The Topmost

“The eyes believe themselves, the ears believe other people.”

ଚୈତ୍ର ମାସରେ ଭଗବାନ ବିଷ୍ଣୁ ନେଇଥିଲେ ଏହି ଅବତାର

ବୈଦିକ ସିଦ୍ଧାନ୍ତ ଅନୁଯାୟୀ ଚୈତ୍ର ମାସକୁ ବର୍ଷ ଆରମ୍ଭର ପ୍ରଥମ ମାସର ମର୍ଯ୍ୟାଦା ପ୍ରଦାନ କରାଯାଇଥାଏ। ‘ମହାକାଳ ସିଦ୍ଧାନ୍ତ’ ଓ ‘ଚତୁର୍ବର୍ଗ ଚିନ୍ତାମଣି’ ଆଦି ଗ୍ରନ୍ଥର ଉଲ୍ଲେଖ ଅନୁଯାୟୀ, ପ୍ରଜାପତି ବ୍ରହ୍ମା ଚୈତ୍ର ଶୁକ୍ଳପକ୍ଷର ପ୍ରଥମ ଦିନରେ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ପ୍ରକ୍ରିୟା ଆରମ୍ଭ କରିଥିଲେ ଏବଂ ଏହା ପରେ ଏଥିରେ ଗ୍ରହ, ନକ୍ଷତ୍ର, ତାରାଗଣ, ଋତୁ ଓ ମାସମାନଙ୍କର ସର୍ଜନା କରିଥିଲେ। ଏଣୁ ଏହି ମାସକୁ ହିମାଚଳ ପ୍ରଦେଶ, ଆସାମ, ଗୁଜୁରାଟ, ଆନ୍ଧ୍ର, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଆଦି ପ୍ରଦେଶମାନଙ୍କରେ ବର୍ଷର ପ୍ରଥମ ମାସ ଭାବରେ ମହା ସମାରୋହରେ ପାଳନ କରାଯାଇଥାଏ। ମହାରାଷ୍ଟ୍ରର ଗୁଡ଼ି ପଡ଼ୱା, ଆନ୍ଧ୍ର ଓ କର୍ଣ୍ଣାଟକ ଆଦିରେ ଉଗାଦି, ଏପରିକି ସୁଦୂର ଇଣ୍ଡୋନେସିଆରେ ମଧ୍ୟ ଏହାକୁ ନବଯୁଗର ପ୍ରାରମ୍ଭ ଭାବରେ ପାଳନ କରାଯାଏ।

ଏହି ମାସର ଅଧିପତି ହେଉଛନ୍ତି ଶ୍ରୀବିଷ୍ଣୁ। କୁହାଯାଏ, ଏହି ମାସରେ ଭଗବାନ ବିଷ୍ଣୁଙ୍କର ମତ୍ସ୍ୟାବତାର ହୋଇଥିଲା। ଏହା ତାଙ୍କ ଅବତାରର ଆଦ୍ୟରୂପ। ଭଗବାନ ବିଷ୍ଣୁ ମଧ୍ୟ ଏହି ମାସରେ ରାମାବତାର ଗ୍ରହଣ କରି ଭୂମିଷ୍ଠ ହୋଇଥିଲେ। ଏହି ମାସରେ ରାମ ଓ ଯୁଧିଷ୍ଠିର ଉଭୟଙ୍କର ରାଜ୍ୟାଭିଷେକ ସଂପନ୍ନ ହୋଇଥିଲା। ରାମ ମର୍ଯ୍ୟାଦାପୁରୁଷୋତ୍ତମ ଏବଂ ଯୁଧିଷ୍ଠିର ଧର୍ମରାଜ।

ଜପ, ତପ, ଧ୍ୟାନ ଓ ପୂଜା ପାଇଁ ଏହା ଏକ ଉତ୍କୃଷ୍ଟ ମାସ। ଚୈତ୍ର ଶୁକ୍ଳପକ୍ଷର ପ୍ରତ୍ୟେକ ଦିନ ଜଣେ ଜଣେ ଦେବତାଙ୍କୁ ଉତ୍ସର୍ଗୀକୃତ। ସେହି କ୍ରମରେ ପ୍ରଥମ ଦିନ- ବ୍ରହ୍ମା, ଦ୍ୱିତୀୟ- ଶିବ, ପାର୍ବତୀ ଓ ଅଗ୍ନି, ତୃତୀୟ- ଗୌରୀ, ଶିବ, ଚତୁର୍ଥ- ଗଣେଶ, ପଞ୍ଚମ- ନଗେନ୍ଦ୍ର, ଷଷ୍ଠ-କାର୍ତ୍ତିକ, ସପ୍ତମ- ସୂର୍ଯ୍ୟ, ଅଷ୍ଟମ- ମାତୃଦେବ, ନବମ- ମହିଷର୍ଦ୍ଦିନୀ, ଦଶମ- ଧର୍ମରାଜଯୁଧିଷ୍ଠିର, ଏକାଦଶ- ମହର୍ଷିଗଣ, ଦ୍ୱାଦଶ- ମହାବିଷ୍ଣୁ, ତ୍ରୟୋଦଶ- କାମଦେବ, ଚତୁର୍ଦ୍ଦଶ- ଶିବ ଓ ପୂର୍ଣ୍ଣିମା ଦିନଟି ଇନ୍ଦ୍ର ଓ ଶଚିଙ୍କ ନିମିତ୍ତ ଉତ୍ସର୍ଗୀକୃତ। ଏହିପରି କ୍ରମରେ ଦେବତାମାନଙ୍କୁ ଆବାହନ କଲେ ମନୁଷ୍ୟ ଧନ, ସଂପତ୍ତି ଓ ନିରାମୟ ଜୀବନଯାପନ କରେ।

ଏହି ମାସରେ ଚୈତ୍ର ନବରାତ୍ର ଉତ୍ସବ ପାଳିତ ହୁଏ। ଏଥିରେ ନବଦୁର୍ଗା- ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ ଓ ସିଦ୍ଧିଦାତ୍ରୀଙ୍କର ଆବାହନ କରାଯାଇଥାଏ। ଓଡ଼ିଶାରେ ମଧ୍ୟ ଚୈତ୍ର ମାସର ମଙ୍ଗଳବାରଗୁଡ଼ିକରେ ମା’ ମଙ୍ଗଳାଙ୍କ ପୂଜା ହୋଇଥାଏ। ଦକ୍ଷିଣ ଭାରତରେ ମୁଖ୍ୟପର୍ବ ଭାବରେ ଯେଉଁ ଜୁଗାଦି ବା ଉଗାଦି ପର୍ବ ପାଳନ କରାଯାଏ, ତାର ବିଶେଷତ୍ୱ ହେଉଛି- ଭୋଗ ପାଚେଡ଼ି ଭାବରେ ଖଟା, ରାଗ, ମିଠା, ଲୁଣିଆ, ପିତା ଓ କଷା, ଏହିପରି ଛଅପ୍ରକାର ଭୋଗ ବିଷ୍ଣୁଙ୍କୁ ସମର୍ପଣ କରାଯାଏ। ଜୀବନ ଏହିପରି ଛଅରସର ସମାବେଶ। ଏହା ମନୁଷ୍ୟକୁ କଷ୍ଟ ଓ ଆନନ୍ଦ ଉଭୟ ଦେଇଥାଏ। ଏହାକୁ ସମଭାବରେ ଗ୍ରହଣ କରିବାର ଶକ୍ତି ପ୍ରଦାନ ନିମିତ୍ତ ନବବର୍ଷରେ ପ୍ରାର୍ଥନା କରାଯାଏ। ଏ ଦୃଷ୍ଟିରୁ ବର୍ଷାରମ୍ଭର ପ୍ରଥମ ମାସଟି ଅତ୍ୟନ୍ତ ଗୁରୁତ୍ୱ ବହନ କରେ। ଓଡ଼ିଶାରେ ମଧ୍ୟ ଏହି ମାସରୁ ବାର୍ଷିକ ପାଞ୍ଜିର ଶୁଭାରମ୍ଭ ହୋଇଥାଏ।

SHARE BY