ନିରାମିଷାଶୀମାନଙ୍କ ପାଇଁ ବିକଳ୍ପ ସ୍ବାଦିଷ୍ଠ ବ୍ୟଞ୍ଜନ ଭାବେ ବ୍ୟବହୃତ ଛତୁ ଆଜିକାଲି ଘରେ ଘରେ ଲୋକପ୍ରିୟ। ଭିଟାମିନ୍ ଡି ଯୋଗାଇପାରୁଥିବା ଏହି ଏକମାତ୍ର ସଜ ଖାଦ୍ୟପଦାର୍ଥ ସମ୍ପର୍କରେ ଅନେକ ଅଜଣା ରୋଚକ ତଥ୍ୟ ମଧ୍ୟ ରହିଛି ଯାହା ଆଶ୍ଚର୍ଯ୍ୟ ମନେହେଲେ ବି ସତ। ଛତୁ ସଜୀବ ହେଲେ ବି ଏହା ପ୍ରାଣୀ କି ଉଦ୍ଭିଦ ଶ୍ରେଣୀର ନୁହେଁ, ଅପରପକ୍ଷେ ଏହା ଏକ ପ୍ରକାର କବକ ବା ଫିମ୍ପି। ତେବେ ତାହା ଜୈବିକ ଗଠନ ଦୃଷ୍ଟିରୁ ଉଦ୍ଭିଦ ଅପେକ୍ଷା ମନୁଷ୍ୟର ନିକଟତର। ଉଦ୍ଭିଦ ପରି ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ସେମାନେ ଖାଦ୍ୟ ପ୍ରସ୍ତୁତ ନକରି ବିଭିନ୍ନ ଜୈବିକ ପଦାର୍ଥରୁ ପୋଷକ ଗ୍ରହଣ କରିଥା’ନ୍ତି।
ଖାଦ୍ୟ ଅନ୍ବେଷଣରେ ସେମାନେ ଭୂଇଁ ତଳେ ମାଇଲ୍ ମାଇଲ୍ ଧରି ବ୍ୟାପିଥା’ନ୍ତି। ଏପରିକି ଆମେରିକାର ଓରେଗାଁ ସ୍ଥିତ ମାଲୟୁର ଜାତୀୟ ଜଙ୍ଗଲରେ ବଢ଼ିଥିବା ତଥା ପୃଥିବୀର ବୃହତ୍ତମ ସଜୀବର ମାନ୍ୟତା ରଖିଥିବା ‘ହନି ମସରୁମ୍’ ନାମକ ଛତୁ ୨,୩୮୫ ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ଯାହା ୨,୪୦୦ ବର୍ଷ ପୁରୁଣା ବୋଲି ଧରାଯାଏ। ଛତୁକୁ ଧାରଣ କରିଥିବା ବୃକ୍ଷମାନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ପାଇଁ ତାହା ସାହାଯ୍ୟ କରିଥାଏ। ଛତୁ ହେଉଛି ଭୂଇଁ ତଳେ ଥିବା ଏକ ବିଶାଳ କବକର ଫଳଧାରୀ ଅଂଗର ଅଂଶବିଶେଷ ଯାହାର ମାତ୍ର ୫ ପ୍ରତିଶତ ବାହାରକୁ ଦେଖାଯାଇଥାଏ। ନିଜର ପରିପ୍ରକାଶ ପାଇଁ ଅନୁକୂଳ ପାଗ ଅପେକ୍ଷାରେ ଛତୁମାନେ ବର୍ଷ ବର୍ଷ ଧରି ଏପରିକି ଦଶକ ଦଶକ ଧରି ନିର୍ଜୀବତୁଲ୍ୟ ରହିପାରିଥା’ନ୍ତି। ଅନେକ ଛତୁ ଅନ୍ଧାରରେ ଆଲୋକ ବିକିରଣ କଲା ଭଳି ଜଣାପଡ଼େ। ମେଘାଳୟରେ କ୍ଷୟପ୍ରାପ୍ତ ନଷ୍ଟ ବାଉଁଶ ଗଣ୍ଡିରେ ଦେଖାଯାଉଥିବା ଏକପ୍ରକାର କ୍ଷଣଭଙ୍ଗୁର ଛତୁ ଏହାର ଉଦାହରଣ। ସେଗୁଡ଼ିକ ଏପରି ଉଜ୍ବଳ ଦେଖାଯା’ନ୍ତି ଯେ ସ୍ଥାନୀୟ ଲୋକେ ତାହାକୁ ‘ବିଜୁଳି ଛତୁ’ ବୋଲି ଆଖ୍ୟା ଦେଇ ତାହାକୁ ପ୍ରାକୃତିକ ମଶାଲ ଭାବେ ବ୍ୟବହାର କରିଥା’ନ୍ତି। ସେହିପରି ଘନ ଘନ ବିଜୁଳିମାଡ଼ ଛତୁ ଉତ୍ପତ୍ତିକୁ ତ୍ବରାନ୍ବିତ କରିଥାଏ ବୋଲି ଜାପାନୀ ବୈଜ୍ଞାନିକମାନଙ୍କ ମତ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ