ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନକୁ ସବୁଠି ଚର୍ଚ୍ଚା । ଦେଶରେ ହେବ କି ଆଗୁଆ ନିର୍ବାଚନ ? ସୋମବାର ତୃଣମୂଳ ଯୁବ କଂଗ୍ରେସକୁ ଉଦବୋଧନ ଦେଇ ଡିସେମ୍ବର କିମ୍ବା ଜାନୁଆରୀରେ କେନ୍ଦ୍ର ନିର୍ବାଚନ କରାଇପାରେ ବୋଲି କହିଛନ୍ତି ମମତା । ଟିଏମସି ଯୁବ ସଂଗଠନର ସମାବେଶକୁ ସମ୍ବୋଧିତ କରିବାବେଳେ ମମତା ବାନାର୍ଜୀ କହିଛନ୍ତି ଯେ, ଯଦି ବିଜେପି କ୍ରମାଗତ ତୃତୀୟ ଥର ପାଇଁ ଦେଶର କ୍ଷମତାକୁ ଫେରିବ ତେବେ ଦେଶକୁ ଏକଛତ୍ରବାଦୀ ଶାସନର ସାମ୍ନା କରିବାକୁ ପଡିବ । ଏଥିପାଇଁ ବିଜେପି ଆଗୁଆ ହେଲିକପ୍ଟର ବୁକିଂ କରିସାରିଛି । ଅନ୍ୟମାନେ ଯେପରି ଠିକ୍ ଭାବେ ପ୍ରଚାର କରି ପାରିବେନି ତାକୁ ନଜରରେ ରଖି ବିଜେପି ଆଗୁଆ ହେଲିକପ୍ଟର ବୁକିଂ କରିଥିବା ମମତା କହିଛନ୍ତି । ମମତାଙ୍କ ଆକଳନକୁ ନେଇ ଦେଶରେ ରାଜନୈତିକ ମାହୋଲ ଗରମ ହୋଇଛି । କିନ୍ତୁ ଏହି ଗରମ ମାହୋଲ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ସେ ଏହି କଥାକୁ ଖଣ୍ଡନ କରିଛନ୍ତି । ନିର୍ବାଚନ ଦେଶର ସବୁଠାରୁ ବଡ଼ ପ୍ରକ୍ରିୟା । ସେଥିପାଇଁ ପ୍ରସ୍ତୁତି ଲମ୍ବା ସମୟ ଧରି ଚାଲୁଛି । ତେବେ ପ୍ରସ୍ତୁତି ସହ ଶୀଘ୍ର ନିର୍ବାଚନ ହେବାର କୌଣସି ଲିଙ୍କ ନାହିଁ ବୋଲି ସିଇଓ କହିଛନ୍ତି । ଜୁଲାଇ ସୁଦ୍ଧା ରାଜ୍ୟ ସମସ୍ତ ଇଭିଏମ ପାଇସାରିଛି । ଅକ୍ଟୋବର ୧ରୁ ଇଭିଏମ ଚେକିଂ ଆରମ୍ଭ ହୋଇ ନଭେମ୍ବରରେ ଶେଷ ହେବ । ଆସନ୍ତା ୧୩ରେ ଓଡ଼ିଶା ଆସିବେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ନିର୍ବାଚନକୁ ନେଇ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ସିଇଓ ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଟାଳି ଦେଉଥିବା ବେଳେ ସେପ୍ଟେମ୍ବରରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ଓଡ଼ିଶା ଗସ୍ତକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ରାଜନୈତିକ ବିଶେଷଜ୍ଞ । ସେପଟେ ଆଗୁଆ ନିର୍ବାଚନ ନେଇ ଏହା ଏକ ବଡ଼ ସଂକେତ ବୋଲି ଚର୍ଚ୍ଚା ହେଉଛି ।
More Stories
ନବ ଦାସଙ୍କ ଭାଇ ଘରେ ଆୟକର ରେଡ୍
ଚିନ୍ତାରେ ଇଣ୍ଡି ମେଣ୍ଟ, ଦଳରେ ଚାଲିଛି ଗୋଳମାଳ
ଭାରତ ପାଇଁ ପରବର୍ତ୍ତୀ ରାସ୍ତା କଣ?