେଇ, ନବବଧୂ ବେଶରେ ସଜ୍ଜିତ କରାଯାଏ। ପାଦ୍ୟ, ଅର୍ଘ୍ୟ ପ୍ରଦାନ ପୂର୍ବକ ନବଦୁର୍ଗା ଭାବରେ ସେମାନଙ୍କୁ ବନ୍ଦାପନା କରାଯାଏ। ଏହି କୁମାରୀ କନ୍ୟାମାନେ ଯଥାକ୍ରମେ- କୁମାରୀ, ତିମୂର୍ତ୍ତି, କଲ୍ୟାଣୀ, କାଳିକା, ଚଣ୍ଡିକା, ଶାମ୍ଭବୀ, ଦୁର୍ଗା, ସୁଭଦ୍ରା ଓ ରୋହିଣୀ ଭାବରେ ଆରାଧିତା ହୁଅନ୍ତି। କଥିତ ଅଛି, ଏହି ରୂପରେ ପୂଜନ କଲେ ମନୁଷ୍ୟର ଦୁଃଖ ଓ ଦାରିଦ୍ରୢ ନାଶ ହୁଏ। ଶତ୍ରୁ ପରାହତ ହୁଅନ୍ତି। ଧନଧାନ୍ୟ ବୃଦ୍ଧି ପାଏ। ରୋଗ ନାଶନ ହୁଏ ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ।

ଭାରତୀୟ ସଂସ୍କୃତିରେ ନାରୀ ହିଁ ନାରାୟଣୀ; ଅର୍ଥାତ୍ ପ୍ରତ୍ୟେକ ଗୃହର ସେ ସର୍ବମୟୀ କର୍ତ୍ତ୍ରୀ। ପାର୍ବତୀ ଭାବରେ ସେ ବଶମ୍ବଦା ପତ୍ନୀ, ଲକ୍ଷ୍ମୀ ଭାବରେ ସେ ଘରର ଗୃହିଣୀ ଓ ସରସ୍ୱତୀ ଭାବରେ ସେ ପରିବାର ପରିଜନଙ୍କର ଆଦ୍ୟ ଶିକ୍ଷୟିତ୍ରୀ। ଅନ୍ନପୂର୍ଣ୍ଣା ଭାବରେ ସେ ପରିବାରର ସଦସ୍ୟ ଓ ଅତିଥିମାନଙ୍କର କ୍ଷୁଧାତୃଷା ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସେହିପରି, କାଳୀ ରୂପ ଧାରଣ କରି ଆବଶ୍ୟକ ସ୍ଥଳେ ସେ ଦଣ୍ଡ ପ୍ରଦାନ କରିଥାଏ। ଏଣୁ କୁମାରୀପୂଜାର ଅର୍ଥ ହେଉଛି, ପ୍ରତ୍ୟେକ କନ୍ୟାକୁ ତାର ଭବିଷ୍ୟତ ଜୀବନର କର୍ତ୍ତବ୍ୟ ଓ ଦାୟିତ୍ୱ ସଂପର୍କରେ ସୂଚିତ କରିବା। ତେଣୁ ଚୈତ୍ର ମାସରେ, ନବରାତ୍ରର ଅନ୍ତିମ ଦିନରେ ଯେଉଁ କୁମାରୀ ପୂଜା ଅନୁଷ୍ଠିତ ହୁଏ ତାହା ଅତ୍ୟନ୍ତ ଭାବଗର୍ଭକ।

ପୁରୁଷ ଶକ୍ତିମାନ, କିନ୍ତୁ ନାରୀଶକ୍ତି ବିନା ସେ କିଛି କରିବାକୁ ସମର୍ଥ ନୁହେଁ। ସ୍ୱୟଂ ଭଗବାନ ଶ୍ରୀରାମଚନ୍ଦ୍ର ରାବଣକୁ ବଧ କରିବା ନିମିତ୍ତ ଦେବୀଙ୍କ ଆଶୀର୍ବାଦ କାମନା କରିଥିଲେ। ମହିଷାସୁରକୁ ଦେବୀ ହିଁ ବଧ କରିବା ନିମିତ୍ତ ସମର୍ଥ ହୋଇଥିଲେ। ସାରଳାଦାସଙ୍କ ‘ବିଲଙ୍କା ରାମାୟଣ’ ମଧ୍ୟ ଏହି ନାରୀ ଶକ୍ତି ଉପରେ ଆଧାରିତ। ରାମଚନ୍ଦ୍ର ରାବଣବଧର ବିବରଣୀ ଦେଲାବେଳେ ସୀତା କହୁଛନ୍ତି-
“ଜାନକୀ ବୋଇଲେ ପ୍ରଭୁ ପ୍ରତିଜ୍ଞା ନକର,
ମୁହିଁ ନମାଇଲେ କାହୁଁ ମରନ୍ତା ଅସୁର।”
ନାରୀର ଏହି ଦଶରୂପ ହିଁ କୁମାରୀ ପୂଜାର ବୈଶିଷ୍ଟ୍ୟ।

SHARE BY