The Topmost

“The eyes believe themselves, the ears believe other people.”

ଫାଇଲ୍‌‌ ତଳେ ରେଳ ନିରାପତ୍ତା ମାର୍ଗଦର୍ଶିକା

ବାହାନଗା ରେଳ ଦୁର୍ଘଟଣାକୁ ନେଇ ପୂରା ବିଶ୍ୱରେ ଉଦ୍‌‌ବେଗ ପ୍ରକାଶ ପାଇବା ପରେ ରେଳବାଇ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବା ଲାଗି ରେଳବୋର୍ଡ ମାର୍ଗଦର୍ଶିକା ଜାରୀ କରିଥିଲା। ଏହାର କଡ଼ାକଡି ଅନୁପାଳନ ପାଇଁ ସମସ୍ତ ରେଳ ଜୋନ୍‌‌କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏହି ମାର୍ଗଦର୍ଶିକା କେବଳ ନଥି ମଧ୍ୟରେ ରହିଯାଇଥିବା ଅଭିଯୋଗ ହୋଇଛି । ବାହାନଗା ଦୁର୍ଘଟଣାର ତ୍ରୁଟିପୂର୍ଣ୍ଣ ସିଗନାଲିଂ ବ୍ୟବସ୍ଥା ସାମ୍ନାକୁ ଆସିଥିଲା। ସେହିପରି ଚଳିତ ମାସରେ ବିହାରଠାରେ ଘଟିଥିବା ଦୁର୍ଘଟଣାରେ ଟ୍ରାକ୍‌‌ ମରାମତି ଏବଂ ଗତକାଲି ବିଜୟନଗରମ୍‌‌ ନିକଟରେ ଘଟିଥିବା ଦୁର୍ଘଟଣାରେ ପୁନର୍ବାର ତ୍ରୁଟିପୂର୍ଣ୍ଣ ସିଗନାଲ ବ୍ୟବସ୍ଥା ସାମ୍ନାକୁ ଆସିଛି। ଯେଉଁ ନିରାପତ୍ତା ବ୍ୟବସ୍ଥା ପାଇଁ ରେଳ ବୋର୍ଡ ମାର୍ଗଦର୍ଶିକା ଜାରି କଲା, ସେଇଥିରେ ହିଁ ବାରମ୍ବାର ବ୍ୟତିକ୍ରମ ଦେଖାଦେଉଛି। ରେଳ ଚଳାଚଳ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ବାହାନଗା ଦୁର୍ଘଟଣା ପରେ ଜାରୀ ମାର୍ଗଦର୍ଶିକାର ସଠିକ୍‌‌ ଅନୁପାଳନ ହୋଇଥାନ୍ତା, ବିହାର କିମ୍ବା ଆନ୍ଧ୍ରପ୍ରଦେଶରେ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା। ଗୋଟିଏ ପଟେ ନିରାପତ୍ତା କାର୍ଯ୍ୟରେ ସଂଶୋଧନ ନିୟମ କେବଳ ଲୋକଦେଖାଣିଆ ବୋଲି ଅଭିଯୋଗ ହେଉଥିବା ବେଳେ ଅନ୍ୟପଟେ ଦୁର୍ଘଟଣା ଏଡ଼ାଇବା ପାଇଁ ପୂର୍ବରୁ ଯେଉଁ ବୈଷୟିକ କୌଶଳ ରହିଛି, ତାହାର ଉପଯୋଗ ନଗଣ୍ୟ ବୋଲି କୁହାଯାଇଛି। ପୁନଶ୍ଚ ଟ୍ରେନ୍‌ ଧକ୍କା ଏଡ଼ାଇବା ପାଇଁ ପୂର୍ବରୁ ଆଣ୍ଟି-କୋଲାଇଜନ୍‌‌ ଡିଭାଇସ୍‌‌ ପ୍ରଚଳନ ହୋଇଥିଲା ଏବଂ ପରେ କବଚ ନାମରେ ଏହାର ନୂଆ ସଂସ୍କରଣ ଆସିଲା; କିନ୍ତୁ ଏହି ବୈଷୟିକ କୌଶଳର ଉପଯୋଗ କେବଳ କେତେକ ନିର୍ଦ୍ଦିଷ୍ଟ ଟ୍ରେନ୍‌‌ରେ ସୀମିତ ରହିଛି ।