ବଲିଉଡ୍ ଆକ୍ସନ ହିରୋ ଜନ୍ ଆବ୍ରାହମ ତାଙ୍କର ଆଗାମୀ ଫିଲ୍ମ ‘ଆଟାକ’ର ପ୍ରମୋସନରେ ଖୁବ ବ୍ୟସ୍ତ । ଫିଲ୍ମଟି ୧ ଏପ୍ରିଲରେ ଦେଶର ସମସ୍ତ ସିନେମାଘରେ ମୁକ୍ତିଲାଭ କରିବାକୁ ଯାଉଛି । ଆଜିକାଲି ସମସ୍ତ ବଡ଼ ବଡ଼ ସେଲିବ୍ରେଟିମାନେ ନିଜ ନିଜ ଫିଲ୍ମର ପ୍ରମୋସନ ସୋସିଆଲ ମିଡିଆରେ କରୁଛନ୍ତି । ହେଲେ ଏଭଳି ଡିଜିଟାଲ ଯୁଗରେ ଜନ୍ ଏପରି ଜଣେ କଳାକାର, ଯିଏ ସମସ୍ତଙ୍କଠୁ ଭିନ୍ନ । ସେ ସୋସିଆଲ ମିଡିଆରେ ଆବଶ୍ୟକତାରୁ ଅଧିକ ତାଙ୍କର ଫିଲ୍ମର ପ୍ରଚାର କରିବାକୁ ପସନ୍ଦ କରନ୍ତି ନାହିଁ । ନିକଟରେ ଏସମ୍ପର୍କରେ ଏକ ମିଡିଆ ସାକ୍ଷାତକାରରେ ଜନ୍ ଆଲୋଚନା କରିଛନ୍ତି । ଜନ୍ ଆବ୍ରାହମ ଏକଦମ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ ସୋସିଆଲ ମିଡିଆକୁ ନେଇ ଅଧିକ ସଚେତନ ନୁହଁନ୍ତି ଏବଂ ଆଗ୍ରହ ମଧ୍ୟ ରଖନ୍ତି ନାହିଁ । ସେ କହିଛନ୍ତି, ‘କାହାକୁ ଇନଫ୍ଲìଏନ୍ସ କରିପାରିବି ନାହିଁ କାରଣ ମୁଁ ଇନଫ୍ଲìଏନ୍ସର ନୁହେଁ ।’ କେବଳ ଗୋଟିଏ କାରଣରୁ ସେ ସୋସିଆଲ ମିଡିଆକୁ ଆସିଥାନ୍ତି, ତାହା ହେଉଛି ସେ ଜୀବଜନ୍ତୁଙ୍କୁ ବହୁତ ଭଲ ପାଆନ୍ତି । ଜନ୍ ହିଟ୍ ଫିଲ୍ମକୁ ନେଇ ବିଶ୍ୱାସ ରଖିଛନ୍ତି ଯେ ଯଦି ଫିଲ୍ମ ଭଲ ହେବ, ତାହେଲେ ନିଶ୍ଚିତ ଭାବେ ଭଲ ବ୍ୟବସାୟ କରିବ ଏବଂ ଯଦି ଭଲ ନୁହେଁ, ଯାହା କଲେ ବି ଫିଲ୍ମ ହିଟ୍ ହେବ ନାହିଁ ।
ସେପଟେ କରୋନା ଲକଡାଉନ ଯୋଗୁଁ ବଡ଼ ଷ୍ଟାରମାନେ ଓଟିଟି ମୁହାଁ ହେଉଛନ୍ତି, ସେପରି ସମୟରେ ଡିଜିଟାଲ ପ୍ଲାଟଫର୍ମକୁ ନେଇ ଜନ୍ଙ୍କ ବିଚାରଧାର ଭିନ୍ନ ରହିଛି । ସାକ୍ଷାତକାରରେ ଓଟିଟିକୁ ନେଇ ପ୍ରଶ୍ନ ପଚରାଯିବାରୁ ଅଭିନେତା ଜନ୍ ସ୍ପଷ୍ଟ ଉତ୍ତର ଦେଇ କହିଛନ୍ତି, ‘ସେ ବିଗ୍ ସ୍କ୍ରିନ ଷ୍ଟାର, ଓଟିଟିରେ ଆସିବାକୁ ଚାହାନ୍ତି ନାହିଁ ।’ ଲକ୍ଷ୍ୟ ରାଜ୍ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ ଆଟାକ୍ ଏକ ଆକ୍ସନ ଥ୍ରୀଲର ଫିଲ୍ମ । ନିକଟରେ ଏହାର ଟ୍ରେଲର ରିଲିଜ୍ ହୋଇଥିଲା, ଯାହାକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି । ଏଥିରେ ଜନ୍ଙ୍କ ବ୍ୟତୀତ ମୁଖ୍ୟ ଭୂମିକାରେ ପ୍ରକାଶ ରାଜ, ଜ୍ୟାକଲିନ ଫର୍ଣ୍ଣାଡିସ୍ ଏବଂ ରକୁଲ ପ୍ରୀତ ସିଂହ ଅଭିନୟ କରୁଛନ୍ତି । କୁହାଯାଉଛି ଯେ ଏହା ହଲିଉଡ୍ର ସୁପରହିଟ୍ ଫିଲ୍ମ ‘କ୍ୟାପଟେନ୍ ଆମେରିକା’ର ରିମେକ୍ ।
1 thought on “ଜନ୍ ଆବ୍ରାହମଙ୍କ ନିଆରା ଚିନ୍ତାଧାରା”