ୟୁନିଭର୍ସିଟି ଅଫ୍ ଫ୍ଲୋରିଡାର ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ଚନ୍ଦ୍ରପୃଷ୍ଠରୁ ସଂଗୃହିତ ମାଟିରେ ଗଛ ବଢ଼ାଇବାରେ ସଫଳ ହୋଇଛନ୍ତି। ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ସୋରିଷ ଶାଗ ସମେତ ବ୍ରୋକୋଲି ଓ ଫୁଲକୋବିର ମଞ୍ଜିଗୁଡ଼ିକୁ ଚନ୍ଦ୍ରମା ମାଟିରେ ରୋପଣ କରିଥିଲେ। ଏହି ମାଟିକୁ ନାସାର ତିନିଟି ଚନ୍ଦ୍ର ଅଭିଯାନ ଯଥା ଆପୋଲୋ ୧୧, ୧୨ ଓ ୧୭ ସମୟରେ ସଂଗ୍ରହ କରି ପୃଥିବୀକୁ ଅଣାଯାଇଥିଲା। ମଞ୍ଜି ଲଗାଇବାର ଦୁଇ ଦିନ ପରେ ଅଙ୍କୁରୋଦ୍ଗମ ହୋଇଥିଲା।
ତେବେ ପୃଥିବୀର ମାଟି ତୁଳନାରେ ଚନ୍ଦ୍ର ମାଟିରେ ରୋପିତ ଚାରାଗୁଡ଼ିକର ବଢ଼ିବାର ବେଗ ହ୍ରାସ ପାଇ ସେଗୁଡ଼ିକ ବାମନ ହୋଇ ରହିଯାଇଥିଲେ। ତଥାପି ଗବେଷକମାନେ ଏହାକୁ ଏକ ବିରାଟ ଅଗ୍ରଗତି ବୋଲି ବିଚାର କରୁଛନ୍ତି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ର ପୃଷ୍ଠପୋଷକତାରେ ଏହି ଅଧ୍ୟୟନ କରାଯାଇଥିଲା। ‘ନାସା’ ଆଗକୁ ମଙ୍ଗଳ ଗ୍ରହ ଓ ଚନ୍ଦ୍ରରେ ଜନବସତି ସ୍ଥାପନର ଲକ୍ଷ୍ୟ ରଖିଥିବାରୁ ଏହି ସଫଳତା ଯୋଗୁଁ ଭବିଷ୍ୟତର ମହାକାଶଚାରୀମାନେ ସେଠାରେ ଚାଷ କରି ଖାଦ୍ୟ ଉତ୍ପାଦନ କରିପାରିବେ ବୋଲି ଆଶା ରଖାଯାଇଛି। ୧୯୭୨ରେ ଶେଷ ଥର ମଣିଷ ଚନ୍ଦ୍ରରେ ପାଦ ଦେବାର ୫୩ ବର୍ଷ ପରେ ୨୦୨୫ରେ ‘ନାସା’ ମଣିଷଙ୍କୁ ପୁଣି ଥରେ ଚନ୍ଦ୍ରକୁ ପଠାଇବାର ଯୋଜନା କରୁଛି। ତେଣୁ ‘ନାସା’ର ଦୀର୍ଘକାଳୀନ ମହାକାଶ ଅନ୍ବେଷଣ ପାଇଁ ଏହି ଅଧ୍ୟୟନଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

More Stories
2026 ରେ କରନ୍ତୁ ଏହି ମ୍ୟାନିଫେଷ୍ଟେସନ୍, ବଦଳିଯିବ ଜୀବନ
ଋଷ୍ ଠାରୁ ତେଲ କିଣିବା ପଡିଲା ମହଙ୍ଗା
ମୋଦୀଙ୍କ ଜି-୭ ବୈଠକରେ ଉପସ୍ଥିତିକୁ ନେଇ ବିବାଦ