ରକ୍ତମୁଖା ଇସ୍ରାଏଲ ଓ ପାଲେଷ୍ଟାଇନ । ଭୟଙ୍କର ଯୁଦ୍ଧରେ ଗଲାଣି ୧୧୦୦ରୁ ଅଧିକ ଲୋକଙ୍କ ଜୀବନ । ଦକ୍ଷିଣ ଇସ୍ରାଏଲର ଅନେକ ସ୍ଥାନରେ ଇସ୍ରାଏଲ ସେନା ଏବଂ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ଚାଲିଛି। ଗାଜା ଷ୍ଟ୍ରିପ୍ ଉପରେ ଇସ୍ରାଏଲ୍ ବାୟୁସେନା ତୁହାକୁ ତୁହା ବୋମାମାଡ଼ ଜାରି ରଖିଛି । ଲେବନାନର ଇସଲାମିକ ସଂଗଠନ ହେଜବୁଲ୍ଲା ଇସ୍ରାଏଲ ପୋଷ୍ଟଗୁଡ଼ିକୁ ଟାର୍ଗେଟ କରିଛି । ହମାସ ଆକ୍ରମଣରେ ଇସ୍ରାଏଲରେ ୬୦୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଥିରେ ୬୦ରୁ ଅଧିକ ସେନା ଅଧିକାରୀ ରହିଛନ୍ତି । ସେହିପରି ଇସ୍ରାଏଲର ଅପରେସନ ଆଇରନ୍ ସୋର୍ଡସରେ ୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିରେ ହମାସ ଆତଙ୍କବାଦୀଙ୍କ ସଂଖ୍ୟା ୪ ଶହରୁ ଅଧିକ ବୋଲି ସୂଚନା ମିଳିଛି । ଲେବନାନର ଇସଲାମିକ ସଂଗଠନ ହେଜବୁଲ୍ଲା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଇସ୍ରାଏଲ ସେନା ହେଜବୁଲ୍ଲା ପୋଷ୍ଟକୁ ଟାର୍ଗେଟ କରି ରକେଟ୍ ଜରିଆରେ ଏହାର ଜବାବ ଦେଇଥିଲା । ଲେବାନନର ଆକ୍ରମଣକୁ ଦୃଷ୍ଟିରେ ରଖି ଇସ୍ରାଏଲର ଉତ୍ତରରେ ଥିବା ବାସିନ୍ଦାମାନଙ୍କୁ ବୋମା ଆଶ୍ରୟସ୍ଥଳୀ ନିକଟରେ ରହିବାକୁ କୁହାଯାଇଥିଲା। ସେପଟେ ଦକ୍ଷିଣ ଇସ୍ରାଏଲର ଅନେକ ସ୍ଥାନରେ ରକେଟ୍ ସାଇରନ୍ ବାଜୁଛି । ଉତ୍ତେଜନା ଭିତରେ ଇସ୍ରାଏଲ ସରକାର ଗାଜା ଷ୍ଟ୍ରିପ୍କୁ ବିଜୁଳି ଯୋଗାଣ ବନ୍ଦ କରିଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲକୁ ୮ ବିଲିୟନ ଡଲାର ମୂଲ୍ୟର ଜରୁରିକାଳୀନ ସାମରିକ ସହାୟତା ପ୍ୟାକେଜକୁ ଅନୁମୋଦନ କରିଛନ୍ତି । ଅନ୍ୟପଟେ ହମାସ କହିଛି ଦୀର୍ଘ ଦଶନ୍ଧି ଧରି ପାଲେଷ୍ଟାଇନ ଉପରେ ଇସ୍ରାଏଲର ଅତ୍ୟାଚାର ଏବଂ ଅଲ୍ ଆକ୍ସା ମସଜିଦକୁ ଅପବିତ୍ର କରିବାର ଜବାବରେ ଏହି ଆକ୍ରମଣ କରାଯାଇଛି । ମହିଳା ଓ ଶିଶୁଙ୍କ ସମେତ ଅନେକ ଇସ୍ରାଏଲ ନାଗରିକଙ୍କୁ ହମାସ ପଣବନ୍ଦୀ ରଖିଛି । ଭାରତୀୟ ଦୂତାବାସ ଏବଂ ପାଲେଷ୍ଟାଇନରେ ଥିବା ଭାରତୀୟ ପ୍ରତିନିଧି କାର୍ଯ୍ୟାଳୟ ପକ୍ଷରୁ ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଏବଂ ଜରୁରିକାଳୀନ ପରିସ୍ଥିତିରେ ସିଧାସଳଖ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।
More Stories
୭୬ ତମ ଗଣତନ୍ତ୍ର ଦିବସ
ଆଇଆଇଟିରେ ପଢୁଛନ୍ତି କଳିଯୁଗ କୃଷ୍ଣ
ଚିକେନ୍ ନୁହେଁ ସ୍ତ୍ରୀର ମାଂସକୁ ସିଝାଇଲେ କୁକୁରରେ